ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ଦର ପ୍ରଭାବରୁ ଗ୍ରାହକଙ୍କୁ କିଛିଟା ରିହାତି ନିକଟ ଭବିଷ୍ୟତରେ ମିଳିପାରେ। ବିଶ୍ବରେ କରୋନା ସଂକ୍ରମଣ ବଢ଼ୁଥିବାରୁ ତେଲ ଚାହିଦା ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହିତ ଆଗାମୀ ଦିନରେ ‌ଓପେକ୍ ମଧ୍ୟ ତେଲ ଉତ୍ପାଦନ ବଢ଼ାଇବା ସମ୍ଭାବନା ରହିଛି। ଏହାହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବାର ସମ୍ଭାବନା ରହିଛି। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ବ୍ରେଣ୍ଟ୍‌) ଦର ବ୍ୟାରେଲ ପିଛା ୩ ଡଲାର ହ୍ରାସ ଘଟି ପାଖାପାଖି ୭୩ ଡଲାର ରହିଛି। ସେହିଭଳି ଆମେରିକାରେ ଉତ୍ପାଦିତ ଅଶୋଧିତ ତେଲ ଦର ମଧ୍ୟ ବ୍ୟାରେଲ ପିଛା ପ୍ରାୟ ୪ ଡଲାର ହ୍ରାସ ଘଟି ୭୧ ଡଲାର ରହିଛି।

Advertisment

ଓପେକ୍ ଦେଶଗୁଡ଼ିକ ଜୁନ ମାସରେ ତୈଳ ଉତ୍ପାଦନ ଦୈନିକ ୫,୯୦,୦୦୦ ବ୍ୟାରେଲ ବୃଦ୍ଧି କରି ୨୬.୦୩ ନିୟୁତ ବ୍ୟାରେଲରେ ପହଞ୍ଚାଇଛନ୍ତି। ସେହିଭଳି ଜୁଲାଇରେ ଏହା ଆହୁରି ବଢ଼ିଥିବାବେଳେ ଆଗାମୀ ମାସରେ ମଧ୍ୟ ଏହା ପୁଣି ବଢ଼ିବାର ସମ୍ଭାବନା ରହିଛି। ଯଦି ଓପେକ୍‌ ତୈଳ ଉତ୍ପାଦନ ବଢ଼ାଏ ଏବଂ ଡେଲ୍‌ଟା ପ୍ରଜାତି କରୋନା ଭୂତାଣୁ ଯୋଗୁ ବିଶ୍ବରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଏ ତା’ହେଲେ ତୈଳ ଚାହିଦା ହ୍ରାସ ପାଇବା ଅବଶ୍ୟମ୍ଭାବୀ। ତେଣୁ ଏସବୁ ଦୃଷ୍ଟିରୁ ଆଗାମୀ ଦିନରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ କମିବା ସମ୍ଭାବନା ରହିଛି। ଅଶୋଧିତ ତେଲ ଦର କମିଲେ ଭାରତ ପାଇଁ ଏହା ସକାରାତ୍ମକ ଖବର ଆଣିବ। ଗୋଟିଏ ପଟେ ଭାରତ ସରକାରଙ୍କ ତେଲ ଆମଦାନୀ ବିଲ୍ କମିବ ଏବଂ ଅନ୍ୟପଟେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରୁ ଗ୍ରାହକଙ୍କୁ କିଛିଟା ରିହାତି ମିଳିବ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓପେକ୍ ସମେତ ଏହାର ଅନ୍ୟ ତୈଳ ଉତ୍ପାଦନକାରୀ ସହଯୋଗୀ ଦେଶଗୁଡ଼ିକର ବୈଠକ ରବିବାର ଭର୍ଚୁଆଲ ମୋଡ୍‌ରେ ହେବ। ଏଥିରେ ତୈଳ ଉତ୍ପାଦନ ନୀତି ସଂପର୍କରେ ଆଲୋଚନା ହେବ।