ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ସଙ୍କଟ: ସିଇଓ, ନିର୍ଦେଶକଙ୍କ ନିଯୁକ୍ତିକୁ ଅଂଶଧନକାରୀଙ୍କ ପ୍ରତ୍ୟାଖ୍ୟାନ ୧୫ ପ୍ରସ୍ତାବରୁ ୮ ଖାରଜ

ମୁମ୍ବାଇ: ତାମିଲନାଡୁର ଘରୋଇ କ୍ଷେତ୍ରର ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଭିନ୍ନ ଧରଣର ସଙ୍କଟ ଦେଖାଦେଇଛି। ଏହି ବ୍ୟାଙ୍କ ପରିଚାଳନା ବୋର୍ଡରେ ଯେଉଁ ପୁରୁଣା ସଦସ୍ୟ ଥିଲେ ସେମାନଙ୍କ ପୁନଃ ନିଯୁକ୍ତିକୁ ଅଂଶଧନକାରୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବ୍ୟାଙ୍କର ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ଘଟଣା ଘଟିଛି। ମୋଟ ୧୦ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେଥି ମଧ୍ୟରୁ ୭ ଜଣଙ୍କ ନିଯୁକ୍ତିକୁ ଅଂଶଧନକାରୀମାନେ ୬୦ ପ୍ରତିଶତ ଭଳି ଭୋଟ୍‌ରେ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ୟାଙ୍କର ସିଇଓ ଏସ୍‌ ସୁନ୍ଦର ଓ ପ୍ରତିଷ୍ଠାତାଙ୍କ ଗ୍ରୁପ୍‌ ତରଫରୁ ଥିବା ସଦସ୍ୟ କେଆର୍‌ ପ୍ରଦୀପଙ୍କ ପୁନଃ ନିଯୁକ୍ତିକୁ ଅଂଶଧନକାରୀମାନେ ଖାରଜ କରିଛନ୍ତି। ବାର୍ଷିକ ସାଧାରଣ ପରିଷଦ ବୈଠକରେ ବ୍ୟାଙ୍କ ବୋର୍ଡ ପକ୍ଷରୁ ୧୫ଟି ପ୍ରସ୍ତାବ ଦିଆଯାଇଥିଲା। ସେଥି ମଧ୍ୟରୁ ଆଠଟି ପ୍ରସ୍ତାବକୁ ଅଂଶଧନକାରୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। କିଛି ନିର୍ଦେଶକ ଓ ଅଡିଟରଙ୍କ ନିଯୁକ୍ତିକୁ ସେମାନେ ଦୃଢ଼ ଭାବେ ବିରୋଧ କରିଛନ୍ତି। ତେବେ ବ୍ୟାଙ୍କ କାରବାର ସମ୍ପର୍କିତ ପ୍ରସ୍ତାବ ଯଥା ପୁଞ୍ଜି ହାସଲ କରିବା, ଏଫ୍‌ପିଆଇ ସୀମା ବଢ଼ାଇବା ଏବଂ ବଣ୍ଡ୍‌ ବିକ୍ରି କରିବା ସମ୍ପର୍କିତ ପ୍ରସ୍ତାବକୁ ସେମାନେ ମଞ୍ଜୁରି ଦେଇଛନ୍ତି।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କ୍ଲିକ୍ସ କ୍ୟାପିଟାଲ୍ ସହ ଏହାର ମିଶ୍ରଣ ହେବାକୁ ଯାଉଛି। ଲକ୍ଷ୍ମୀବିଳାସ ବ୍ୟାଙ୍କ ପାଖରେ ଟାୟାର-ବି ପୁଞ୍ଜି ଅନୁପାତ ବିଯୁକ୍ତାତ୍ମକ ରହିଛି ଏବଂ ଏହା ନୂଆ ପାଣ୍ଠି ଦରକାର କରୁଛି। ଏନ୍‌ପିଏ ହାର ବେଲଗାମ ହେବା ଏବଂ ପୁଞ୍ଜିର ଅଭାବ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ତ୍ବରିତ ପ୍ରତିଷେଧମୂଳକ ପଦକ୍ଷେପ (ପିସିଏ) ଅଧୀନରେ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତୟମାସ (ଏପ୍ରିଲ୍‌-ଜୁନ୍‌)ରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ୧୧୨.୨୮ କୋଟି ଟଙ୍କାର କ୍ଷତି ସହିଛି। ଏହାର ମୋଟ ଏନପିଏ ହାର ୨୫.୪୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ମୂଲ୍ୟ ଦୃଷ୍ଟିରୁ ବ୍ୟାଙ୍କର ଏନ୍‌ପିଏ ୪୧୪୨.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ୩୫୫୬.୫୭ କୋଟି ଟଙ୍କା ଥିଲା।

ସମ୍ବନ୍ଧିତ ଖବର