ଭୁବନେଶ୍ବର: ଯାଜପୁରରେ ଅଶୋଧିତ ତେଲକୁ ଏକ ବିଶାଳ ଭଣ୍ଡାର ଗଚ୍ଛିତ ରଖାଯିବ। ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜଭର୍ସ ଲିମିଟେଡ୍ ପକ୍ଷରୁ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଭଣ୍ଡାରକୁ ୮୭୪୩ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ଏହି ପ୍ରସ୍ତାବ ସମେତ ସମୁଦାୟ ୪୪,୭୯୩ କୋଟି ଟଙ୍କାର ପାଞ୍ଚଟି ବୃହତ୍ ନିବେଶ ପ୍ରସ୍ତାବରେ ମୋହର ଲାଗିଛି। ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ପ୍ରକଳ୍ପଗୁଡ଼ିକ ହେବା ପରେ ରାଜ୍ୟରେ ୨୩,୦୦୫ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ବିଶୋଧନାଗାର ଓ ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଉପକରଣ, ବାୟୋଟେକ୍ନୋଲୋଜି, ଇସ୍ପାତ ଓ ରସାୟନ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।
ଢେଙ୍କାନାଳରେ ସୋଲାର୍ ମଡ୍ୟୁଲ୍, ପିଭି ସେଲ୍ ପ୍ଲାଣ୍ଟ
୪୪,୭୯୩ କୋଟିର ୫ ପ୍ରସ୍ତାବରେ ମୋହର
ସୂଚନା ଅନୁସାରେ, ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁରରେ କୋଲ୍ଡ ରୋଲ୍ଡ ଓ କୋଟେଡ୍ ଇସ୍ପାତ ଉତ୍ପାଦ ଏବଂ ପ୍ଲେଟ୍ ମିଲ୍ ଉତ୍ପାଦ ଲାଗି ୨୬,୧୭୫ କୋଟି ଟଙ୍କା ନିବେଶ କରାଯିବ। ଆଇନକ୍ସ ସୋଲାର୍ ଲିମିଟେଡ୍ ପକ୍ଷରୁ ୪୦୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳରେ ଏକ ସୋଲାର୍ ମଡ୍ୟୁଲ୍ ଓ ସୋଲାର୍ ପିଭି ସେଲ୍ କାରଖାନା ସ୍ଥାପନ କରାଯିବ। ଏସିଏମ୍ଇ କ୍ଲିନ୍ଟେକ୍ ସଲ୍ୟୁସନ୍ସ ପକ୍ଷରୁ କଟକରେ ୪୦୫୦ କୋଟି ଟଙ୍କା ନିବେଶରେ ଛତୁ ମୂଳରୁ ପ୍ରୋଟିନ୍ ଓ ଭିଟାମିନ୍ଯୁକ୍ତ ଉତ୍ପାଦ କାରଖାନା ସ୍ଥାପନ କରାଯିବ। ହିମାଦ୍ରୀ ଗ୍ରିନ୍ ଟେକ୍ନୋଲୋଜିସ୍ ଇନୋଭେସନ୍ ପକ୍ଷରୁ କଟକରେ ୧୮୨୫ କୋଟି ଟଙ୍କା ନିବେଶରେ ଏକ ଖଣିଜ ତୈଳ ଓ ଟାୟାର ରିସାଇକଲ୍ ଉତ୍ପାଦ କାରଖାନା କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ପୂର୍ବରୁ ଏହି ବୃହତ୍ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ରାଜ୍ୟର ବଢ଼ୁଥିବା ଶିଳ୍ପ କ୍ଷେତ୍ରକୁ ଦର୍ଶାଉଛି। ଏହି ନିବେଶଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ପୁଞ୍ଜିନିବେଶ ଲାଗି ଓଡ଼ିଶାକୁ ଏକ ଶ୍ରେଷ୍ଠ ସ୍ଥଳ କରି ରାଜ୍ୟର ପ୍ରଗତି ଓ ଲୋକଙ୍କ ସମୃଦ୍ଧିକୁ ନିଶ୍ଚିତ କରିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି।