ନୂଆଦିଲ୍ଲୀ: ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଇଂରାଜି ସମ୍ବାଦପତ୍ର ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡକୁ ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଲାଗି କ୍ରିଫ୍ଟୋକରେନ୍ସି ଏକ ବଡ଼ ଚିନ୍ତାର ବିଷୟ। କ୍ରିପ୍ଟୋକରେନ୍ସିକୁ ନେଇ ଯେଉଁ ଆଶଙ୍କା ରହିଛି ସେ ବିଷୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଓ ନିଜ ପକ୍ଷକୁ ସ୍ପଷ୍ଟ କରାଯାଇଛି ବୋଲି ସେ କହିଛନ୍ତି। କ୍ରିପ୍ଟୋକରେନ୍ସିରେ ଯେତିକି ଲୋକ ନିବେଶ କରୁଛନ୍ତି ବୋଲି ପ୍ରଚାର ହେଉଛି ସେହି ତଥ୍ୟ ଅତିରଞ୍ଜିତ ବୋଲି ଶକ୍ତିକାନ୍ତ କହିଛନ୍ତି। କାରଣ କ୍ରିପ୍ଟୋକରେନ୍ସିରେ କାରବାର ସୁବିଧା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଯଥା ସମ୍ଭବ ଅଧିକ ଲୋକଙ୍କୁ ପଞ୍ଜୀକୃତ କରିବାରେ ଲାଗିଛନ୍ତି। କ୍ରିପ୍ଟୋକରେନ୍ସିକୁ ନେଇ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ କେତେକ ସୁପାରିସ କରିଛି ଏବଂ ସେଗୁଡ଼ିକ ଏବେ ବିଚାରଧୀନ ରହିଥିବା ସେ କହିଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ରିପ୍ଟୋକରେନ୍ସି କାରବାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହୃତ ହୋଇଛି। ଏହା ପରେ କ୍ରିପ୍ଟୋକରେନ୍ସି ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସିକୁ ନେଇ ଯେଉଁ ଚିଠା ନୀତି ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିଶେଷଜ୍ଞ ଓ ଅଂଶୀଦାରମାନଙ୍କ ମତାମତ ଲୋଡ଼ାଯାଇଛି। ଏହାକୁ ଏପର୍ଯ୍ୟନ୍ତ ସଂସଦରେ ଉପସ୍ଥାପନ କରାଯାଇନାହିଁ।

Advertisment

ଭାରତୀୟ ଅର୍ଥନୀତି ଉପରେ ମତ ରଖି ସେ କହିଛନ୍ତି ଯେ କୋଭିଡ୍ ଅନିଶ୍ଚିତତା ସତ୍ତ୍ବେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଉଜ୍ବଳ। ଦେଶରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ରହିଛି ଯାହା ଯେକୌଣସି ପ୍ରକାର ଅସ୍ଥିରତାର ମୁକାବିଲା କରିପାରିବ। ଘରୋଇ ପୁଞ୍ଜିନିବେଶରେ ବୃଦ୍ଧିର ଧାରା ଆରମ୍ଭ ହୋଇଥିବା ବେ‌ଳେ ବ୍ୟାଙ୍କ ଋଣରେ ବୃଦ୍ଧି ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏତେ ସବୁ ସକାରାତ୍ମକ ସ୍ଥିତି ସତ୍ତ୍ବେ ବିଶ୍ବର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଭୌଗୋଳିକ ଓ ରାଜନୈତିକ ସଙ୍କଟ ଚିନ୍ତାର ବି‌ଷୟ ବୋଲି ସେ କହିଛନ୍ତି।