ଭୁବନେଶ୍ବର: ଓଡ଼ିଶାରେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ୧୦ ବର୍ଷରେ ୧୩,୫୯୯ଟି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପ୍ରକଳ୍ପରେ ୪୩୧୨.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସିଏସ୍ଆର୍ ବୈଠକରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ଏମ୍ସିଏଲ୍, ଟାଟା ଷ୍ଟିଲ୍, ରୁଙ୍ଗ୍ଟା, ନାଲ୍କୋ, ଓଏମ୍ସି, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍, ହିନ୍ଦୁସ୍ତାନ ଏରୋନଟିକ୍, ସେଲ୍-ରାଉରକେଲା, ବେଦାନ୍ତ ଓ ଜେକେ ପେପର ସିଏସ୍ଆର୍ରେ ଅଧିକ ଖର୍ଚ୍ଚ କରିଛନ୍ତି। ପ୍ରମୁଖ ୧୦ଟି କମ୍ପାନିର ସିଏସ୍ଆର୍ ଖର୍ଚ୍ଚକୁ ବୈଠକରେ ଅନୁଧ୍ୟାନ କରାଯାଇଥିଲା।
ବୈଠକରୁ ଜଣାପଡ଼ିଛି ଯେ କମ୍ପାନିଗୁଡ଼ିକ ସିଏସ୍ଆର୍ ପାଣ୍ଠିକୁ ରାଜ୍ୟର ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟସେବା, ଗ୍ରାମ୍ୟ ଉନ୍ନୟନ, ସ୍ବଚ୍ଛ ଭାରତ, ପରିବେଶ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଜାତୀୟ ଐତିହ୍ୟ ସ୍ଥଳର ସୁରକ୍ଷା, ବସ୍ତି ଉନ୍ନୟନ, ଲିଙ୍ଗଗତ ସମାନତା ଓ ସଶକ୍ତୀକରଣ, ରିଲିଫ୍ ପାଣ୍ଠିକୁ ସହାୟତା, ସାମରିକ ବାହିନୀକୁ ସହାୟତା ଏବଂ ବୈଷୟିକ ଜ୍ଞାନକୌଶଳ ଆଦିରେ ଖର୍ଚ୍ଚ କରାଯାଇଛି।
ଏହି ଅବସରରେ ସିଏସ୍ଆର୍ ପାଣ୍ଠିର ସଠିକ୍ ଉପଯୋଗ ଉପରେ ଗୁରୁତ୍ବାରୋପ କରି ମୁଖ୍ୟ ସଚିବ ଶ୍ରୀ ଆହୁଜା କହିଥିଲେ ଯେ ସିଏସ୍ଆର୍ ପଦକ୍ଷେପ ରାଜ୍ୟ ତଥା ଦେଶର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସରକାରୀ ଘରୋଇ ସହଭାଗିତା (ପିପିପି) ସହଯୋଗକୁ ପ୍ରୋତ୍ସାହିତ କରୁଛି। ଶିଳ୍ପ ପ୍ରଭାବିତ ଅଞ୍ଚଳରେ ସଡ଼କ, ଭିତ୍ତିଭୂମି ବିକାଶ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଆଦିକୁ ଦୃଷ୍ଟି ଦେବାକୁ ଶିଳ୍ପସଂସ୍ଥାଗୁଡ଼ିକୁ ସେ ଆହ୍ବାନ ଦେଇଛନ୍ତି। ପ୍ରମୁଖ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଦକ୍ଷତା ବିକାଶ, ଜୀବିକା ନିର୍ବାହ, କ୍ରୀଡ଼ାର ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/csir.jpg)