ସିଏସ୍‌ଆର୍‌ରେ ଖର୍ଚ ହେବ ୫୦ ହଜାର କୋଟି

ଭୁବନେଶ୍ୱର: ସାରା ଦେଶରେ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟରେ ୫୦ ହଜାର କୋଟି ଟଙ୍କା ଖର୍ଚ କରିବେ ବୋଲି ନାଲ୍‌କୋର ସିଏମ୍‌୍‌ଡି ଡକ୍ଟର ଟି କେ ଚାନ୍ଦ ଆକଳନ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ସିଏସ୍‌ଆର୍‌ ସମାବେଶରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ ଚିହ୍ନଟ ହୋଇଥିବା ଆକାଂକ୍ଷୀ ଜିଲ୍ଲାରେ ସିଏସ୍‌ଆର୍‌ କାର୍ଯ୍ୟର ପ୍ରଭାବ ଆକଳନ କରିବା ପାଇଁ ସିଆଇଆଇ ଯେଉଁ ଜିଲ୍ଲା ସ୍ତରୀୟ କନ୍‌ସଲ୍‌ଟେଟିଭ୍‌ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି ତାହା ସ୍ୱାଗତଯୋଗ୍ୟ। ଦେଶରେ ୧୧୬ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୮ଟି ଜିଲ୍ଲା ନାମ ରହିଛି। ଏହି ସବୁ ଜିଲ୍ଲାରେ କଂପାନିଗୁଡ଼ିକର ସିଏସ୍‌ଆର୍‌ କାର୍ଯ୍ୟକ୍ରମ କିଭଳି ରହିଛି ତାହାର ଏକ ରିପୋର୍ଟ ସିଆଇଆଇ ପ୍ରସ୍ତୁତ କରିବ। ଜାତୀୟ ସଂସ୍ଥାଗୁଡ଼ିକର ୫୦ ସିଏସ୍‌ଆର୍‌ ମୁଖ୍ୟ ୪୦ କ୍ରିୟାନ୍ଵୟନ ସହଯୋଗୀ ଓ ୮ ଆକାଂକ୍ଷୀ ଜିଲ୍ଲାର ପ୍ରତିନିିଧିଙ୍କ ସହ ହାତ ମିଳାଇ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବେ। ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍‌ ବି କେ ମିଶ୍ର କହିଛନ୍ତି ଯେ, କଂପାନିଗୁଡ଼ିକ ଅର୍ଥପୂର୍ଣ୍ଣ ସିଏସ୍‌ଆର୍‌ କାମ କରିବା ଦରକାର ଯାହା ପ୍ରକଳ୍ପ ପ୍ରଭାବିତ ଲୋକଙ୍କୁ ଖୁସି କରିପାରିବ। ଏହା ଦ୍ୱାରା ସେମାନେ ଲୋକମାନଙ୍କ ବିଶ୍ୱାସ ଜିତିପାରିବେ। ଏହି ଅବସରରେ ଆର୍‌ଏସ୍‌ବି ମେଟାଲ୍‌ଟେକ୍‌ର ସିଇଓ ବିମଳ ମିଶ୍ର, ଉତ୍ତର ଓଡ଼ିଶା ଜୋନ୍‌ ପରିଷଦର ଅଧ୍ୟକ୍ଷ ଏସ୍‌ ଏସ୍‌ ଉପାଧ୍ୟାୟ, ନାଲ୍‌କୋର ନିର୍ଦେଶକ (ମାନବ ସମ୍ବଳ) ବି କେ. ଓ ଗୋଦ୍‌ରେଜ୍‌ ଆଣ୍ଡ ବୋଏସ୍‌ର ପୂର୍ବତନ ସିଏସ୍‌ଆର୍‌ ମୁଖ୍ୟ ସୀମା ତିଓ୍ଵାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର