ନୂଆଦିଲ୍ଲୀ : କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସି ଉପରେ ଟିକସ ଲଗାଇବାର ଅର୍ଥ ନୁହେଁ ଯେ ଏଗୁଡ଼ିକୁ ଆଇନଗତ ମାନ୍ୟତା ଦିଆଯାଇଛି । ଏ ନେଇ ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସଂସଦରେ ସେ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସିକୁ ସେ ଆଇନଗତ ମାନ୍ୟତା କିମ୍ବା ନିଷିଦ୍ଧ କରିବା ସଂପର୍କରେ ଏବେ ଚିନ୍ତା କରୁନାହାନ୍ତି । ଏ ସମ୍ପର୍କିତ ଯେକୌଣସି ପ୍ରକାରର ନିଷ୍ପତ୍ତି ସବିଶେଷ ବିଚାରବିମର୍ଷ ପରେ ନିଆଯିବ । ଏବେ କେବଳ ସେଥିରୁ ହେଉଥିବା ଆୟ ଉପରେ ଟିକସ ବସାଯାଇଛି ।
ନିଜର ବଜେଟ ଅଭିଭାଷଣରେ ନିର୍ମଳା ଘୋଷଣା କରିଥିଲେ ଯେ, ଭର୍ଚୁଆଲ ଡିଜିଟାଲ ଆସେଟ ( କ୍ରିପ୍ଟୋ କରେନ୍ସି ଇତ୍ୟାଦି)ରୁ ଆୟ ଓ ଏଗୁଡ଼ିକର ଟ୍ରାନ୍ସଫର ଉପରେ ୩୦ ପ୍ରତିଶତ ଟିକସ ଲାଗିବ । ଏହି ଆୟ ସଂପର୍କରେ କୌଣସି ରିହାତି ଦିଆଯିବ ନାହିଁ ।
କ୍ରିପ୍ଟୋକରେନ୍ସି ଉପରେ ସରକାର ସଂସଦରେ ଏକ ବିଲ- କ୍ରିପ୍ଟୋକରେନ୍ସି ଏଣ୍ଡ ଅଫିସିଆଲ ଡିଜିଟାଲ କରେନ୍ସି ବିଲ, ଆଣିବାକୁ ଯୋଜନା କରୁଛନ୍ତି । କିନ୍ତୁ ସଂସଦର ଚଳିତ ଅଧିବେଶନରେ ଏହି ବିଲ ଆସିବାର ସମ୍ଭାବନା କମ ।
ଗତକାଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିପ୍ଟୋକରେନ୍ସିରେ ଭାରତୀୟଙ୍କ ନିବେଶ ନେଇ ସତର୍କ କରାଇଦେଇଥିଲେ । ସେ କହିଥିଲେ ଯେ, କ୍ରିପ୍ଟୋକରେନ୍ସି ଦେଶର ସାମଗ୍ରିକ ଅର୍ଥନୀତି ପାଇଁ ଏକ ବିପଦ ।