ବିଶ୍ୱ ବଜାରରେ ତେଲ ଦର ୨୫ ଡଲାରକୁ କମିଲା, ୨୦୦୨ ପରେ ସର୍ବନିମ୍ନ ଦର

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରଭାବରୁ ବିଶ୍ୱବଜାରରେ ତେଲ ଚାହିଦା କମୁଛି । ଏଥିଲାଗି ବିଶ୍ୱ ବଜାରରେ ତେଲଦର କମିଚାଲିଛି । ଆଜି ଅଶୋଧିତ ତେଲ ଦର (ଡବ୍ଲୁଟିଆଇ କ୍ରୁଡ) ୧୦.୫୪ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୨୪.୪୫ ଡଲାରରେ ପହଞ୍ଚିଛି, ଯାହାକି ଗତ ୨୦୦୨ ପରଠାରୁ ସର୍ବନିମ୍ନ ଦର । ବ୍ରେଣ୍ଟ କ୍ରୁଡ ଅଏଲ ମୂଲ୍ୟ ୪.୯୭ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୨୮.୯୦ ଡଲାରରେ ପହଞ୍ଚିଛି । ଭାରତୀୟ ବାସ୍କେଟର ମୂଲ୍ୟ ପ୍ରାୟ ୩ ଡଲାର ହ୍ରାସ ପାଇ ବ୍ୟାରେଲ ପିଛା ୩୦.୫୯ ଡଲାରରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ଭାରତ ସରକାରଙ୍କ ପାଇଁ ଖୁସି ଖବର ଆଣିଦେଇଛି । କାରଣ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସରକାରଙ୍କ ରାଜସ୍ୱ କମୁଥିବାବେଳେ ଶସ୍ତା ତେଲ ସରକାରଙ୍କ ଚାପକୁ କିଛିଟା ଲାଘବ କରିବାର ସମ୍ଭାବନା ରହିଛି । ଗତ ସପ୍ତାହରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ବୃଦ୍ଧି କରିଥିଲେ ।

କରୋନା ଭାଇରସ (କୋଭିଡ୍‌) ଯୋଗୁଁ ସମଗ୍ର ବିଶ୍ୱ ଗୁରୁତରଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ବିଭିନ୍ନ ଦେଶରେ କଳକାରଖାନା, ବିମାନ ଚଳାଚଳ, ବଜାର ଆଦି ବନ୍ଦ ହୋଇଯାଇଛି । ଏହାଫଳରେ ସମଗ୍ର ବିଶ୍ୱରେ ଅଶୋଧିତ ତେଲଦର ହ୍ରାସ ପାଇଚାଲିଛି । ଆହୁରି ମଧ୍ୟ ଉତ୍ପାଦନ ହ୍ରାସ କରିବାକୁ ଓପେକ ଓ ଋଷିଆ ମଧ୍ୟରେ ସହମତି ହୋଇପାରୁନଥିବାରୁ ମଧ୍ୟ ଦର ହ୍ରାସ ପାଉଛି ।

ସମ୍ବନ୍ଧିତ ଖବର