ନୂଆଦିଲ୍ଲୀ ଦୁର୍ଗାପୂଜାର ଉତ୍ସାହ ଆରମ୍ଭ ହୋଇଯାଇଥିବା ବେଳେ ଗାଡ଼ି ସୋ’ରୁମ୍‌ଗୁଡ଼ିକରେ ଭିଡ଼ ବଢ଼ିବାରେ ଲାଗିଛି। ଦଶହରାରୁ ଦୀପାବଳି ମଧ୍ୟରେ ‌ବେତନଭୋଗୀମାନଙ୍କୁ ବୋନସ୍ ମିଳିଥାଏ। ଦରମା ସହିତ ବୋନସ୍‌ ଯୋଗୁଁ ସେମାନଙ୍କ ହାତରେ ମୋଟା ଅଙ୍କର ଟଙ୍କା ପହଞ୍ଚିଥାଏ। ସେହି ଟଙ୍କାକୁ ବ୍ୟବହାର କରି ସେମାନେ ନିଜ ସ୍ବପ୍ନର ଗାଡ଼ି କିମ୍ବା ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ଯୋଜନା କରନ୍ତି। ସେଥିପାଇଁ ଏହି ସମୟରେ ଅଧିକ ସଂଖ୍ୟାରେ ଗାଡ଼ି, ଟିଭି, ଫ୍ରିଜ୍, ୱାସିଂ ମେସିନ୍ ଓ ପୋଷାକ ଆଦି ବିକ୍ରି ହୋଇଥାଏ। ଗତ କିଛି ମାସ ହେଲାଣି ଗାଡ଼ି ବିକ୍ରିରେ ଯେଉଁ ମାନ୍ଦାବସ୍ଥା ଲାଗି ରହିଥିଲା ତାହା ଆଗାମୀ ମାସଗୁଡ଼ିକରେ ଦୂର ହୋଇଯିବ ବୋଲି ଆଶା କରାଯାଉଛି। କାରଣ ଏବେଠାରୁ ଗାଡ଼ି ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଆରମ୍ଭ ହୋଇଗଲାଣି। ସେମାନେ ବିଭିନ୍ନ ମଡେଲ୍‌କୁ ଦେଖୁଥିବା ଓ ପରଖୁଥିବା ବେଳେ ତାହାକୁ କିଣିବା ଲାଗି ମଧ୍ୟ ନିଷ୍ପତ୍ତି ନେଉଛନ୍ତି। 

Advertisment

ବିକ୍ରି ହୋଇପାରୁନଥିବା ପୁରୁଣା ଷ୍ଟକ୍‌କୁ ନେଇ ଚିନ୍ତିତ ଥିବା କାର୍‌ କମ୍ପାନିଗୁଡ଼ିକ ପୂଜା ଋତୁକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏବେଠାରୁ ଦୀପାବଳି ପର୍ଯ୍ୟନ୍ତ କାର୍‌ ବିକ୍ରିରେ ଜବରଦସ୍ତ ବୃଦ୍ଧି ହେବ ବୋଲି ସେମାନେ ଆଶା କରୁଛନ୍ତି। ଚଳିତ ବର୍ଷ କାର୍‌ କିଣିବା ନିଷ୍ପତ୍ତିକୁ ଗ୍ରାହକମାନେ କିଛି ମାସ ଟାଳି ଦେଇଥିଲେ। ନିର୍ବାଚନ ପାଇଁ ନିବେଶ ମନ୍ଥର ହୋଇପଡ଼ିଥିଲା। ମାତ୍ର ସ୍ଥିତି ସ୍ବାଭାବିକ ହୋଇଥିବା ବେଳେ ସରକାରୀ ନିବେଶ ଧାରା ଆରମ୍ଭ ହୋଇଯାଇଛି। ଫଳରେ ସେପ୍ଟେମ୍ବରଠାରୁ ଗାଡ଼ି କିଣାକୁ ନେଇ ଲୋକମାନଙ୍କ ଭିତରେ ଆଗ୍ରହ ଦେଖାଦେଇଛି। ଚଳିତ ପୂଜା ଋତୁରେ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହେବ ବୋଲି ଗାଡ଼ି କମ୍ପାନିଗୁଡ଼ିକ ଆଶା ରଖିଛନ୍ତି। କାର୍‌ କମ୍ପାନିଗୁଡ଼ିକର ଡିଲର୍‌ସିପ୍‌ରେ ପ୍ରବେଶ କରୁଥିବା ଓ ଗାଡ଼ି ବିଷୟରେ ପଚରାଉଚୁରା କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ପୂଜାରେ ବହୁତ ଭଲ ବେପାର ହେବା ନେଇ ତାହା ସଙ୍କେତ ଦେଉଛି। ଗ୍ରାହକ ଚାହିଦାରେ ଦେଖାଦେଇଥିବା ବୃଦ୍ଧିକୁ ପୂରଣ କରିବା ଲାଗି କମ୍ପାନିଗୁଡ଼ିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ଲିମିଟେଡ୍‌ ଏଡିସନ୍ ମଡେଲ୍‌ ଆଣିବା ଉପରେ କିଛି କମ୍ପାନି ବିଚାର କରୁଛନ୍ତି।

ସେହିପରି, ପରିବେଶ ମିତବ୍ୟୟୀ ପ୍ରଯୁକ୍ତି ପ୍ରତି ଯେଉଁ ଗ୍ରାହକମାନଙ୍କ ଆଗ୍ରହ ରହିଛି ସେମାନଙ୍କ ଆବଶ୍ୟକତା ପୂରଣ କରିବାକୁ ମଧ୍ୟ କମ୍ପାନିଗୁଡ଼ିକ ପ୍ରସ୍ତୁତ ରହିଛନ୍ତି। କେବଳ ବଡ଼ ସହର ନୁହେଁ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ପରିବେଶ ମିତବ୍ୟୟୀ ଗାଡ଼ିର ଚାହିଦା ବୃଦ୍ଧି ପାଇଛି। ଲଗାତାର ତିନି ମାସ ଧରି ଦେଶରେ କାର୍ ବିକ୍ରି ହ୍ରାସ ପାଉଛି। ନିକଟରେ‌ ଶେଷ ହୋଇଥିବା ସେପ୍ଟେମ୍ବରରେ ୩,୬୦,୦୦୦ ପାଖାପାଖି କାର୍ ବିକ୍ରି ହୋଇଛି। ଗତବର୍ଷ ଏହି ସମୟରେ ୩,୬୪,୦୦୦ରୁ ଅଧିକ କାର୍ ବିକ୍ରି ହୋଇଥିଲା। ଏହା ପୂର୍ବରୁ ଜୁଲାଇରେ କାର୍‌ ବିକ୍ରି ୨.୫ ପ୍ରତିଶତ ଓ ଅଗଷ୍ଟରେ ୧.୮ ପ୍ରତିଶତ ହ୍ରାସ ପାଇଥିଲା। କେବଳ ପେ‌ଟ୍ରୋଲ୍ ଚାଳିତ କାର୍ ନୁହେଁ, ଗତ ସେପ୍ଟେମ୍ବରରେ ଇଲେକ୍ଟ୍ରିକ୍ ଗାଡ଼ିର ବିକ୍ରି ମଧ୍ୟ ପ୍ରଭାବିତ ହୋଇଥିଲା। ଏହି ମାସରେ ୫୭୩୩ଟି ଇଭି କାର୍, ଏସ୍‌ୟୁଭି ଓ ଏମ୍‌ପିଭି ବିକ୍ରି ହୋଇଥିଲା ଯାହା ଗତ ୧୯ ମାସ ମଧ୍ୟରେ ସବୁଠୁ କମ୍। ୨୦୨୩ ସେପ୍ଟେମ୍ବରରେ ୬୨୯୮ଟି ଇଭି କାର୍ ବିକ୍ରି ହୋଇଥିଲା।