ନୂଆଦିଲ୍ଲୀ/ଭୁବନେଶ୍ବର: ଧନତେରସ୍ ହିନ୍ଦୁମାନଙ୍କ ପାଇଁ ଏକ ପବ୍ରିତ ଉତ୍ସବ। ଏଥିରେ ସୁନା, ରୁପା ଓ ମୂଲ୍ୟବାନ ଧାତୁ ଆଦି କିଣିଲେ ଶୁଭ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି। ସେଥିପାଇଁ ବର୍ଷକୁ ଥରେ ଏହି ଦିନକୁ ଉଭୟ ଗ୍ରାହକ ଏବଂ ସୋରୁମ୍ଗୁଡ଼ିକ ଅପେକ୍ଷା କରି ରହିଥାନ୍ତି। ୨୦୨୦ ଏବଂ ୨୦୨୧ ବର୍ଷର ଧନତେରସ୍ କରୋନା ମହାମାରୀ ପାଇଁ ସେତେଟା ଭଲ ନଥିଲା। ତେଣୁ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ବଜାର ପରିସ୍ଥିତି ସ୍ବାଭାବିକ ଥିବାରୁ ଗହଣା ସୋରୁମ ଗୁଡ଼ିକ ଚଳିତବର୍ଷ ଭଲ ବ୍ୟବସାୟ କରିବା ପାଇଁ ଆଶାବାନ୍ଧି ବସିଛନ୍ତି।
ଚଳିତବର୍ଷ ଧନତେରସ ଦୁଇଦିନ ପଡ଼ୁଛି। ଶନିବାରଠାରୁ ଆରମ୍ଭ ହେଉଥିବା ଧନତେରସ୍ର ଶୁଭ ମୁହୂର୍ତ୍ତ ରବିବାର ପର୍ଯ୍ୟନ୍ତ ରହୁଛି। ଅନ୍ୟପକ୍ଷରେ ଚଳିତବର୍ଷ ସୁନା ଦର ମଧ୍ୟ ୧୦ ଗ୍ରାମ ପିଛା ୪୭ ହଜାର ଟଙ୍କା ପାଖାପାଖି ରହିଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସୋରୁମ୍ ଏବଂ ବ୍ୟବସାୟୀମାନେ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗ୍ରାହକଙ୍କୁ ମୂଲ୍ୟ ଏବଂ ଗଢ଼ା ମଜୁରିରେ ରିହାତି ମଧ୍ୟ ମିଳୁଛି। ଏଥିସହିତ ନୂଆ ନୂଆ ଡିଜାଇନ ଓ କଲେକ୍ସନର ପର୍ଯ୍ୟାପ୍ତ ଗହଣା ସୋରୁମ୍ ଗୁଡ଼ିକରେ ଶୋଭା ପାଉଛି। ଦେଶ ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ସୋରୁମ୍ ଗୁଡ଼ିକରେ ଆଜିଠାରୁ ଭିଡ଼ ପରିଲକ୍ଷିତ ହେଲାଣି। ଅପରାହ୍ଣ ପରେ ଗ୍ରାହକମାନେ ଅଧିକ ସଂଖ୍ୟାରେ ଗହଣା ଦୋକନ ଭିତରକୁ ପଶୁଥିବା ଦେଖାଯାଇଛି। ସପ୍ତାହାନ୍ତ ପାଇଁ ଭିଡ଼ ବଢ଼ିଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ଏଥିସହିତ ଚଳିତବର୍ଷ ସୁନା ମୂଲ୍ୟ ଅପେକ୍ଷାକୃତ ଭାବେ ଭଲ ରହିବା ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରୁଛି ବୋଲି ରାଜଧାନୀର ଜଣେ ପ୍ରମୁଖ ଗହଣା ବ୍ୟବସାୟୀ ମତ ଦେଇଛନ୍ତି। ଶନିବାର ତୁଳନାରେ ରବିବାର ପାଇଁ ସୋରୁମ ଗୁଡ଼ିକ ଅଧିକ ମାତ୍ରାରେ ପ୍ରସ୍ତୁତ ହୋଇ ରହିଛନ୍ତି।
ସର୍ବ ଭାରତୀୟ ମୂଲ୍ୟବାନ ପ୍ରସ୍ତର ଓ ଗହଣା ଡୋମେଷ୍ଟିକ କାଉନସିଲର ଅଧ୍ୟକ୍ଷ ଆଶିଷ ପେଠେ କହିଛନ୍ତି ପୂର୍ବରୁ ଯେଉଁମାନେ ଗହଣା ବୁକ୍ କରିଥିଲେ ସେମାନେ ଭିଡ଼ ଏଡ଼ାଇବା ପାଇଁ ସକାଳୁ ସକାଳୁ ସୋରୁମ୍କୁ ସାମଗ୍ରୀ ପାଇଁ ଆସିଛନ୍ତି। ଗତ ୩ରୁ ୪ ଦିନ ହେଲା ଗ୍ରାହକଙ୍କ ମନୋଭାବ ଉତ୍ସାହଜନକ ରହିଛି। ଏଥିପାଇଁ ବିକ୍ରି ପରିମାଣ ବଢ଼ିଛି। ତେଣୁ ଗହଣା ବ୍ୟବସାୟୀମାନେ ଉଭୟ ଶନିବାର ଓ ରବିବାର ଭଲ ବ୍ୟବସାୟ ଆଶା ରଖିଛନ୍ତି ବୋଲି ସେ କହିଛନ୍ତି।
୨ ଦିନରେ ୪୦ ହଜାର କୋଟି ବେପାର ଆଶା
ନୂଆଦିଲ୍ଲୀ: ଚଳିତବର୍ଷ ଧନତେରସ୍ ଦୁଇଦିନ ଧରି ପାଳନ ହେଉଛି। ଶନିବାର ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ରବିବାର ଅପରାହ୍ଣ ୬ଟାରେ ଶେଷ ହେଉଛି। ତେଣୁ ଦୁଇଦିନ ସପ୍ତାହାନ୍ତରେ ଏହା ପାଳନ ହେଉଛି। ଗ୍ରାହକଙ୍କ ମଧ୍ୟରେ ଉତ୍ସାହଭାବନା ଭରି ରହିଥିବାବେଳେ ଏହି ପର୍ବ ପାଳନ ହେଉଛି ବୋଲି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ଦୀପାବଳିର ପ୍ରଥମ ଦିନ ଧନତେରସ୍ ହୋଇଥିବାବେଳେ ଏହି ଦିନ ନୂଆ ସାମଗ୍ରୀ, ବିଶେଷକରି ସୁନା, ରୁପା ଗହଣା, ବିଭିନ୍ନ ପ୍ରକାର ବାସନକୁସନ, କିଚେନୱେୟାର, ଗାଡ଼ି, ପୋଷାକ, ଇଲେକ୍ଟ୍ରୋ
ନିକ୍ସ ଆଦି ଏହି ସମୟରେ ବହୁମାତ୍ରାରେ ବିକ୍ରି ହୋଇଥାଏ। ତେଣୁ ଏହି ଦୁଇଦିନରେ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ନେଇ ଆଶା ରହିଛି ବୋଲି ସିଏଆଇଟିର ଜାତୀୟ ସଭାପତି ବି ସି ଭରତିଆ କହିଛନ୍ତି। ସେହିଭଳି ସର୍ବଭାରତୀୟ ଗହଣା ଏବଂ ସୁନାକାରୀଗର ସଂଘର ଜାତୀୟ ସଭାପତି ପଙ୍କଜ ଆରୋଡ଼ା କହିଛନ୍ତି, ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଦେଶବ୍ୟାପୀ ପ୍ରବଳ ଉତ୍ସାହ ରହିଛି। ଏଥିପାଇଁ ଗହଣା ସୋରୁମ୍ ଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ବୋଲି ସେ କହିଛନ୍ତି। ଗହଣା ସମେତ ସୁନା ଓ ରୁପା ମୁଦ୍ରା, ମୂର୍ତ୍ତି ଆଦି ମଧ୍ୟ ବହୁସଂଖ୍ୟାରେ ବିକ୍ରି ହେବାର ଆଶା ରହିଛି ବୋଲି ସେ କହିଛନ୍ତି।