କ୍ରିପ୍ଟୋ ନିବେଶକଙ୍କ ମୁଣ୍ଡରେ ଚଡ଼କ: କ୍ଷତି ସହିଲେଣି ୭୩%, ଅଧିକାଂଶ ନିବେଶକଙ୍କ ବୟସ ୩୫ରୁ କମ୍

ନିବେଶକଙ୍କୁ ଆକର୍ଷିତ କରୁଛି ଉଚ୍ଚ ମୂଲ୍ୟ

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ଅସ୍ଥିର ଡିଜିଟାଲ ମୁଦ୍ରା ବା କ୍ରିପ୍ଟୋକରେନ୍ସିରେ ନିବେଶ କରିଥିବା ଅଧିକାଂଶ ନିବେଶକ ଅର୍ଥହାନିର ଶିକାର ହୋଇଛନ୍ତି। ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ୍ ସେଟଲ୍‌ମେଣ୍ଟ୍‌ରେ ପ୍ରକାଶ ପାଇଥିବା ଏକ ଗବେଷଣା ସନ୍ଦର୍ଭ ଅନୁଯାୟୀ ବିଶ୍ବର ୭୩ ପ୍ରତିଶତରୁ ଅଧିକ କ୍ରିପ୍ଟୋକରେନ୍ସି ବ୍ୟବହାରକାରୀ କ୍ଷତି ସହିଛନ୍ତି। ବିଶ୍ବର ୯୫ଟି ଦେଶର ୨୦୦ରୁ ଅଧିକ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଆପ୍‌କୁ ଅନୁଶୀଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ରିପୋର୍ଟ ଅନୁଯାୟୀ, କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଆପ୍ ଡାଉନ୍‌ଲୋଡ୍‌ କରିବାରେ ଆମେରିକା ଓ ତୁର୍କୀ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତରେ ୩ କୋଟିରୁ ଅଧିକ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଆପ୍ ଡାଉନ୍‌ଲୋଡ୍ ହୋଇଛି। ଜନସଂଖ୍ୟା ଦୃ‌ଷ୍ଟିରୁ ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିବାରୁ ମୁଣ୍ଡପିଛା ଡାଉନ୍‌ଲୋଡ୍‌ରେ ଏହା ତାଲିକାରେ ତଳ ଆଡ଼କୁ ରହିଛି। ବ୍ରିଟେନ, କାନାଡା, ଆମେରିକା ଭଳି ଦେଶରେ ମୁଣ୍ଡପିଛା ଡାଉନ୍‌ଲୋଡ୍ ଅଧିକ ରହିଛି। ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଭାରତରେ ମାତ୍ର ୧୫୦ ଜଣ ଦୈନିକ କ୍ରିପ୍ଟୋ ଆପ୍ ବ୍ୟବହାର କରୁଛନ୍ତି। କେତେ ପରିମାଣର କ୍ରିପ୍ଟୋ ବ୍ୟବହାରକାରୀ ଅର୍ଥହାନିର ଶିକାର ହୋଇଛନ୍ତି ତାହା ଜାଣିବା ଲାଗି ଏହି ରିପୋର୍ଟରେ ବିଟ୍‌କଏନ୍‌ ମୂଲ୍ୟକୁ ବିଚାରକୁ ନିଆଯାଇଛି। ଯେଉଁଦିନ ଆପ୍ ଡାଉନ୍‌ଲୋଡ୍ ହୋଇଛି, ସେହିଦିନଠାରୁ ନିବେଶ ଆରମ୍ଭ ହୋଇଛି ବୋଲି ବିଚାର କରିାଯାଇଛି। ସେହି ଆଧାରରେ ହିସାବ କରିବା ପରେ କିଛି ହାତଗଣତି ନିବେଶକ ଅର୍ଥ ଲାଭ କରିଥିବା ଜଣାପଡ଼ିଛି। ୭୩ ପ୍ରତିଶତରୁ ଅଧିକ ନିବେଶକ ଅର୍ଥହାନିର ଶିକାର ହୋଇଛନ୍ତି। ପ୍ରତି କ୍ରିପ୍ଟୋ ବ୍ୟବହାରକାରୀ ହାରାହାରି ଭା‌ବେ ୪୩୧ ଡଲାର କ୍ଷତି ସହିଛନ୍ତି। ସେମାନେ ନିବେଶ କରିଥିବା ରାଶିର ପ୍ରାୟ ୪୮ ପ୍ରତିଶତ ହରାଇଛନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଟ୍‌କଏନ୍ ଦାମ୍ ଅଧିକ ଥିବା ବେଳେ କ୍ଷୁଦ୍ର ନିବେଶକମାନେ ତାହାକୁ କିଣିଥିଲେ ଏବଂ ବଡ଼ ନିବେଶକମାନେ ବିକ୍ରି କରି ଲାଭବାନ ହୋଇଥିଲେ। ବିଟ୍‌କଏନ୍ ସହ ଜଡ଼ିତ ଥିବା ବିପଦ ସମ୍ପର୍କର ବହୁ କ୍ଷୁଦ୍ର ନିବେଶକ ସଚେତନ ନଥିବା ରିପୋର୍ଟରେ ଦାବି କରାଯାଇଛି। ପ୍ରାୟ ୪୦ ପ୍ରତିଶତ କ୍ରିପ୍ଟୋ ବ୍ୟବହାରକାରୀଙ୍କ ବୟସ ୩୫ ବର୍ଷରୁ କମ୍। କ୍ରିପ୍ଟୋର ଉଚ୍ଚ ମୂଲ୍ୟକୁ ନେଇ ସେମାନେ ଆକର୍ଷିତ ହୋଇଥିଲେ। ଏହି ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ ଲୋକମାନେ କେବଳ କ୍ରିପ୍ଟୋର ଉଚ୍ଚ ମୂଲ୍ୟ ଯୋଗୁ ସେଥିପ୍ରତି ଆକର୍ଷିତ ହୋଇଛନ୍ତି। ପାରମ୍ପରିକ ବ୍ୟାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସେମାନେ କ୍ରିପ୍ଟୋକୁ ଆପଣେଇ ନାହାନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ତୁର୍କୀ, ଆମେରିକା, ଆର୍ଜେଣ୍ଟିନା, ବୁଲଗାରିଆ, ବ୍ରାଜିଲ, କାନାଡା, ଚୀନ୍, ସାଇପ୍ରସ୍‌, କ୍ରୋଏସିଆ, ଇଣ୍ଡୋନେସିଆ, ଆୟରଲ୍ୟାଣ୍ଡ୍‌, ଭାରତ, ଇଟାଲି, ଜାପାନ, କୋରିଆ, ଲିଥୁଆନିଆ, ମାଲ୍‌ଟା, ସାଉଦି ଆରବ, ସ୍ଲୋଭେନିଆ, ଉରୁଗୁଏ ଏବଂ ଦକ୍ଷିଣ ଆଫ୍ରିକାରେ ଡାଉନ୍‌ଲୋଡ୍ କରାଯାଇଥିବା କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ଆପ୍‌ଗୁଡ଼ିକୁ ବିଚାରକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର