ଭାରତରେ ନିଷିଦ୍ଧ ହେବ କ୍ରି‌ପ୍ଟୋକରେନ୍ସି

ନୂଆଦିଲ୍ଲୀ: ଭାରତରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରାଯିବ। ଏଥିପାଇଁ ସରକାର ଏକ ସ୍ବତନ୍ତ୍ର ବିଲ୍‌ ଆଣିବେ। ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ସେହି ବିଲ୍‌କୁ ଉପସ୍ଥାପନ କରାଯିବ। ସଂସଦର ଏହି ଅଧିବେଶନରେ ସରକାର ୨୬ଟି ବିଲ୍ ଆଣିବାକୁ ଯୋଜନା ରଖିଥିବା ବେଳେ ସେଥିରୁ ଗୋଟିଏ ହେଉଛି କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍। ତାହାର ନାମ ହେଉଛି ‘ଦି କ୍ରିପ୍ଟୋକରେନ୍ସି ଆଣ୍ଡ୍‌ ରେଗୁଲେସନ୍ ଅଫ୍‌ ଅଫିସିଆଲ ଡିଜିଟାଲ୍ କରେନ୍ସି ବିଲ୍, ୨୦୨୧’। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିବାକୁ ଥିବା ନିଜସ୍ବ ଡିଜିଟାଲ୍ ମୁଦ୍ରା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାରେ ଏହି ବିଲ୍ ସହାୟକ ହେବ। କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବାରମ୍ବାର ଦାବି କରୁଛନ୍ତି। ୨୦୧୮ରେ କ୍ରିପ୍ଟୋକୁ ନିଷିଦ୍ଧ କରାଯାଇଥିଲା। ମାତ୍ର ୨୦୨୦ରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା। ଏବେ ପର୍ଯ୍ୟନ୍ତ କ୍ରିପ୍ଟୋକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇନାହିଁ।

କେନ୍ଦ୍ର ସରକାର ନୂଆ ବିଲ୍ ଜରିଆରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବେ। ଏଥି ସହିତ କେତେକ ମାମଲାରେ ରିହାତି ମଧ୍ୟ ପ୍ରଦାନ କରିବେ। କ୍ରିପ୍ଟୋକରେନ୍ସି ଓ ଏହାର ବ୍ୟବହାରର ପ୍ରସାର କରିବା ଲାଗି ଏଭଳି ପଦକ୍ଷେପ ନିଆଯିବ। ନିଜର ଡିଜିଟାଲ୍ ମୁଦ୍ରା ଆଣିବାର କ’ଣ ସମ୍ଭାବନା ରହିଛି ତାହାକୁ ଏବେ ରିଜର୍ଭ ବ୍ୟାଙ୍କ ଅନୁଧ୍ୟାନ କରୁଛି। କିନ୍ତୁ ଏହାର ପରୀକ୍ଷଣ କେବେ ଆରମ୍ଭ ହେବ ସେହି ନିଷ୍ପତ୍ତି ନିଆଯାଇପାରୁନାହିଁ। ଉଲ୍ଲେଖଯୋଗ୍ୟ, ବିଟ୍‌କଏନ୍ ଓ ଏଥେରିଅମ୍ ଭଳି କ୍ରିପ୍ଟୋକରେନ୍ସି ଏବେ ସାରା ବିଶ୍ବରେ ବେଶ ଲୋକପ୍ରିୟ ହୋଇପାରିଛି। ସେଗୁଡ଼ିକୁ ଅନଲାଇନ୍‌ରେ କାରବାର କରିବା ଅତି ସହଜ। କିନ୍ତୁ କୌଣସି ଦେଶର ସରକାର କିମ୍ବା କେନ୍ଦ୍ରୀୟ ବ୍ୟାଙ୍କର ପରିସର ମଧ୍ୟରେ ସେଗୁଡ଼ିକ ଆସୁନାହିଁ। ତେଣୁ କ୍ରିପ୍ଟୋକରେନ୍ସିରେ ହେଉଥିବା କାରବାରକୁ ଆଇନଗତ ବ୍ୟବସ୍ଥାରେ ନିୟନ୍ତ୍ରଣ କରାଯାଇପାରୁନାହିଁ। ଯେଉଁମାନେ କ୍ରିପ୍ଟୋକରେନ୍ସି ବ୍ୟବହାର କରୁଛନ୍ତି ସେମାନଙ୍କ ଅର୍ଥର ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନାହିଁ। ତାହା ହିଁ ସରକାରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ।

ସମ୍ବନ୍ଧିତ ଖବର