ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ହ୍ରାସ ପାଇଛି। ବଜାରରେ ଚାହିଦା ତୁଳନାରେ ଅଧିକ ତେଲ ରହିଥିବାରୁ ଦାମ୍ କମ୍ ହୋଇଛି। ମଙ୍ଗଳବାର ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୬୦.୮୭ ଡଲାରକୁ ଖସିଆସିଛି। ସେହି ସମୟରେ ୟୁଏସ୍ ୱେଷ୍ଟ୍‌ ଟେକ୍ସାସ୍ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ ଦାମ୍‌ ୫୭.୪୫ ଡଲାରକୁ ହ୍ରାସ ପାଇଛି। ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୨୭ ଟଙ୍କା ହ୍ରାସ ପାଇ ୫୦୨୬ ଟଙ୍କା ହୋଇଛି। 

Advertisment

ତେବେ, ତୈଳ ଦରରେ ହ୍ରାସର ଏହି ଧାରା ଅଧିକ ଦିନ ବଜାୟ ରହିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଅନ୍ତର୍ଜାତୀୟ ସ୍ତରରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଭୂରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଯଥେଷ୍ଟ। କୌଣସି ପ୍ରକାର ଅନିଶ୍ଚିତତା ଦେଖାଦେଲେ ତେଲ ଦରକୁ ତାହା ପ୍ରଭାବିତ କରିବ। ଭାରତ ଏହାର ୮୫ ପ୍ରତିଶତ ତେଲ ଆମଦାନୀ କରୁଛି। ତେଣୁ ଦରରେ ‌ଯେକୌଣସି ପ୍ରକାର ହ୍ରାସ ନିଶ୍ଚିତ ରୂପେ ଆମ ଦେଶ ପାଇଁ ଲାଭଦାୟକ। ଏହି ଲାଭ କିନ୍ତୁ କମ୍ପାନିଗୁଡ଼ିକ ଭିତରେ ସୀମିତ ରହିଯାଉଛି। ଦିନ ଥିଲା ଅଶୋଧିତ ତୈଳ ଦରରେ ହେଉଥିବା ପରିବର୍ତ୍ତନ ‌ଦେଶରେ ବିକ୍ରି ହେଉଥିବା ପେଟ୍ରୋଲ୍‌, ଡିଜେଲ ଦାମ୍‌କୁ ପ୍ରଭାବିତ କରୁଥିଲା। କିନ୍ତୁ ବହୁଦିନ ଧରି ଏହି ଦୁଇ ପ୍ରକାର ତେଲ ଦରକୁ ଅପରିବର୍ତ୍ତିତ ରଖାଯାଇଛି। ତୈଳ ଦରରେ ହେଉଥିବା ହ୍ରାସର କୌଣସି ପ୍ରଭାବ ପେ‌ଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ୁନାହିଁ। କେବଳ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ସମୟରେ ଦରରେ ଯାହା କିଛିଟା ହ୍ରାସ କରାଯାଉଛି। ତେଣୁ ଏଥର ମଧ୍ୟ ତେଲ ଦରରେ ହୋଇଥିବା ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି।