ସିଏସ୍ଆର ଅର୍ଥ ଖର୍ଚ୍ଚରେ ପାତରଅନ୍ତର
୪ ଜିଲ୍ଲାରେ ଖର୍ଚ୍ଚ ହୋଇଛି ୬୨%, ପଛୁଆ ଜିଲ୍ଲାରେ କମ୍ ଅର୍ଥ ବ୍ୟୟ
ଭୁବନେଶ୍ୱର: ରାଜ୍ୟର ଆଦିବାସୀ ବହୁଳ ଏବଂ ପଛୁଆ ଜିଲ୍ଲା ଗୁଡ଼ିକରେ କମ୍ପାନି ଗୁଡ଼ିକ ସିଏସ୍ଆର୍ (କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ) ବାବଦ ଅର୍ଥକୁ କମ୍ ମାତ୍ରାରେ ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଅପେକ୍ଷାକୃତ ଭାବେ ଆଗୁଆ ଜିଲ୍ଲାରେ ଅଧିକ ଅର୍ଥ ଖର୍ଚ୍ଚ କରି ପାତରଅନ୍ତର କରାଯାଇଛି ରାଜ୍ୟର ପ୍ରାୟ ୨୭୯ଟି କମ୍ପାନି ୨୦୧୫-୧୬ ଆର୍ଥିକ ବର୍ଷରୁ ଏ ପର୍ଯ୍ୟନ୍ତ ୧୭୦୦ କୋଟିରୁ ଅଧିକ ଅର୍ଥ ଜମା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ମୋଟ ଅର୍ଥ ମଧ୍ୟରୁ ୬୨ ପ୍ରତିଶତ ଅର୍ଥ କେବଳ ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁରରେ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ବୌଦ୍ଧ, ନୂଆପଡ଼ା ଏବଂ ଦେବଗଡ଼ ଭଳି ପଛୁଆ ଜିଲ୍ଲାରେ ଏ ବାବଦରେ କୌଣସି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ମୋଟ ଖର୍ଚ୍ଚର ୮୩ ପ୍ରତିଶତରୁ ଅଧିକ ଅର୍ଥ ରାଜ୍ୟର ୧୦ଟି ଜିଲ୍ଲାରେ ଖର୍ଚ୍ଚ କରାଯାଇଛି। ନବରଙ୍ଗପୁର, ମାଲକାନଗିରି, ବରଗଡ଼, ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଖର୍ଚ୍ଚ ନୈରାଶ୍ୟଜନକ ବୋଲି ରାଜ୍ୟର ବିଭିନ୍ନ ସାମାଜିକ ସଙ୍ଗଠନ ଓ କମ୍ପାନିର ସିଏସ୍ଆର୍ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ମତପ୍ରକାଶ ପାଇଛି। କମ୍ପାନିମାନେ କାର୍ଯ୍ୟ କରୁଥିବା ଅଞ୍ଚଳରେ ରାଜନୈତିକ ଓ ପ୍ରଶାସନିକ ଚାପ ସମେତ ସିଏସ୍ଆର୍ ଓ ଥଇଥାନ ଓ ପୁନର୍ବାସ ଆଇନରେ ରହିଥିବା ଅସ୍ପଷ୍ଟତା ଯୋଗୁଁ ସମ୍ବଳର ସିଂହଭାଗ ଅଳ୍ପ ସଂଖ୍ୟକ ଜିଲ୍ଲାରେ ଖର୍ଚ୍ଚ ହେଉଛି ବୋଲି ବକ୍ତାମାନେ ମତ ଦେଇଥିଲେ। କୌଣସି କାର୍ଯ୍ୟକ୍ରମର ଶୂନ୍ୟ ସ୍ଥାନ ପୂରଣରେ ସିଏସ୍ଆର୍ ଅର୍ଥକୁ ବିନିଯୋଗ କରା ନଯାଇ ଦୀର୍ଘ ମିଆଦୀ ବିକାଶ କ୍ଷେତ୍ରରେ ଏହି ରାଶିର ବିନିଯୋଗ ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ ବୋଲି କୁହାଯାଇଥିଲା। ଓଡ଼ିଶା ବିକାଶ ଫୋରମ୍ ତରଫରୁ ଏଫ୍ଆଇଡିଆର୍ ଓ ସିଓ୍ଵାଇଏସ୍ଡିର ମିଳିତ ଉଦ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା। ସାମାଜିକ ଅନୁଷ୍ଠାନ, ସିଏସ୍ଆର୍ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ଏକ ଉତ୍ତମ ଯୋଗସୂତ୍ର ରଖିବା ସହିତ ଏମାନଙ୍କୁ ନେଇ ଏକ ‘ସିଏସ୍ଆର୍ ଓ୍ଵାଚ୍’ ଗଠନ ପାଇଁ ବୈଠକରେ ପ୍ରସ୍ତାବ ରଖାଯାଇଥିଲା। ଏହି ଆଲୋଚନାଚକ୍ରରେ ସିଆଇଆଇ ଓଡ଼ିଶା ଶାଖା ଆବାହକ ତଥା ଜେଏସ୍ପିଏଲ୍ର ପ୍ରଶାନ୍ତ ହୋତା, ନାଲ୍କୋର ସିଏସ୍ଆର୍ ମୁଖ୍ୟ ତଥା ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ଏଫଆଇଡିଆର୍ର ସମ୍ପାଦକ ଚାରୁଦତ୍ତ ପାଣିଗ୍ରାହୀ, ମଧୁମିତା ରାୟ, ସିଓ୍ଵାଇଏସ୍ଡିର ମାର୍ଗଦର୍ଶକ ଜଗଦାନନ୍ଦଙ୍କ ସମେତ ବିଭିନ୍ନ କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ।