ଫସଲ ବୀମା ଦାବି ୬୦% ହ୍ରାସ

ନୂଆଦିଲ୍ଲୀ : ଫସଲ ବୀମା ରାଶି ପାଇବା ଲାଗି ଚାଷୀମାନେ କରୁଥିବା ଦାବିରେ ୬୦% ହ୍ରାସ ହୋଇଛି। ଫସଲ ନଷ୍ଟ ହେବା ଭଳି କୌଣସି ବଡ଼ ଧରଣର ଘଟଣା ଘଟିନଥିବାରୁ ବୀମା ଦାବି ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷରେ ୯,୫୭୦ କୋଟି ଟଙ୍କାର ବୀମା ରାଶି ମଞ୍ଜୁର କରାଯାଇଛି। ୨୦୧୯-୨୦ରେ ଏହା ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୨୭,୩୯୮ କୋଟି ଟଙ୍କାର ଫସଲ ବୀମା ଦାବିର ସମାଧାନ କରାଯାଇଥିଲା।୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଥିଲେ। ୨୦୧୮ ରବି ଋତୁ ଓ ୨୦୨୦ ଖରିଫ ଋତୁରେ ସେଥିରେ କେତେକ ସଂଶୋଧନ କରାଯିବାରୁ ଏହି ଯୋଜନାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି।

୨୦୨୦-୨୧ରେ ଏହି ଯୋଜନା ଅଧୀନରେ ୬୧୨ ଲକ୍ଷ ଚାଷୀ ସେମାନଙ୍କ ୪୪୫ ଲକ୍ଷ ହେକ୍ଟର ଚାଷ ଜମିର ୧,୯୩,୭୬୭ କୋଟି ଟଙ୍କାର ବୀମା କରିଥିଲେ। ସେଥିରୁ ଚାଷୀମାନେ ମାତ୍ର ୯,୫୭୦ କୋଟି ଟଙ୍କାର ବୀମା ରାଶି ଲାଗି ଦାବି ଉପସ୍ଥାପନ କରିଥିଲେ। ଖରିଫ ଋତୁରେ ୬,୭୭୯ କୋଟି ଟଙ୍କା ଓ ରବି ଋତୁରେ ୨,୭୯୨ କୋଟି ଟଙ୍କାର ବୀମା ଦାବିର ସମାଧାନ ହୋଇଥିଲା। ସର୍ବାଧିକ ବୀମା ଦାବି ରାଜସ୍ଥାନରୁ ଆସିଥିଲା। ଏହି ରାଜ୍ୟକୁ ୩,୬୦୨ କୋଟି ଟଙ୍କାର ଫସଲ ବୀମାରାଶି ଜାରି କରାଯାଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର ଯେଉଁଠାରେ ୧୨୩୨ କୋଟି ଟଙ୍କା ଓ ହରିୟାଣାକୁ ୧,୧୧୨.୮ କୋଟି ଟଙ୍କାର ଫସଲ ବୀମା ରାଶି ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ୬୧୩ ଲକ୍ଷ ଚାଷୀ ସେମାନଙ୍କ ୫୦୧ ଲକ୍ଷ ହେକ୍ଟର ଚାଷ ଜମିର ୨,୧୯,୨୨୬ କୋଟି ଟଙ୍କାର ବୀମା କରିଥିଲେ।

ସମ୍ବନ୍ଧିତ ଖବର