ଅଶୋଧିତ ତୈଳ ଦାମ୍ ୬ ମାସରେ ସବୁଠୁ କମ୍: ପେଟ୍ରୋଲ୍‌ରେ ଆଉ କ୍ଷତି ହେଉନି, ତଥାପି ଦାମ୍ କମୁନି

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ପେଟ୍ରୋଲ୍ ବିକ୍ରିରେ କଂପାନିଗୁଡ଼ିକ ଆଉ କ୍ଷତି ସହୁନାହାନ୍ତି। ତଥାପି ପେଟ୍ରୋଲ୍ ଦରରେ ‌ସେମାନେ ‌େକୗଣସି ହ୍ରାସ କରୁନାହାନ୍ତି। ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୧.୫୧ ଡଲାର ଭଳି ସ୍ତରରେ ରହିଛି। ଗତ ଛଅ ମାସ ଭିତରେ ତେଲର ଏହା ସର୍ବନିମ୍ନ ସ୍ତର। ସେଥିପାଇଁ ପେଟ୍ରୋଲ୍‌ ବିକ୍ରିରେ ଲିଟର ପିଛା କଂପାନିଗୁଡ଼ିକର ଆଉ କୌଣସି କ୍ଷତି ହେଉନି। ଡିଜେଲ୍ ବିକ୍ରିରେ ଲିଟର ପିଛା ମାତ୍ର ୪-୫ ଟଙ୍କାର କ୍ଷତି ହେଉଛି। ସେହି କ୍ଷତି ମଧ୍ୟ ଅଳ୍ପ ଦିନରେ ଶୂନ ହୋଇଯିବ ବୋଲି ଆଶା କରାଯାଉଛି। ଗତ ମାର୍ଚ୍ଚ ୬ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୦ ଡଲାରକୁ ବୃଦ୍ଧି ପାଇଥିଲା।

କିଛି ଦିନ ପୂର୍ବେ ପ୍ରତି ଲିଟର ପେଟ୍ରୋଲ୍‌ରେ ତେଲ କଂପାନିଗୁଡ଼ିକ ୧୪-୧୮ ଟଙ୍କା ପର୍ଯ୍ୟନ୍ତ ଓ ଡିଜେଲ୍‌ରେ ୨୦-୨୫ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିଲେ। ଏହା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦର ବୃଦ୍ଧି କରିନଥିଲେ। କ୍ଷତି ସତ୍ତ୍ବେ ସେମାନେ ଦର ଅପରିବର୍ତ୍ତିତ ରଖି ପାଞ୍ଚ ମାସ ପର୍ଯ୍ୟନ୍ତ ତେଲ ବିକ୍ରି କରିଛନ୍ତି। ଦିଲ୍ଲୀରେ ଏବେ ପେଟ୍ରୋଲ୍ ଦାମ୍ ୯୬ ଟଙ୍କା ୭୨ ପଇସା ଓ ଡିଜେଲ୍‌ ଦାମ୍ ୮୯ ଟଙ୍କା ୬୨ ପଇସା ରହିଛି। ଭୁବନେଶ୍ବର ଭଳି ଦେଶର ଅନେକ ସ୍ଥାନରେ ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ଏକ ସମୟରେ ପେଟ୍ରୋଲ୍‌ ଦାମ୍ ୧୧୦ ଟଙ୍କାରୁ ଅଧିକ ହୋଇଯାଇଥିଲା। ଉଭୟ ତେଲ ଉପରେ ଟିକସ ହ୍ରାସ ପାଇବା ପରଠାରୁ ଦର କମିଥିଲା ଓ ସେହିଦିନଠାରୁ ଦାମ୍ ଅପରିବର୍ତ୍ତିତ ରହିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ କଂପାନିଗୁଡ଼ିକ ତେଲ ଦାମ୍ ପ୍ରତିଦିନ ସଂଶୋଧନ କରୁଛନ୍ତି। ମାତ୍ର ଦେଶରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ତାହା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ତେଲ ଦରକୁ ଅପରିବର୍ତ୍ତିତ ରଖିବାକୁ କଂପାନିଗୁଡ଼ିକୁ କୁହାଯାଇଛି।

ଦାମ୍ ବଢ଼ାଉନଥିବାରୁ ତେଲ କଂପାନିଗୁଡ଼ିକୁ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ‘ଉତ୍ତମ କର୍ପୋରେଟ ନାଗରିକ’ ବୋଲି କହିଥିଲେ। କିନ୍ତୁ ଦାମ୍ ନବଢ଼ାଇବା କାରଣରୁ ତିନି ମାସରେ ସେମାନେ ୧୮,୪୮୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୦ ଜୁନ୍‌ରେ ପେଟ୍ରୋଲ ଓ ୨୦୧୪ ନଭେମ୍ବରରେ ଡିଜେଲ୍ ଦର ନିର୍ଧାରଣ କରିବା ଲାଗି ତେଲ କଂପାନିଗୁଡ଼ିକୁ ସରକାର ସ୍ବାଧୀନତା ଦେଇଥିଲେ। କିନ୍ତୁ ଏକ୍ଷେତ୍ରରେ ସେମାନେ ପୂର୍ଣ୍ଣ ସ୍ବାଧୀନତା ପାଇଥିବା ନେଇ ଅନେକ ସମୟରେ ସନ୍ଦେହ ସୃଷ୍ଟି ହେଉଛି। ଯେହେତୁ ଦେଶର ତିନି ପ୍ରମୁଖ ତେଲ କଂପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ସରକାରଙ୍କ ମାଲିକାନାରେ ରହିଛି ତେଣୁ ନିର୍ବାଚନ ଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ସେମାନେ ତେଲ ଦରବୃଦ୍ଧି ବଢ଼ାଉନାହାନ୍ତି। ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର