ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଓଡ଼ିଶାକୁ ୪୬୨‌ କୋଟି: ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ, ୧୯ ରାଜ୍ୟକୁ ୮୪୫୪ କୋଟି ମିଳିଲା

ପଞ୍ଚାୟତ ଓ ପୌରସଂସ୍ଥାକୁ ମିଳିବ ଅର୍ଥ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ କ୍ରମେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ୧୯ ରାଜ୍ୟର ପଞ୍ଚାୟତ ଓ ପୌର ପ୍ରଶାସନକୁ ୮,୪୫୩.୯୨ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏଥିରୁ ଓଡ଼ିଶାକୁ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କା ମିଳିଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରହିଥିବା ଅଭାବ ଦୂର କରିବା ସହିତ ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉକ୍ତ ଅର୍ଥ ବ୍ୟୟ ହେବ। ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦେଶରେ ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଦେବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଦେବା ପାଇଁ ସୁପାରିସ ଥିଲା। ଉକ୍ତ ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିଛନ୍ତି। ୭୦ ହଜାର ୫୮ କୋଟି ଟଙ୍କା ମଧ୍ୟରୁ ଗ୍ରାମୀଣ କ୍ଷେତ୍ରର ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ୧୬ ହଜାର ୩୭୭ କୋଟି ଟଙ୍କା, ଗ୍ରାମାଞ୍ଚଳରେ ବ୍ଲକସ୍ତରୀୟ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ହଜାର ୨୭୯ କୋଟି ଟଙ୍କା, ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ ପାଇଁ ୭ ହଜାର ୧୬୭ କୋଟି ଟଙ୍କା; ଗ୍ରାମାଞ୍ଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପକେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା ପାଇଁ ୧୫ ହଜାର ୧୦୫ କୋଟି ଟଙ୍କା ସୁପାରିସ ହୋଇଛି। ‌ଅନ୍ୟପକ୍ଷରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ୨,୦୯୫ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ର ପାଇଁ ୨୪ ହଜାର ୨୮ କୋଟି ଟଙ୍କା ସୁପାରିସ କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ୧୩ ହଜାର ୧୯୨ କୋଟି ଟଙ୍କାର ସ୍ୱାସ୍ଥ୍ୟ ଅନୁଦାନ ଜାରି କରିବା ଲାଗି ସୁପାରିସ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ ଗ୍ରାମାଞ୍ଚଳ ପାଇଁ ୮ ହଜାର ୨୭୩ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ପାଇଁ ୪ ହଜାର ୯୧୯ କୋଟି ଟଙ୍କା ସାମିଲ ରହିଛି। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ସମ୍ବଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ମାଧ୍ୟମରେ ସୁଦୃଢ଼ କରାଯାଇପାରିଲେ ମହାମାରୀ ଓ ସଂକ୍ରାମକ ରୋଗ ମୁକାବିଲାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ ବୋଲି ଆଶା ରଖାଯାଇଛି।

ଓଡ଼ିଶା ସମେତ ଯେଉଁ ୧୯ଟି ରାଜ୍ୟକୁ ୮୪୫୪ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ସେଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ ୪୮୮ କୋଟି, ଅରୁଣାଚଳପ୍ରଦେଶ ୪୭ କୋଟି, ଆସାମ ୨୭୨ କୋଟି, ବିହାର ୧୧୧୬ କୋଟି, ଛତିଶଗଡ଼ ୩୩୯ କୋଟି, ହିମାଚଳ ପ୍ରଦେଶ ୯୮ କୋଟି, ଝାଡ଼ଖଣ୍ଡ ୪୪୪ କୋଟି, କର୍ଣ୍ଣାଟକ ୫୫୨ କୋଟି, ମଧ୍ୟପ୍ରଦେଶ ୯୨୩ କୋଟି, ମହାରାଷ୍ଟ୍ର ୭୭୮ କୋଟି, ମଣିପୁର ୪୩ କୋଟି, ମିଜୋରାମ ୩୧ କୋଟି, ପଞ୍ଜାବ ୪୦୦ କୋଟି, ରାଜସ୍ଥାନ ୬୫୬ କୋଟି, ସିକିମ ୨୧ କୋଟି, ତାମିଲନାଡ଼ୁ ୮୦୬ କୋଟି, ଉତ୍ତରାଖଣ୍ଡ ୧୫୦ କୋଟି ଓ ପଶ୍ଚିମବଙ୍ଗ ୮୨୮ କୋଟି ପାଇଛନ୍ତି।

ସମ୍ବନ୍ଧିତ ଖବର