ଭୁବନେଶ୍ବର: ରାଜ୍ୟର ସୁଦୀର୍ଘ ବେଳାଭୂମିକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବେଳାଭୂମି ପାର୍ଶ୍ବରେ ବୃହତ୍‌ ବନ୍ଦରଠାରୁ ଆରମ୍ଭ କରି କ୍ରୁଜ୍ ଟର୍ମିନାଲ୍‌ ପର୍ଯ୍ୟନ୍ତ ଅନେକ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ବିଶ୍ବସ୍ତରୀୟ ପୁଞ୍ଜିନିବେଶକମାନଙ୍କ ପାଖରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। 

Advertisment

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସାମୁଦ୍ରିକ ଭିତ୍ତିଭୂମିରେ ନିବେଶ କରିବା ଲାଗି ବିଶ୍ବସ୍ତରୀୟ ଡେଭେଲପର ଓ ନିବେଶକଙ୍କଠାରୁ ଏ‌କ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ (ଇଓଆଇ) ଆହ୍ବାନ କରାଯାଇଛି। ଇଓଆଇ ଦାଖଲ କରିବାର ଶେ‌ଷ ତାରିଖ ଜୁନ୍ ୨୩ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ବାଲେଶ୍ବରରୁ ଗଞ୍ଜାମ ପର୍ଯ୍ୟନ୍ତ ଥିବା ୫୭୪ କିଲୋମିଟର ସୁଦୀର୍ଘ ବେଳାଭୂମିରେ ବନ୍ଦର ସ୍ଥାପନ ପାଇଁ ୮ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ରାଜ୍ୟରେ ସବୁଦିନିଆ ଗଭୀର ଜଳ ବନ୍ଦର, କ୍ରୁଜ୍ ଟର୍ମିନାଲ୍ ଓ ମାରିନା, ବହୁମୁଖୀ ବନ୍ଦର, ଜାହାଜ ନିର୍ମାଣ ଓ ମରାମତି ସୁବିଧା ଏବଂ କଣ୍ଟେନର୍ ଟର୍ମିନାଲ୍‌ରେ ନିବେଶ କରିବା ପାଇଁ ନିବେଶକମାନଙ୍କୁ ଆହ୍ବାନ ଦିଆଯାଇଛି।

ସାମୁଦ୍ରିକ ଭିତ୍ତିଭୂମି‌‌ରେ ନିବେଶ ଲୋଡ଼ିଲା ଓଡ଼ିଶା
ଜୁନ୍ ୫ରେ ନିବେଶକ ସମ୍ମିଳନୀ

ଆସନ୍ତା ଜୁନ୍ ୫ରେ ଏନେଇ ଭୁବନେଶ୍ବରରେ ଏକ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। କିଛି ମାସ ପୂର୍ବେ ପୁରୀର ବାଲିହରଚଣ୍ଡି ନିକଟରେ ଏକ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରିବାକୁ କୋଲକାତାର ଶ୍ୟାମ ଗ୍ରୁପ୍ ଓ ସେଞ୍ଚୁରି ପ୍ଲାଏବୋର୍ଡ ଇଣ୍ଡିଆ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଇଞ୍ଚୁଡ଼ି ଓ ବାହୁଦାରେ ଦୁଇଟି ନୂଆ ବନ୍ଦର ସ୍ଥାପନ କରାଯିବ ବୋଲି କିଛି ଦିନ ତଳେ ‌ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦର ସହଯୋଗିତ‌ାରେ ପାରାଦୀପରେ ୪୦୦୦ କୋଟି ଟଙ୍କା ନିବେଶ କରି ଏକ ଜାହାଜ ରିସାଇକ୍ଲିଂ ହବ୍ ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଜଗତସିଂହପୁରରେ ୫୫୦ କୋଟି ଟଙ୍କାରେ ଚୌଗୁଲେ ଲାଭଗାନ୍ ସିପ୍‌ରିପେୟାର ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ଅନୁମୋଦନ ପ୍ରଦାନ କରିଛନ୍ତି।