ଭୁବନେଶ୍ୱର: ସରକାରୀ ସେବାକୁ ସୁବିଧାରେ ଓ ନିରପେକ୍ଷ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାରେ କମନ୍ ସର୍ଭିସ ସେଣ୍ଟର (ସିଏସ୍‌ସି) ଏକ ପ୍ରମୁଖ ମାଧ୍ୟମ ହୋଇଛି। ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ସିଏସ୍‌ସି ମାଧ୍ୟମରେ ଲୋକଙ୍କ ଖାତାରେ ସିଧାସଳଖ ଟଙ୍କା ପହଞ୍ଚୁଛି ବୋଲି ଆଜି କୃଷି ଭବନଠାରେ ଆୟୋଜିତ ‘କମନ୍ ସର୍ଭିସ ସେଣ୍ଟର୍’ର ୧୬ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଏସ୍‌ସି ବ୍ୟବସ୍ଥାକୁ ଆଜି ୧୬ ବର୍ଷ ପୂରଣ ହୋଇଥିବାରୁ ସିଏସ୍‌ସି ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି, ଏବେ ସାଧାରଣ ସେବା କେନ୍ଦ୍ର ଗୁଡ଼ିକର ରୂପରେଖ ବଦଳିଛି।  ସିଏସ୍‌ସି ଯୋଜନା ଡିଜିଟାଲ୍ ଇଣ୍ଡିଆର ଏକ ମୂଳଦୁଆ ପାଲଟିଛି।

Advertisment

୧୬ତମ ପ୍ରତିଷ୍ଠା ଦିବସ, ୪୫ ଲକ୍ଷ କୋଟିର କାରବାର

ସିଏସ୍‌ସି ମାଧ୍ୟମରେ ଗତ ୧୧ ବର୍ଷରେ ୪୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ମଜଭୁତ ହୋଇଛି। ସିଏସ୍‌ସି ଯୋଗୁଁ ଆଜି ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତ ସାଧାରଣ ସେବା ଲୋକଙ୍କ ହାତପାହାନ୍ତାରେ ପହଞ୍ଚିଛି। ସିଏସ୍‌ସି ସେଣ୍ଟର ଅନେକ ଲୋକଙ୍କୁ ରୋଜଗାର ଦେଇଛି। ଓଡ଼ିଶାର ସମସ୍ତ ଜିଲ୍ଲାରେ ୩୫ ହଜାରରୁ ଅଧିକ ସକ୍ରିୟ ସିଏସ୍‌ସି କେନ୍ଦ୍ର ଡିଜିଟାଲ୍ ସଶକ୍ତୀକରଣକୁ ଆଗେଇ ନେଉଛନ୍ତି। ରାଜ୍ୟର ସବୁ ସିଏସ୍‌ସି ସେଣ୍ଟରର କାରବାର ବାର୍ଷିକ ୫ ହଜାର କୋଟି ଟଙ୍କା ରହିଛି। ଏହି ୫ ହଜାର କୋଟି ଟଙ୍କାକୁ ଆଗାମୀ ୪ ବର୍ଷ ଭିତରେ ୧୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ପଡ଼ିବ। ଗ୍ରାହକଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ ସିଏସ୍‌ସି କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ପ୍ରଧାନ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅତିଥି ଭାବେ ଯୋଗ ଦେଇଥିଲେ। ସିଏସ୍‌ସି ଏସ୍‌ପିଭିର ସିଓଓ ଅକ୍ଷୟ ଝା ଉପସ୍ଥିତ ଥିଲେ। ସିଏସ୍‌ସି ଏସ୍‌ପିଭିର ରାଜ୍ୟ ମୁଖ୍ୟ ମଦନ ମୋହନ ରାଉତ ସ୍ବାଗତ ଭାଷଣ ଦେଇଥିଲେ ଓ ସିଏସ୍‌ସି ଏସ୍‌ପିଭିର ସିନିୟର୍‌ ମ୍ୟାନେଜର୍‌ ଦେବୀଦତ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।