ଲାହୋର: ଭାରତକୁ ଅନୁସରଣ କରି ରୁଷରୁ ଶସ୍ତାରେ ତେଲ କିଣିବା ପାକିସ୍ତାନ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି | ବାସ୍ତବରେ ରୁଷରୁ ଭାରତ ବିପୁଳ ପରିମାଣର ଅଶୌଧିତ ତୈଳ କିଣିବା ଦେଖି ପାକିସ୍ତାନ ମଧ୍ୟ ଅଶୌଧିତ ତୈଳ କିଣିଥିଲା | ତେବେ ଭାରତକୁ ନକଲ କରିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ପାକିସ୍ତାନ ପାଇଥିବା ରୁଷର ଅଶୋଧିତ ତୈଳକୁ ପାକିସ୍ତାନ ସରକାର ଶସ୍ତା ମୂଲ୍ୟରେ ନିଜ ଲୋକଙ୍କୁ ଯୋଗାଇବାରେ ସକ୍ଷମ ନୁହଁନ୍ତି। ଏହାର କାରଣ ହେଉଛି ତୈଳ ବିଶୋଧନ କରିବା ପାଇଁ ପାକିସ୍ତାନର କୌଣସି ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ ତୈଳ ବିଶୋଧନାଗାର ନାହିଁ। ଏଭଳି ପରିସ୍ଥିତିରେ ଏହି ତେଲ ପାକିସ୍ତାନ ପାଇଁ ଅସୁବିଧାର କାରଣ ପାଲଟିଛି। ବିଶେଷ କରି ପାକିସ୍ତାନୀ ବିଶୋଧନାଗାରଗୁଡ଼ିକ ପ୍ରକ୍ରିୟାକରଣ ସମୟରେ ଡିଜେଲ ଏବଂ ପେଟ୍ରୋଲ ବଦଳରେ ଅଧିକ ଫର୍ଣ୍ଣେସ ତେଲ ବାହାର କରୁଛନ୍ତି। ପାକିସ୍ତାନରେ ଫର୍ଣ୍ଣେସ ତେଲର କୌଣସି ଚାହିଦା ନାହିଁ ଏବଂ ଏବେ ଏହା ଦ୍ୱାରା କ୍ଷତି ହିଁ ହେଉଛି |
ପାକିସ୍ତାନରେ ସମୁଦାୟ ୫ଟି ତୈଳ ବିଶୋଧନାଗାର ଅଛି ଯେଉଁଥିରୁ ଗୋଟିଏ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲା। ୬୦ ବର୍ଷ ପୂର୍ବେ ଦୁଇଟି ତୈଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇଥିଲା | ଅନ୍ୟ ଦୁଇଟି ତୈଳ ବିଶୋଧନାଗାର ମଧ୍ୟରୁ ଗୋଟିଏରେ ପୁରୁଣା ଟେକ୍ନୋଲୋଜି ଥିବାବେଳେ ଅନ୍ୟ ରିଫାଇନାରୀରେ ସରକାରଙ୍କ ୬୦ ପ୍ରତିଶତ ଅଂଶଧନ ରହିଛି । ଗତ ମାସରେ ପାକିସ୍ତାନ ରୁଷରୁ ଶସ୍ତା ତେଲ କିଣିଥିଲା। ଏହି ଶସ୍ତା ତେଲ ପରେ ମଧ୍ୟ ଏହା ପାକିସ୍ତାନର ଲୋକଙ୍କୁ ଏହାର ଲାଭ ଦେଇପାରି ନାହିଁ। ରିପୋର୍ଟ ଅନୁଯାୟୀ ପାକିସ୍ତାନ ରିଫାଇନାରୀ ଲିମିଟେଡ୍ ଦ୍ୱାରା ତୈଳ ବିଶୋଧନ ପରେ ପେଟ୍ରୋଲ ଏବଂ ଡିଜେଲ ବହୁତ କମ୍ ପରିମାଣର ବାହାରୁଥିବାବେଳେ ଅଧିକ ଫର୍ଣ୍ଣେସ ତେଲ ବାହାରୁଛି | ଏଭଳି ପରିସ୍ଥିତିରେ ବିଶୋଧନାଗାରର ନବୀକରଣ ମଧ୍ୟ ମହଙ୍ଗା ବ୍ୟାପାର ହେବ। କାରଣ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏଥିପାଇଁ ୪ ରୁ ୫ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ କରିବାକୁ ପଡିବ ଏବଂ ସମସ୍ତ ବିଶୋଧନାଗାରକୁ ନବୀକରଣ କରିବାକୁ ପଡିବ |