ବଢ଼ୁଛି ମଝି ଆକାଶରେ ସଙ୍କଟ: କାରଣ ଖୋଜିବ ଡିଜିସିଏ, ଦୁଇ ମାସିଆ ଅଡିଟ୍‌ ଆରମ୍ଭ

ନୂଆଦିଲ୍ଲୀ: ଯୋଗ୍ୟତା ନଥିବା ଇଞ୍ଜିନିୟରମାନେ ବିମାନ ଉଡ଼ାଣ ଅନୁମତି ଦେଉଥିବା ଜଣାପଡ଼ିବା ପରେ ବିମାନ ଚଳାଚଳ କ୍ଷେତ୍ରର ନିୟାମ ସଂସ୍ଥା ଡିଜିସିଏ ପକ୍ଷରୁ ଦୁଇ ମାସିଆ ସ୍ବତନ୍ତ୍ର ଅଡିଟ୍ ଆରମ୍ଭ କରାଯାଇଛି। ଏଥିରେ ବିମାନ କଂପାନିଗୁଡ଼ିକର ବ୍ୟବସ୍ଥାକୁ ଅନୁଶୀଳନ କରାଯିବ। କାହିଁକି ବିମାନରେ ବାରମ୍ବାର ତ୍ରୁଟି ଦେଖାଦେଉଛି ତାହା ଜାଣିବାକୁ ଡିଜିସିଏ ପ୍ରୟାସ କରିବ। ଗତ ୪୫ ଦିନ ଭିତରେ ବିମାନ ତ୍ରୁଟି ସମ୍ପର୍କିତ ବହୁ ଘଟଣା ସାମ୍ନାକୁ ଆସିବା ପରେ ଜୁଲାଇ ୧୯ରୁ ଡିଜିସିଏ ଏହି ଅଡିଟ୍ ଆରମ୍ଭ କରିଛି।

ବିମାନ କଂପାନିର କର୍ମଚାରୀମାନେ ବ୍ୟବହାର କରୁଥିବା ଉପକରଣ, ହ୍ୟାଙ୍ଗର, ଷ୍ଟୋର୍‌, ଗୁଣାତ୍ମକ ମାନ ଯାଞ୍ଚ ବ୍ୟବସ୍ଥା ସ୍ପେୟାର ପାର୍ଟସ୍‌ ଅଭାବରୁ ଠିଆ ହୋଇଥିବା ବିମାନଗୁଡ଼ିକୁ ଏହି ଅଡିଟ୍ ବେଳେ ଯାଞ୍ଚ କରାଯିବ। ଉଡ଼ାଣ ପାଇଁ ବିମାନକୁ ସାର୍ଟିଫାଏ କରୁଥିବା ଇଞ୍ଜିନିୟରମାନେ କେତେ ଯୋଗ୍ୟ ଓ ସେମାନେ ଯଥେଷ୍ଟ ସଂଖ୍ୟାରେ ଅଛନ୍ତି ନା ନାହିଁ ତାହା ଜାଣିବାକୁ ଡିଜିସିଏ ଉଦ୍ୟମ କରିବ। କଂପାନିଗୁଡ଼ିକୁ ସର୍ବନିମ୍ନ ଉପକରଣ ତାଲିକା ଜାରି କରିବାକୁ ହେବ। ବିମାନଟି ମରାମତି ନହେବା ପର୍ଯ୍ୟନ୍ତ ଏକ ନିର୍ଦିଷ୍ଟ ସମୟ ଭିତରେ କେଉଁ ଉପକରଣ କାମ କରିବ ନାହିଁ ତାହାର ତାଲିକା କଂପାନିଗୁଡ଼ିକୁ ଦେବାକୁ ହେବ। ଗତ ସପ୍ତାହରେ ଡିଜିସିଏ ପକ୍ଷରୁ ବିଭିନ୍ନ ବିମାନ କଂପାନିର ସ୍ପଟ୍ ଯାଞ୍ଚ କରିଥିଲା। ଆବଶ୍ୟକ ଯୋଗ୍ୟତା ନଥିବା ଓ ଆବଶ୍ୟକ ସଂଖ୍ୟାରେ ନଥିବା ଇଞ୍ଜିନିୟରମାନେ ଉଡ଼ାଣ ପାଇଁ ବିମାନକୁ ସ୍ବୀକୃତି ଦେଉଥିବା ସେଥିରୁ ଜଣାପଡ଼ିଥିଲା। ‌ନିୟମରେ ଥିବା ବହୁ ବ୍ୟବସ୍ଥାକୁ କଂପାନିଗୁଡ଼ିକ ଠିକ୍ ଭାବେ ପାଳନ କରୁନଥିବା ମଧ୍ୟ ଜଣାପଡ଼ିଥିଲା। ଉଡ଼ାଣ ପାଇଁ ବିମାନକୁ ସ୍ବୀକୃତି ଦେଉଥିବା ଅଧିକ ଇଞ୍ଜିନିୟର ମୂତୟନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଜୁଲାଇ ୨୮ ସୁଦ୍ଧା ତାହା ପାଳନ କରିବା ଲାଗି ନିର୍ଦେଶ ଜାରି କରାଯାଇଛି।

ଜୁଲାଇ ୨୧ରେ ଏୟାର ଇଣ୍ଡିଆର ଦୁବାଇ-କୋଚି ବିମାନର କ୍ୟାବିନ୍ ପ୍ରେସର ହଠାତ କମ୍ ହୋଇଯିବାରୁ ଯାତ୍ରୀଙ୍କୁ ଅକ୍ସିଜେନ୍ ମାସ୍କ ଲଗାଇବାକୁ ପଡ଼ିଥିଲା। ସେହିଦିନ ଗୋ ଫାଷ୍ଟ୍‌ର ମୁମ୍ବାଇ-ଲେହ ଓ ଶ୍ରୀନଗର-ଦିଲ୍ଲୀ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା। ଜୁଲାଇ ୨୦ରେ ଗୋ ଫାଷ୍ଟ୍‌ ଦିଲ୍ଲୀ-ଗୌହାଟି ବିମାନ ଆକାଶରେ ଉଡ଼ୁଥିବା ବେ‌ଳେ ୱିଣ୍ଡ୍‌ସିଲ୍‌ଡରେ ଫାଟ ଥିବା ଜଣାପଡ଼ିବା ପରେ ତାହାକୁ ଜୟପୁରରେ ଅବତରଣ କରିବାକୁ ପଡ଼ିଥିଲା। ଜୁଲାଇ ୧୭ରେ ଇଣ୍ଡିଗୋର ସାରଜାହ-ହାଇଦ୍ରାବାଦ ବିମାନର ଏକ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ତାହାକୁ ପାକିସ୍ତାନର କରାଚି ସହରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା। ଜୁଲାଇ ୧୬ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର କାଲିକଟ-ଦୁବାଇ ବିମାନରେ ପୋଡ଼ିବା ଗନ୍ଧ ହେବାରୁ ବିମାନଟିକୁ ମସ୍କାଟରେ ଅବତରଣ କରାଯାଇଥିଲା। ଜୁଲାଇ ୧୫ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବାହାରିନ୍-କୋଚି ବିମାନରେ ଏକ ଜୀବନ୍ତ ଚଢ଼େଇ କକ୍‌ପିଟ୍‌ରୁ ବାହାରିଥିଲା। ଜୁଲାଇ ୧୯ ପରଠାରୁ କେବଳ ସ୍ପାଇସ୍‌ଜେଟ୍‌ର ବିମାନରେ ଏଭଳି ୮ ଥର ତ୍ରୁଟି ଦେଖାଦେଇଥିଲା।

ସମ୍ବନ୍ଧିତ ଖବର