ନୂଆଦିଲ୍ଲୀ: ଗତକାଲି ନବରାତ୍ରୀ ଆରମ୍ଭରୁ ଜିଏସ୍‌ଟିରେ ହୋଇଥିବା ହ୍ରାସ ଲାଗୁ କରାଯାଇଛି। ଏହାର ପ୍ରଭାବ ପ୍ରଥମ ଦିନରୁ ଅନୁଭୂତ ହୋଇଛି। ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ସୋ’ରୁମ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଇ-କମର୍ସ ପୋର୍ଟାଲ୍‌ରେ ମଧ୍ୟ ଗ୍ରାହକମାନେ ବିଭିନ୍ନ ଜିନିଷ କିଣିବା ଲାଗି ବରାଦ ଦେଉଛନ୍ତି।

Advertisment

ପିଆଇବି ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଜିଏସ୍‌ଟି ୨.୦ର ପ୍ରଥମ ଦିନରେ ମାରୁତି ୮୦,୦୦୦ ଅନୁସନ୍ଧାନ ହାସଲ କରିଥିବା ବେଳେ ୩୦,୦୦୦ ଗାଡ଼ି ଗ୍ରାହକଙ୍କୁ ପ୍ରଦାନ କରିଛି। ଗତ ୩୫ ବର୍ଷ ଭିତରେ ଏହା ହେଉଛି କମ୍ପାନିର ସବୁଠୁ ଉଲ୍ଲେଖନୀୟ ଦୈନିକ ପ୍ରଦର୍ଶନ। ସାଧାରଣ ପାର୍ବଣ ଋତୁ ତୁଳନାରେ ଚଳିତ ବର୍ଷ ଛୋଟ କାର୍‌ ବୁକିଂରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି, ଗୋଟିଏ ଦିନରେ ହୁଣ୍ଡାଇ ଡିଲରସିପ୍‌ଗୁଡ଼ିକରେ ୧୧,୦୦୦ରୁ ଅଧିକ ବିଲିଂ ହୋଇଛି ଯାହା ଗତ ପାଞ୍ଚ ବର୍ଷରେ କମ୍ପାନିର ଶ୍ରେଷ୍ଠ ଦୈନିକ ପ୍ରଦର୍ଶନ। ଟାଟା ମୋଟର୍ସ ୨୫,୦୦୦ ଅନୁସନ୍ଧାନ ହାସଲ କରିଥିବା ବେଳେ ୧୦ ହଜାର ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର କରିଛି।

ଇଲେକ୍ଟ୍ରୋନିକ୍ସ ସୋ’ରୁମ୍‌ଗୁଡ଼ିକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାହକମାନେ ଟିଭି ଓ ଏସି କିଣିବା ଲାଗି ଭିଡ଼ ଲଗାଇଛନ୍ତି। ଜିଏସ୍‌ଟି କମିବା ପରେ ସ୍ପ୍ଲିଟ୍‌ ଏସି ଦାମ୍ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଓ ଟିଭି ଦାମ୍ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ କମ୍ ହୋଇଛି। ଗତକାଲି ହାୟର୍‌ର ବିକ୍ରିରେ ଦୁଇ ଗୁଣା ବୃଦ୍ଧି ଘଟିଛି। ବ୍ଲୁଷ୍ଟାର୍‌ର ବିକ୍ରି ମଧ୍ୟ ଗତବର୍ଷର ସମାନ ଦିନ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି। ସେହିପରି ୪୩ରୁ ୫୫ ଇଞ୍ଚକ ବର୍ଗରେ ଅଧିକ ଟିଭି ବିକ୍ରି ହେଉଛି। ଫ୍ଲିପ୍‌କାର୍ଟ ଜରିଆରେ ଟିଭି ବିକ୍ରି କରୁଥିବା ସୁପର୍‌ ପ୍ଲା‌ଷ୍ଟ୍ରୋନିକ୍ସର ବିକ୍ରିରେ ୩୫% ବୃଦ୍ଧି ‌ଘଟିଛି।

ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ ଲୋକମାନେ ବିଭିନ୍ନ ଜିନିଷ କିଣିବାର ବରାଦ ଦେଉଛନ୍ତି। ଦୁଇ ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ ଓ ଫ୍ଲିପ୍‌କାର୍ଟ ପକ୍ଷରୁ ଗତକାଲି ଲୟାଲ୍‌ଟି ଗ୍ରାହକଙ୍କ ପାଇଁ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ କରାଯାଇଥିଲା। ଫ୍ୟାସନ୍ ବ୍ରାଣ୍ଡ୍‌ ‘ଦି ପ୍ୟାଣ୍ଟ୍‌ ପ୍ରୋଜେକ୍ଟ’ର ବିକ୍ରିରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ସେହିପରି ସ୍ୟାଡୋ ଇଟେଲ୍‌ ପ୍ଲାଟ୍‌ଫର୍ମରେ ୧୫୧ ପ୍ରତିଶତ ଅଧିକ ଟ୍ରାଫିକ୍ ସୃଷ୍ଟି ହୋଇଛି। ‌ଫ୍ୟାସନ୍ ବ୍ରାଣ୍ଡ୍‌ ‘ସ୍ନିଚ୍‌’ର ଅନ୍‌ଲାଇନ୍ ବରାଦରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି।