ନୂଆଦିଲ୍ଲୀ : କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ଅଧୀନରେ କର୍ପୋରେଟ୍ ଜଗତ ବହୁ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛି ଓ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛି। ପ୍ରତିବର୍ଷ ଅଧିକରୁ ଅଧିକ ପାଣ୍ଠି ଖର୍ଚ୍ଚ ହେଉଛି। କିନ୍ତୁ ସେହି ଅନୁସାରେ ଏହି କାର୍ଯ୍ୟକ୍ରମର ଲାଭ ଅନୁଭୂତ ହେଉନାହିଁ। ସିଏସ୍ଆର୍ କାର୍ଯ୍ୟର ଲାଭ ବ୍ୟାପକ ହୋଇପାରୁନାହିଁ। ଏହାର ପ୍ରଭାବ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ସୀମିତ ରହିଛି ବୋଲି ସରକାର ଭାବୁଛନ୍ତି। ସିଏସ୍ଆର୍ର ଲାଭ ଯେଭଳି ସ୍ପଷ୍ଟ ଭାବେ ଅନୁଭୂତ ହେବ ସେଥିପାଇଁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କଂପାନିଗୁଡ଼ିକୁ ଆହ୍ବାନ ଦିଆଯାଇଛି।
ଏକ ନିଉଜ୍ଲେଟର୍ରେ ମନ୍ତ୍ରାଳୟ କହିଛି ଯେ ୨୦୧୫-୧୬ ତୁଳନାରେ ୨୦୨୦-୨୧ରେ ସିଏସ୍ଆର୍ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟୟ ୮୦% ବୃଦ୍ଧି ପାଇ ୨୬,୨୧୦ କୋଟି ଟଙ୍କାରେ ପହଞ୍ଚିଛି। ଏତେ ମୋଟା ଅଙ୍କର ବ୍ୟୟ ହେଉଥିଲେ ମଧ୍ୟ ସେହି କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବ ସେତେଟା ଅନୁଭୂତ ହେଉନାହିଁ। ସିଏସ୍ଆର୍ ପାଣ୍ଠି ବ୍ୟୟରେ ଆଞ୍ଚଳିକ ବୈଷମ୍ୟ ମଧ୍ୟ ରହିଛି। ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଅଧିକ ପାଣ୍ଠି ବ୍ୟୟ କରାଯାଉଛି। ପ୍ରାୟ ୪୪ ପ୍ରତିଶତ ପାଣ୍ଠି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ ଭଳି ୧୦ଟି ସ୍ବଚ୍ଛଳ ରାଜ୍ୟରେ ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୦.୯୧% ରାଶି ଉତ୍ତର-ପୂର୍ବାଞ୍ଚଳରେ ଥିବା ରାଜ୍ୟଗୁଡ଼ିକରେ ବ୍ୟୟ କରାଯାଇଛି। ତେଣୁ ସିଏସ୍ଆର୍ କାର୍ଯ୍ୟକ୍ରମ ଲାଗି ସ୍ଥାନ ଚୟନ କରିବା ବେଳେ ଜାତୀୟ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ କଂପାନିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସିଏସ୍ଆର୍ ଖର୍ଚ୍ଚ ବେଳେ କାର୍ଯ୍ୟକ୍ଷେତ୍ରର ଆଖପାଖ ଅଞ୍ଚଳକୁ ପ୍ରାଥମିକତା ଦେବାକୁ କଂପାନି ନିୟମ ୨୦୧୩ର ଧାରା ୧୩୫ (୫)ରେ କୁହାଯାଇଛି। ସେଥିପାଇଁ ସିଏସ୍ଆର୍ ବ୍ୟୟରେ ଆଞ୍ଚଳିକ ବୈଷମ୍ୟ ଦେଖାଯାଉଛି ବୋଲି ମନ୍ତ୍ରାଳୟ ଭାବୁଛି। ଏହି ଧାରା ବାଧ୍ୟତାମୂଳକ ନୁହେଁ।
କଂପାନିଗୁଡ଼ିକ ଅନ୍ୟ ଅଞ୍ଚଳରେ ମଧ୍ୟ କାମ କରିପାରିବେ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସିଏସ୍ଆର୍ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଦୀର୍ଘସ୍ଥାୟୀ ହୋଇପାରିବ ଏବଂ କଂପାନି ପାଣ୍ଠି ବିନା ଜାରି ରହିପାରିବ, ସେଭଳି ମଡେଲ୍ ବିକାଶ କରିବାକୁ କଂପାନିଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ତିନିଟି କ୍ଷେତ୍ର ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶରେ ଅଧିକାଂଶ ବ୍ୟୟ ହେଉଛି। ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ୩୭ ପ୍ରତିଶତ, ସ୍ବାସ୍ଥ୍ୟରେ ୩୦ ପ୍ରତିଶତ ଓ ଗ୍ରାମୀଣ ବିକାଶରେ ୯.୬ ପ୍ରତିଶତ ସିଏସ୍ଆର୍ ପାଣ୍ଠି ବ୍ୟୟ କରାଯାଇଥିଲା।