ଭୁବନେଶ୍ୱର: କମ୍ପାନି ଗୁଡ଼ିକ ସେମାନଙ୍କ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ(ସିଏସ୍ଆର୍) ଅଧୀନରେ ବ୍ୟୟ କରୁଥିବା ଅର୍ଥରାଶିରେ ସମାନତା ରହୁନାହିଁ। ସମାନୁପାତିକ ଭାବେ ଏହି ଅର୍ଥ ରାଜ୍ୟର ବିଭିନ୍ନ ଅଂଚଳରେ ଖର୍ଚ ହେଉନାହିଁ। ଅସମାନତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସିଏସ୍ଆର୍ କାର୍ଯ୍ୟକଳାପକୁ ପ୍ରଣାଳୀବଦ୍ଧ କରିବା ଏବଂ ରାଜ୍ୟ ଦ୍ୱାରା ବିକଶିତ କେ କେୟାର ( ଗଭର୍ଣ୍ଣମେଣ୍ଟ୍ ଅଫ୍ ଓଡ଼ିଶା ସିଏସ୍ଆର୍ ଆଡ୍ମିନିଷ୍ଟ୍ରେସନ୍ ଆଣ୍ଡ୍ ରେସ୍ପନ୍ସିଭ ଏନ୍ଗେଜ୍ମେଣ୍ଟ୍) ସମ୍ପର୍କରେ ରାଜ୍ୟର ପ୍ରମୁଖ କର୍ପୋରେଟ ସଂସ୍ଥା ଗୁଡ଼ିକ ସହିତ ରାଜ୍ୟ ସରକାର ଆଜି ଆଲୋଚନା କରିଛନ୍ତି।ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଅଧ୍ୟକ୍ଷତା କରି ବିଭିନ୍ନ ଜିଲ୍ଲାରେ ସିଏସ୍ଆର୍ ବ୍ୟୟରେ ଦେଖାଦେଉଥିବା ଅସମାନତା ସମ୍ପର୍କରେ କହିଥିଲେ। ପୋର୍ଟାଲ ଦର୍ଶାଇଛି, ୨୦୧୪-୧୭ରେ ରାଜ୍ୟର ୧୦ଟି ଜିଲ୍ଲାରେ ମୋଟ ସିଏସ୍ଆର୍ ବ୍ୟୟବରାଦର ୯୩ ପ୍ରତିଶତ ଅର୍ଥ ଖର୍ଚ ହୋଇଛି।
ଏହି ବୈଠକରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍ଏସ୍ଇପିଡି) ପ୍ରମୁଖ ସଚିବ ନୀତେନ ଚନ୍ଦ୍ରା ଓ ଏସ୍ଏସ୍ଇପିଡି ନିର୍ଦେଶିକା ମାନସୀ ନିମ୍ଭଲ ଉପସ୍ଥିତ ଥିଲେ।ବୈଠକରେ ଶ୍ରୀ ଚନ୍ଦ୍ରା କହିଥିଲେ ୨୦୧୭ ଏପ୍ରିଲ ୧୯ରୁ କାର୍ଯ୍ୟକାରୀ ହୋଇଥିବା ଏବଂ ଘରୋଇ ସଂସ୍ଥାକୁ ଏହା ପରିସରକୁ ଆଣିଥିବା ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, କର୍ପୋରେଟ୍ ଗୁଡ଼ିକ ଭିନ୍ନକ୍ଷମମାନଙ୍କୁ ମଧ୍ୟ ସମାନ ପରିମାଣର ନିଯୁକ୍ତି ଦେବାକୁ ପଦକ୍ଷେପ ନେବା ଉଚିତ।ରାଜ୍ୟ ସରକାର ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସିଏସ୍ଆର୍ କାଉନ୍ସିଲ୍ ଗଠନ କରିଛନ୍ତି। ସିଏସ୍ଆର୍ କାର୍ଯ୍ୟକୁ ପ୍ରଣାଳୀବଦ୍ଧ କରିବା ଏବଂ ବିଭିନ୍ନ ଜିଲ୍ଲାରେ ସିଏସ୍ଆର୍ ବ୍ୟୟରେ ରହିଥିବା ଅସମାନତାକୁ ଦୂର ଓ ରାଜ୍ୟର ବିକାଶ ଚାହିଦା ମୁତାବକ ସିଏସ୍ଆର୍ କାର୍ଯ୍ୟକଳାପକୁ ଶ୍ରେଣୀବଦ୍ଧ କରିବା ଦିଗରେ ଏହି କାଉନସିଲ କାର୍ଯ୍ୟ କରିବ। ଡିସେମ୍ବରରେ ସିଏସ୍ଆର୍ କାଉନ୍ସିଲ୍ର ପ୍ରଥମ ବୈଠକରେ ଜିଲ୍ଲାଗୁଡ଼ିକ ଏବଂ ଜନମଙ୍ଗଳ ବିଭାଗ ଦ୍ୱାରା କମ୍ପାନି ଗୁଡ଼ିକୁ ଦିଆଯାଇଥିବା ୮୦୦ରୁ ଅଧିକ ପ୍ରକଳ୍ପକୁ ସିଏସ୍ଆର୍ କାର୍ଯ୍ୟଭାବେ ଗ୍ରହଣ କରିବାକୁ ସୁପାରିସ କରାଯାଇଛି। ବୈଠକରେ କୁହାଯାଇଥିଲା ଯେ, ଗୋ କେୟାର ପୋର୍ଟାଲରେ ଜିଲ୍ଲା ଓ ବ୍ଲକସ୍ତରର ମାନବ ବିକାଶ ସୂଚକାଙ୍କ ରହିଛି। କମ୍ପାନି ଗୁଡ଼ିକ ସେମାନଙ୍କ ସିଏସ୍ଆର୍ ବାବଦ ବ୍ୟୟ ଲାଗି ପ୍ରକଳ୍ପ ଚୟନ କରିବାରେ ଏହି ପୋର୍ଟାଲ ସହାୟକ ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/csr-1.jpg)