ଅଶୋଧିତ ତୈଳ ଦର ୮୦ ଡଲାର ଟପିଲା: ମହଙ୍ଗା ହେବ ପେଟ୍ରୋଲ୍, ଡିଜେଲ୍, ଏଲ୍‌ପିଜି

ନୂଆଦିଲ୍ଲୀ: ନିଜ ଜୀବିକା ଲାଗି ଗମନାଗମନ ଓ ଯାତାୟାତ ଉପରେ ନିର୍ଭରଶୀଳ ଥିବା ଲୋକଙ୍କ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ୮୦ ଡଲାରରୁ ଅଧିକ ହୋଇଛି। ବିଗତ କିଛି ବର୍ଷ ଭିତରେ ଏହା ତୈଳର ସର୍ବୋଚ୍ଚ ଦାମ୍। ଅଶୋଧିତ ତୈଳକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି। ଯେହେତୁ ମୂଳ ତୈଳ କିଣିବା ଲାଗି କଂପାନିଗୁଡ଼ିକ ଅଧିକ ଅର୍ଥ ଗଣିବେ ତେଣୁ ସେମାନେ ନିଶ୍ଚିତ ରୂପେ ପେଟ୍ରୋଲ୍ ଓ ଡିଜେଲ୍‌ର ଖୁଚୁରା ଦାମ୍ ବଢ଼ାଇବେ। ଏକ ସଂସ୍ଥା ଆକଳନ କରିଛି ଯେ ଅଶୋଧିତ ତୈଳ ଦାମ୍ ୮୫ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ହେଲେ ଭାରତରେ ପେଟ୍ରୋଲ୍‌, ଡିଜେଲ୍, ଏଲ୍‌ପିଜି ଓ ବିମାନ ଇନ୍ଧନ ମହଙ୍ଗା ହେବ।

ଏବେ ‌ଦେଶରେ ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ୍‌ ଦାମ୍ ୯୦-୧୦୦ ଟଙ୍କା ମଧ୍ୟରେ ରହିଛି। ଗତ କିଛି ଦିନ ଧରି ଡିଜେଲ୍ ଦାମ୍‌ରେ ଲଗାତାର ବୃଦ୍ଧି ହେଉଛି।‌ ଦୀର୍ଘଦିନ ପରେ ଆଜି ପେଟ୍ରୋଲ୍‌ ଦାମ୍‌ ୨୦ ପଇସା ବଢ଼ିଛି। ଭାରତୀୟ କଂପାନିଗୁଡ଼ିକ ଯେଉଁ ଅଶୋଧିତ ତୈଳ (ବ୍ରେଣ୍ଟ୍‌ କ୍ରୁଡ୍‌) କିଣୁଛନ୍ତି ତାହାର ମୂଲ୍ୟ ବ୍ୟାରେଲ୍ ପିଛା ୮୦ ଡଲାରରୁ ଅଧିକ ହୋଇଛି। ଜୁଲାଇ ପରଠାରୁ ଏହାର ଦାମ୍ ବଢ଼ିବାରେ ଲାଗିଛି। ଜୁଲାଇରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୧.୬୩ ଡଲାର ଥିଲା ଯାହା ଅଗଷ୍ଟରେ ୭୩.୪୬ ଡଲାରକୁ ବୃଦ୍ଧି ପା‌ଇଥିଲା। ସେପ୍ଟେମ୍ବରରେ ତାହା ୮୦ ଡଲାର ସ୍ତର ଅତିକ୍ରମ କରିଛି। କରୋନା ମହାମାରୀର ପ୍ରଭାବ ଦୂର ହୋଇଥିବାରୁ ବିଶ୍ବର ବିଭିନ୍ନ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଛି। ‌ଫଳରେ ତେଲ ଚାହିଦା ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଯେତିକି ତେଲ ଦରକାର ହେଉଛି ତାହା ଓପେକ୍ ରାଷ୍ଟ୍ରଗୁଡ଼ିକ ଯୋଗାଇ ପାରୁନାହାନ୍ତି। ସେମାନେ ଏଭଳି ସ୍ଥିତି ଲାଗି ପ୍ରସ୍ତୁତ ମଧ୍ୟ ନଥିଲେ। ବଜାରକୁ କମ୍ ତେଲ ଆସୁଥିବାରୁ ତାହା ଚଢ଼ା ଦାମ୍‌ରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର