ଜି୨୦ ସମ୍ମିଳନୀରେ କ୍ରିପ୍ଟୋ ଉପରେ ଆଲୋଚନା ହେବ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ କ୍ରିପ୍ଟୋକରେନ୍ସି ଉପରେ ବ୍ୟାପକ ଆଲୋଚନା ହେବ। ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଳାଗି ବିଶ୍ବସ୍ତରରେ ଏକ ଫ୍ରେମ୍‌ୱର୍କ ଲାଗୁ କରିବାକୁ ଜି୨୦ ଦେଶଗୁଡ଼ିକ ସହମତ ହୋଇଛନ୍ତି। ସେହି ଅନୁସାରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଓ ଆର୍ଥିକ ସ୍ଥିରତା ବୋର୍ଡ ପକ୍ଷରୁ ଏକ ପେପର ଓ ଫ୍ରେମ୍‌ୱର୍କ ପ୍ରସ୍ତୁତ କରାଯାଇଛି। ଜି୨୦ ‌ବୈଠକରେ ତାହା ଉପରେ ଅଧିକ ଆଲୋଚନା ହେବ। ଜାମ୍ବିଆ, ଘାନା, ଇଥିଓପିଆ ଓ ଶ୍ରୀଲଙ୍କା ଭଳି ଦେଶକୁ କିଭଳି ଋଣ ସଙ୍କଟରୁ ଉଦ୍ଧାର କରାଯାଇପାରିବ ସେବିଷୟରେ ମଧ୍ୟ ଜି୨୦ର ନେତୃବୃନ୍ଦ ଆଲୋଚନା କରିବେ। ଇନ୍ଧନ ଓ ଖାଦ୍ୟର ଚଢ଼ା ଦରକୁ ନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀରେ ଚଳିତ ମାସ ୯-୧୦ରେ ଜି୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଗତବର୍ଷ ଡିସେମ୍ବର ୧ରେ ଭାରତକୁ ଜି୨୦ ସଭାପତିତ୍ବ ମିଳିଥିଲା। ଏହା ପରେ ଭାରତ ପକ୍ଷରୁ ୬୦ ସହରରେ ପ୍ରାୟ ୨୦୦ ବୈଠକ ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର