କ୍ରିପ୍ଟୋକରେନ୍ସି ନିଷିଦ୍ଧ ହେବନି, ନିୟନ୍ତ୍ରଣରେ ରହିବ; ସଂସଦୀୟ କମିଟି ବୈଠକରେ ଆଲୋଚନା

ମତ ରଖିଲେ ଶିଳ୍ପ ସଂଘ, ବିଶେଷଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହସ୍ତକ୍ଷେପ କରିବା ପରେ କ୍ରିପ୍ଟୋକରେନ୍ସିକୁ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ଏଭଳି ଡିଜିଟାଲ୍ ମୁଦ୍ରାର ଭବିଷ୍ୟତ କ’ଣ ତାହା ଜାଣିବା ଲାଗି ଏକ ସଂସଦୀୟ କମିଟି ପକ୍ଷରୁ ବିଭିନ୍ନ ଶିଳ୍ପ ସଂଘ ଓ ବିଶେଷଜ୍ଞମାନଙ୍କ ସହ ଆଜି ଆଲୋଚନା କରାଯାଇଥିଲା। ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ନକରି ତାହାକୁ କିଭଳି ନିୟନ୍ତ୍ରଣରେ ରଖାଯାଇପାରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ବିଶେଷଜ୍ଞମାନେ ବୈଠକରେ ମତ ଦେଇଥିବା ଜଣାପଡ଼ିଛି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ କ୍ରିପ୍ଟୋକରେନ୍ସି ସମ୍ପର୍କିତ ସଂସଦୀୟ କମିଟି ଗଠନ କରାଯାଇଛି। ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଧ୍ୟକ୍ଷତା କରି ଆଲୋଚନା କରିବାର କିଛି ଦିନ ପରେ ସଂସଦୀୟ କମିଟି ଏହାର ବୈଠକ ଆରମ୍ଭ କରିଛି। କମିଟିର ଏହା ହେଉଛି ପ୍ରଥମ ବୈଠକ। ବୈଠକରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସପକ୍ଷରେ ମତ ଦେଇଛନ୍ତି। କିନ୍ତୁ କେଉଁ ସଂସ୍ଥା‌ ଏହାକୁ ନିୟନ୍ତ୍ରଣ କରିବ ତାହା ଧାର୍ଯ୍ୟ କରାଯାଇନାହିଁ। କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ଲୋକମାନଙ୍କ ଜମା ପୁଞ୍ଜିର ସୁରକ୍ଷାକୁ ନେଇ ବୈଠକରେ ଉପସ୍ଥିତ ଥିବା ସାଂସଦମାନେ ଚିନ୍ତା ପ୍ରକଟ କରିଥିଲେ। କ୍ରିପ୍ଟୋକରେନ୍ସି କାରବାର ପ୍ରତି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ଜାତୀୟ ସମ୍ବାଦପତ୍ରର ପ୍ରମୁଖ ପୃଷ୍ଠାରେ ପ୍ରକାଶ ପାଇଥିବା ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନକୁ ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକଟ କରିଥିଲେ।

କ୍ରିପ୍ଟୋକରେନ୍ସିକୁ ନେଇ ସାରା ବିଶ୍ବରେ ଉତ୍ସାହ ରହିଛି। ବିଟକଏନ୍‌, ଏଥେରିଅମ୍, ଡୋଜ୍‌କଏନ୍ ଭଳି ଅନେକ ଡିଜିଟାଲ୍ ମୁଦ୍ରାର ପ୍ରଚଳନ ଓ ବ୍ୟବହାର ବଢ଼ିବାରେ ଲାଗିଛି। ଏହି ପ୍ରଯୁକ୍ତିକୁ ଗ୍ରହଣ କରିବାରେ ଭାରତ ପଛରେ ରହିଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହୁନାହାନ୍ତି। ‌ସେଥିପାଇଁ ଗତ ଶନିବାର ଏକ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ଯୋଗ ଦେଇଥିଲେ। ବିଶେଷଜ୍ଞ ଓ ଅଂଶୀଦାରମାନଙ୍କ ସହ ଆଲୋଚନା ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। କ୍ରିପ୍ଟୋକରେନ୍ସି ନାମରେ ବିଭ୍ରାନ୍ତୀକରଣ ବିଜ୍ଞାପନ ଓ ପୂରଣ କରାଯାଇପାରୁନଥିବା ପ୍ରତିଶ୍ରୁତି ଦେଇ ଦେଶର ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରାନଯାଉ ବୋଲି ପ୍ରଧାନମନ୍ତ୍ରୀ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ନିୟନ୍ତ୍ରଣ ବାହାରେ ଥିବା କ୍ରିପ୍ଟୋ ବଜାରକୁ ମନି ଲଣ୍ଡରିଂ ଓ ଆତଙ୍କବାଦୀ ପାଣ୍ଠି ହାସଲ ଭଳି କାର୍ଯ୍ୟ ଠାରୁ ଦୂରେଇ ରଖିବା ଲାଗି ଉଦ୍ୟମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଡିଜିଟାଲ୍ ମୁଦ୍ରା ବା କ୍ରିପ୍ଟୋକରେନ୍ସିକୁ ନେଇ ଭାରତ ଏହାର ସ୍ଥିତି ସ୍ପଷ୍ଟ କରିପାରୁନାହିଁ। କେବଳ ଇଣ୍ଟରନେଟ୍ ଦୁନିଆରେ ପ୍ରଚଳନ ହେଉଥିବା ଏହି ମୁଦ୍ରାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ ଚିନ୍ତିତ ଅଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବହୁବାର ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୮ରେ କ୍ରିପ୍ଟୋକରେନ୍ସିକୁ ଦେଶରେ ନିଷିଦ୍ଧ ଘୋଷଣା କରାଯାଇଥିଲା। ୨୦୨୦ ମାର୍ଚ୍ଚରେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଛି। ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ କାର୍ଯ୍ୟ କରୁଛି। ସେହିପରି, କେନ୍ଦ୍ର ସରକାର ମଧ୍ୟ କ୍ରିପ୍ଟୋକରେନ୍ସିକୁ ନେଇ ଏକ ଚିଠା ନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ସଂସଦର ବଜେଟ୍‌ ଅଧିବେଶନରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର