ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୮୮ ଡଲାର ସ୍ତର ଅତିକ୍ରମ କରିଛି। ଗତ ସାତ ବର୍ଷ ଭିତରେ ଅଶୋଧିତ ତୈଳର ଏହା ହେଉଛି ସର୍ବୋଚ୍ଚ ଦାମ୍। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଉତ୍ତେଜନା ଲାଗି ରହିଥିବାରୁ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ସେଥିପାଇଁ ତୈଳ ଦରରେ ବୃଦ୍ଧି ଘଟିଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ଏହି ଦାମ୍ ୯୦ ଡଲାର ଅତିକ୍ରମ କରିବ ବୋଲି ବ୍ରୋକରେଜ୍ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍ସ ଆକଳନ କରିଛି। ଜୁନ୍ ସୁଦ୍ଧା ଦାମ୍ ୧୦୦ ଡଲାରରୁ ଅଧିକ ରହିବ। ନିଜ ତୈଳ ଆବଶ୍ୟକତାର ୮୨%କୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଭଳି ଦେଶ ପାଇଁ ଏହା ଅତ୍ୟନ୍ତ ଖରାପ ଖବର।
ଅଶୋଧିତ ତୈଳ ମହଙ୍ଗା ହେଲେ ତାହାର ସିଧାସଳଖ ପ୍ରଭାବ ପେଟ୍ରୋଲ, ଡିଜେଲ୍ ଓ ଏଲ୍ପିଜି ଦାମ୍ ଉପରେ ପଡ଼ିବ। ଏବେ ପେଟ୍ରୋଲ୍ ଦାମ୍ ୧୦୧ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ୍ ୯୫-୯୬ ଟଙ୍କା ସ୍ତରରେ ରହିଛି। କିଛି ମାସ ପୂର୍ବେ କେନ୍ଦ୍ର ସରକାର ପେଟ୍ରୋଲ୍ରୁ ୫ ଟଙ୍କା ଓ ଡିଜେଲ୍ରୁ ୧୦ ଟଙ୍କାର ଟିକସ ହ୍ରାସ କରିବା ପରେ ଉଭୟ ପ୍ରକାର ତୈଳର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଛି। ଉତ୍ତରପ୍ରଦେଶ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ତୈଳ ଦରବୃଦ୍ଧିକୁ ଅଟକାଇ ଦିଆଯାଇଥିବା କୁହାଯାଉଛି। ଆଜି ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୮୮ ଡଲାର ରହିଛି। ଶେଷ ଥର ପାଇଁ ୨୦୧୪ ଅକ୍ଟୋବର ୩୦ରେ ବ୍ରେଣ୍ଟ୍ କ୍ରୁଡ୍କୁ ଏହି ସ୍ତରରେ ଦେଖିବାକୁ ମିଳିଥିଲା। କିଛି ମାସ ପୂର୍ବେ ତୈଳ ଚାହିଦା ହ୍ରାସ ପାଇବା ଯୋଗୁଁ ଅଶୋଧିତ ତୈଳ ଦାମ୍ ୬୮ ଡଲାରକୁ ହ୍ରାସ ପାଇଥିଲା।
୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୨୦ ଡଲାର ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ଫଳରେ ତେଲ ରାଜସ୍ବ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ଓପେକ୍ ସମୂହର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଚିନ୍ତିତ ହୋଇପଡ଼ିଥିଲେ। ରୁଷିଆ ଓ ସାଉଦି ଆରବ ନେତୃତ୍ବରେ ଏହି ଦେଶଗୁଡ଼ିକ ଉତ୍ପାଦନ ହ୍ରାସ କରି ବଜାରକୁ କମ୍ ତେଲ ଛାଡ଼ିଥିଲେ। ଚାହିଦା ଅନୁସାରେ ଯୋଗାଣ କମ୍ ରହିବାରୁ ତେଲ ଦାମ୍ ବଢ଼ିଥିଲା। ଏହା ଏହି ଦେଶଗୁଡ଼ିକୁ ସୁହାଇଥିଲା। ମାତ୍ର ଏବେ ତୈଳ ଦର ଯେଉଁ ସ୍ତରରେ ପହଞ୍ଚିଛି ଆଉ ଉତ୍ପାଦନ ହ୍ରାସ କରିବାର ଆବଶ୍ୟକତା ନାହିଁ। ତେଣୁ ଅଧିକାଂଶ ଦେଶ ତୈଳ ଉତ୍ପାଦନ ବୃଦ୍ଧି କରିଛନ୍ତି। କିଛି ଛୋଟ ଦେଶ ଉତ୍ପାଦନ ବଢ଼ାଇପାରିନାହାନ୍ତି। ଗୋଟିଏ ପଟେ ଅଶୋଧିତ ତେଲ ମହଙ୍ଗା ହେବାରେ ଲାଗିଥିବା ବେଳେ ଅନ୍ୟ ପଟେ ଭାରତର ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି। ବହୁ ବିଦେଶୀ ନିବେଶକ ଭାରତରୁ ସେମାନଙ୍କ ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେବାରେ ଲାଗିଛି। ଯଦି ଏଭଳି ସ୍ଥିତି ଲାଗି ରହିବ ତେବେ ସମାନ ପରିମାଣର ତେଲ କିଣିବା ଲାଗି ଭାରତକୁ ଅଧିକ ବିଦେଶୀ ମୁଦ୍ରା ଗଣିବାକୁ ପଡ଼ିବ। ଏହା ଦେଶର ଅର୍ଥନୀତି ପାଇଁ ଆଦୌଁ ଭଲ ନୁହେଁ।