ଗୌତମ ଆଦାନି, ସଜ୍ଜନ ଜିନ୍ଦଲ, କୁମାର ମଙ୍ଗଳମ ବିର୍ଲା। ଦେଶର ବଛା ବଛା ଶିଳ୍ପପତିଙ୍କ ପସନ୍ଦର ସ୍ଥାନରେ ପରିଣତ ହୋଇଛି ଓଡ଼ିଶା। କେବଳ ଧାତବ ନୁହେଁ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଜୈବ-ଇନ୍ଧନ, ପ୍ଲାଷ୍ଟିକ୍, ପେଟ୍ରୋକେମିକାଲ୍ସ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ବହୁ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସିଙ୍ଗଲ ୱିଣ୍ଡୋ ଓ ଉଚ୍ଚ ସ୍ତରୀୟ କର୍ତ୍ତୃପକ୍ଷ ଶତାଧିକ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୩ରେ ଓଡ଼ିଶା କିଭଳି ନିବେଶକଙ୍କ ଆକର୍ଷଣର ସ୍ଥଳରେ ପରିଣତ ହୋଇଛି ତାହାକୁ ନେଇ ଆମର ଏହି ଉପସ୍ଥାପନା।
କଂପାନିଙ୍କ ଧାଡ଼ି :ଦେଶରେ ଦ୍ବିତୀୟ ସର୍ବାଧିକ ପୁଞ୍ଜି ନିବେଶ ଓଡ଼ିଶାରେ
୨୦୨୨-୨୩ ଆର୍ଥିକ ବର୍ଷରେ ୨୦.୧ ଲକ୍ଷ କୋଟି ଟଙ୍କା ହାସଲ କରିବାରେ ଓଡ଼ିଶା ସଫଳ ହୋଇଥିଲା ଯାହା ଥିଲା ଦେଶରେ ଦ୍ବିତୀୟ ସର୍ବାଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସିଏମ୍ଆଇଇ ସେମାନଙ୍କ ରିପୋର୍ଟରେ ଓଡ଼ିଶାର ପୁଞ୍ଜିନିବେଶ ହାତେଇବା ଦକ୍ଷତାକୁ ପ୍ରଶଂସା କରିଥିଲେ। ଶିଳ୍ପାୟନ କିଛି ନିର୍ଦିଷ୍ଟ ଜିଲ୍ଲା ମଧ୍ୟରେ ସୀମିତ ନାହିଁ। ମାଲକାନଗିରିଠାରୁ ଆରମ୍ଭ କରି କୋରାପୁଟ, ନୂଆପଡ଼ା ଭଳି ଜିଲ୍ଲାରେ ନୂଆ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରାଯାଇଛି। ନେସ୍ଲେ ଇଣ୍ଡିଆ, ସିଲିକନ୍ ପାୱାର, ହିଣ୍ଡାଲ୍କୋ, ଜେଏସ୍ଡବ୍ଲୁ, ଟାଟା ଷ୍ଟିଲ୍, ଏସାର ଗ୍ରୁପ୍, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଭଳି ଆଗ ଧାଡ଼ିର କଂପାନି ଓଡ଼ିଶାରେ ନିବେଶ କରିଛନ୍ତି। ଖଣି ଓ ଧାତବ ଶିଳ୍ପରେ ନିବେଶ ହାସଲ କରିବା ଓଡ଼ିଶା ଲାଗି ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ଚଳିତ ବର୍ଷ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ, ସେମିକଣ୍ଡକ୍ଟର କ୍ଷେତ୍ରରେ ଆସିଥିଲା ବିପୁଳ ନିବେଶ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ କେନ୍ଦ୍ରାପଡ଼ାରେ ନିଜର ଇସ୍ପାତ କାରଖାନା ସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏସାର ଗ୍ରୁପ୍ ମଧ୍ୟ କେନ୍ଦ୍ରାପଡ଼ା ଲାଗି ବୃହତ ଯୋଜନା ରଖି କାମ କରୁଛି। ଜେଏସ୍ଡବ୍ଲୁ ଷ୍ଟିଲ୍ ଜଗତସିଂହପୁରରେ ଏକ ବୃହତ କାରଖାନା ସ୍ଥାପନ କରିବାକୁ ଯାଉଛି। ଚଳିତ ବର୍ଷ ବହୁ ସଂଖ୍ୟାରେ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ୨୦୨୪େର ଅନେକ ନୂଆ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଆସନ୍ତା ବର୍ଷ ଆହୁରି ପୁଞ୍ଜି ଆସିପାରେ।
ତିନି ଟ୍ରିଲିଅନ୍ ଡଲାର ଟପିଲା
ଭାରତ ସରକାର ଅର୍ଥନୀତିକୁ ୫ ଟ୍ରିଲିଅନ୍ ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାହା ୩.୭ ଟ୍ରିଲିଅନ୍ ଡଲାର ପାଖାପାଖି ପହଞ୍ଚିଯାଇଛି। କିନ୍ତୁ ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ୪ ଟ୍ରିଲିଅନ ଡଲାର କ୍ଲବ୍ରେ ସାମିଲ ହୋଇଛନ୍ତି। ଗୋଟିଏ ସପ୍ତାହରେ ଏହି ଉପଲବ୍ଧି ମିଳିିଥିଲା। ପ୍ରଥମେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ପରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍କୁ ସେହି ସଫଳତା ମିଳିିଥିଲା। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪ ଟ୍ରିଲିଅନ ଡଲାରରୁ ଅଧିକ ହୋଇଛି। ଅନ୍ୟ ପକ୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ପ୍ରଥମ ଥର ଲାଗି ୭୧ ହଜାର ପଏଣ୍ଟ୍ ଅତିକ୍ରମ କରିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୨୧,୦୦୦ ପଏଣ୍ଟ୍ ସ୍ତର ଅତିକ୍ରମ କରିଛି। ଚଳିତ ବର୍ଷ ବଜାରରେ ବହୁ ସଂଖ୍ୟାରେ ଆଇପିଓ ଜାରି କରାଯାଇଥିଲା। ଖୁଚୁରା ନିବେଶକମାନେ ମଧ୍ୟ ବିପୁଳ ନିବେଶ କରିଛନ୍ତି।
ରାଜଧାନୀକୁ ଆସିଲେ ପିଡବ୍ଲୁସି, ଡେଲଏଟ, ଇୱାଇ
ଆଇଟି, କନ୍ସଲ୍ଟିଂ ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଲାଗି ୨୦୨୩ ଏକ ଚମତ୍କାର ବର୍ଷ ସାବ୍ୟସ୍ତ ହୋଇଛି। ଭୁବନେଶ୍ବରରେ ଇୱାଇ ଇଣ୍ଡିଆ, ଆଇବିଏମ୍, ପିଡବ୍ଲୁସି, ଡେଲଏଟ୍, କନସେଣ୍ଟ୍ରିକ୍ସ, ହାପିଏଷ୍ଟ୍ ମାଇଣ୍ଡ୍, ଇନ୍ଫୋସିସ୍ ବିପିଏସ୍, ସିନୋପ୍ସିସ୍ ଓ ଆକ୍ସେଞ୍ଚର ଭଳି ବିଶ୍ବସ୍ତରୀୟ ଆଇଟି ଓ କନସଲଟିଂ କଂପାନି ସେମାନଙ୍କ ଗ୍ଲୋବାଲ ଡେଭେଲପମେଣ୍ଟ ଓ ଆଉଟ୍ସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି।
ଓଡ଼ିଶା ହେବ ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ ହବ୍
ଓଡ଼ିଶା ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ର ହବ୍ରେ ପରିଣତ ହେବାକୁ ଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଥିବା ଟାଟା ଷ୍ଟିଲ୍ ଏସ୍ଇଜେଡ୍ରେ ଏମ୍ସିଏମ୍ଇ ଗ୍ରୁପ୍, ୱେଲ୍ସ୍ପନ୍ ନିଉ ଏନର୍ଜି, ସେମ୍ବକର୍ପ ଗ୍ରିନ୍ ହାଇଡ୍ରୋଜେନ୍, ଆଭାଡା ଗ୍ରୁପ୍, ରିନିଉ ଇ-ଫୁଏଲ୍ ଭଳି କଂପାନି ସେମାନଙ୍କ କାରଖାନା ସ୍ଥାପନ କରିବା ଲାଗି ଘୋଷଣା କରିଛନ୍ତି। ଏନେଇ କଂପାନିଗୁଡ଼ିକ ଏମ୍ଓୟୁ ମଧ୍ୟ ସ୍ବାକ୍ଷର କରିଛନ୍ତି। ପାରାଦୀପକୁ ମଧ୍ୟ ଗ୍ରିନ୍ ହାଇଡ୍ରୋଜେନ୍ ହବ୍ରେ ପରିଣତ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ସେଠାରେ ବିଶେଷ କରି ସଂରକ୍ଷଣ, ପରିବହନ ଆଦି ଉପରେ ବିଶେଷ ଧ୍ୟାନ ଦିଆଯାଉଛି।
ଝଡ଼ ମୁହଁରେ ଆଦାନି
ସବୁ କିଛି ଠିକ୍ ଚାଲିଥିଲା। ବିଶ୍ବର ତୃତୀୟ ବଡ଼ ଧନୀ ଭାବେ ବିଶ୍ବବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ସମ୍ପତ୍ତି ବଢ଼ାଇବାରେ ଦୁନିଆର ସବୁ ଧନୀଙ୍କୁ ପଛରେ ପକାଇଦେଇଥିଲେ। ସେ ହେଉଛନ୍ତି ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି। ୨୦୨୩ର ପ୍ରଥମ ମାସ କିନ୍ତୁ ତାଙ୍କ ଜୀବନର ସବୁ ବଡ଼ ଝଡ଼ ଆଣିଥିଲା। ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ତାଙ୍କ କଂପାନି ବିରୋଧରେ ସେୟାର ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି, ଜାଲ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଭିତ୍ତିକ ରିପୋର୍ଟ ପ୍ରକାଶ କରିବା ପରେ ତାଙ୍କ ପତନ ଆରମ୍ଭ ହୋଇଥିଲା। ତାଙ୍କ ତାଲିକାଭୁକ୍ତ କଂପାନିଗୁଡ଼ିକର ସେୟାର ମୂଲ୍ୟ ଏତେ ତଳକୁ ଖସିଗଲା ଯେ ଆଦାନି ଗ୍ରୁପ୍ ଓ ନିଜେ ଆଦାନି ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିଥିଲେ। ଏହି ଘଟଣାକୁ ନେଇ ଦେଶର ରାଜନୀତି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ୍ କରିଥିଲେ। ଘଟଣାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଲାଗି ଦାବି ହୋଇଥିଲା। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ନିୟମିତ ବ୍ୟବଧାନରେ ନୂଆ ନୂଆ କଂପାନି କିଣୁଥିବା ଆଦାନି ଗ୍ରୁପ୍ ଯେଭଳି ଅଟକିଯାଇଥିଲା। କଂପାନି ଆଣିଥିବା କିଛି ଋଣ ପରିଶୋଧ କରିବାକୁ ମଧ୍ୟ ସଂଘର୍ଷ କରିଥିଲା।
ବିଶ୍ବବ୍ୟାପୀ ଆଦାନି ଗ୍ରୁପ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇଥିଲା। କିନ୍ତୁ ଆରମ୍ଭରୁ ଆଦାନି ଗ୍ରୁପ୍ ଦାବି କରୁଥିଲା ଯେ କୌଣସି ଅଭିଯୋଗର କିଛି ବି ସତ୍ୟତା ନାହିଁ। କେବଳ ଭାବମୂର୍ତି ନଷ୍ଟ କରିବା ଲାଗି ଏହି ରିପୋର୍ଟ ଜାରି କରାଯାଇଛି। ରାଜନୈତିକ ଝଡ଼ ଭିତରେ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିଥିଲା। କୋର୍ଟ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। କମିଟି ଏହାର ରିପୋର୍ଟରେ ଆଦାନି ଗ୍ରୁପ୍କୁ କ୍ଲିନ୍ଚିଟ୍ ଦେଇଥିଲା। ଏହା ବ୍ୟତୀତ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଧ୍ୟ ଘଟଣାର ତଦନ୍ତ କରି ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ହିଣ୍ଡେନବର୍ଗ ଭଳି ଏକ ସଂସ୍ଥାର ଅଭିଯୋଗକୁ ବିଶ୍ବାସକୁ ନେଇ ହେବନାହିଁ। ଫଳରେ ଆଦାନି ଗ୍ରୁପ୍କୁ ବହୁତ ବଡ଼ ଆଶ୍ବସ୍ତି ମିଳିଛି। ଏହା ପରଠାରୁ ଷ୍ଟକ୍ ବଜାରରେ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ବୃଦ୍ଧି ପାଇବା ସହ ଖୋଦ୍ ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିଛି। ବିଶ୍ବ ଧନୀ ତାଲିକାର ଶ୍ରେଷ୍ଠ ୩୦ରୁ ବିଦା ହୋଇଥିବା ଆଦାନି ଏବେ ଷୋଡ଼ଶ ସ୍ଥାନ ପର୍ଯ୍ୟନ୍ତ ଉନ୍ନୀତ ହୋଇଛନ୍ତି। ବ୍ୟବସାୟକୁ ଦ୍ରୁତ ଗତିରେ ବଢ଼ାଇବା ଲାଗି ପୁଣି ସେ ସକ୍ରିୟ ହୋଇପଡ଼ିଛନ୍ତି।
ଓଡ଼ିଶା ପାଇଁ ଗର୍ବ ତାରା
ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଫାଲକନ ଗ୍ରୁପର ଅଧ୍ୟକ୍ଷ ତାରାରଂଜନ ପଟ୍ଟନାୟକ ଓ ତାଙ୍କ ପରିବାର ସମ୍ମାନଜନକ ‘୩୬୦ ୱାନ୍ ଇଣ୍ଡିଆ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୩’ରେ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। ତାଙ୍କ ନିଟ୍ ସଂପତ୍ତି ୩୨୦୦ କୋଟି ଟଙ୍କା ଦର୍ଶାଯାଇଛି। ଫଳରେ ସେ ଦେଶର ଧନୀ ତାଲିକାର ୫୭୨ତମ ସ୍ଥାନରେ ରହିଛନ୍ତି। ଫାଲକନ ଗ୍ରୁପ ରାଜ୍ୟର ଉଦ୍ୟୋଗ ଓ ବ୍ୟବସାୟ ଜଗତରେ ଏକ ପ୍ରତିଷ୍ଠିତ ନାମ। ମତ୍ସ୍ୟ ରପ୍ତାନି ଠାରୁ ଆରମ୍ଭ କରି କୃଷି ଖାଦ୍ୟ ପ୍ରକ୍ରିୟାକରଣ, ରିଅଲ ଇଷ୍ଟେଟ, ମତ୍ସ୍ୟ ଖାଦ୍ୟ ଉତ୍ପାଦନ ଆଦି ଏକାଧିକ ବ୍ୟବସାୟରେ ସଫଳତାର ସହ କାର୍ଯ୍ୟ କରୁଛି।
ବର୍ଷ ସାରା କନ୍ଦାଇଲା
ନିଅଣ୍ଟିଆ ବର୍ଷାର ପରିଣାମ ଦେଖିଲା ଭାରତ। ଜୁଲାଇ ମାସରେ ହଠାତ୍ ଟମାଟୋ ଦାମ୍ ବଢ଼ି କେଜି ପିଛା ୧୦୯ ଟଙ୍କାରେ ପହଞ୍ଚିଯାଇଥିଲା। କିଛି ଦିନ ଭିତରେ ୨୫୦ ଟଙ୍କା ସ୍ତର ଛୁଇଁଥିଲା। ଏହାର ପ୍ରଭାବରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଅନେକ ଚାଷୀ କୋଟିପତି ହୋଇଯାଇଥିଲେ। ଏପରିକି ଚାଷୀଙ୍କ କ୍ଷେତରୁ, ଗାଡ଼ିରୁ, ଦୋକାନରୁ ଓ ବଜାରରୁ ଟମାଟୋ ଚୋରି ଖବର ଆସିଲା। ସେପ୍ଟେମ୍ବର ପରେ ସ୍ଥିତିରେ ପରିବର୍ତ୍ତନ ହୋଇଥିଲା।
ଏହା ପରେ ପିଆଜ ଝଡ଼ ରୋଷେଇ ଘର ବଜେଟ୍କୁ ବିଗାଡ଼ି ଦେଇଥିଲା। ସରକାର ଗଚ୍ଛିତ ଭଣ୍ଡାରରୁ ପିଆଜ ନାଫେଡ୍ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ଜରିଆରେ ବିକ୍ରି କରିଥିଲେ ହେଁ ବଜାର ଉପରେ ପ୍ରଭାବ ପଡ଼ିନଥିଲା। ପିଆଜ କେଜି ପିଛା ୬୫-୭୦ ଟଙ୍କା ଛୁଇଁଥିଲା। ଏବେ ରପ୍ତାନି ଉପରେ ୪୦ ପ୍ରତିଶତ ଟିକସ ଲାଗିଛି। ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ରପ୍ତାନି ବନ୍ଦ କରାଯାଇଛି। ସେପଟେ ଜଳବାୟୁରେ ଏଲ୍-ନିନୋ କାରଣରୁ ବର୍ଷା କମ୍ ହୋଇଛି। ଧାନ, ଗହମ ଓ ଆଖୁ ଉତ୍ପାଦନ ପ୍ରଭାବିତ ଆଶଙ୍କା ରହିଛି। ଦେଶବାସୀଙ୍କ ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଚାଉଳ ଓ ଗହମ ରପ୍ତାନି ଉପରେ କଟକଣା ଲଗାଯାଇଛି। ସରକାର ‘ଭାରତ ଅଟା’ ଓ ‘ଭାରତ ଡାଲି’ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।
ଅତୀତ ହୋଇଯିବ
୨୦୧୬ରେ ଦେଶରେ ପ୍ରଥମ ଥର ଲାଗି ପ୍ରଚଳନ ହୋଇଥିଲା ଗୋଲାପି ରଙ୍ଗର ୨୦୦୦ ଟଙ୍କିଆ ନୋଟ୍। କିନ୍ତୁ ସେହି ନୋଟ୍ର ଆୟୁଷ କମ୍। ଚଳିତ ବର୍ଷ ମେ’ ୧୯ରେ ଏହି ଗୋଲାପି ନୋଟ୍ ପ୍ରତ୍ୟାହାର ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଦେଲେ। ଏବେ ସୁଦ୍ଧା ୯୭ ପ୍ରତିଶତରୁ ଅଧିକ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ଏହି ନୋଟ୍ର ଲିଗାଲ୍ ଟେଣ୍ଡର ମାନ୍ୟତା କିନ୍ତୁ ପ୍ରତ୍ୟାହାର ହୋଇନାହିଁ। ସାରା ଦେଶରେ ଥିବା ୧୯ଟି ଇସ୍ୟୁ ଅଫିସ୍ ଜରିଆରେ ନୋଟ୍ ବଦଳାଇବା ବ୍ୟବସ୍ଥା ରହିଛି। ଭୁବନେଶ୍ବର ସମେତ ଦେଶର ବିଭିନ୍ନ ଇସ୍ୟୁ ଅଫିସ ସାମ୍ନାରେ ଲୋକମାନେ ନିଜେ ଓ ବଡ଼ବଡ଼ିଆ ବସ୍ତିବାସିନ୍ଦାଙ୍କୁ ଠିଆ କରାଇ ଏହି ନୋଟ୍ ବଦଳାଉଥିଲେ।