ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି: ଆଇସିୟୁରୁ ବାହାରେ, କିନ୍ତୁ ସୁସ୍ଥ ହୋଇନି

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆ‌ଇଏମ୍‌ଏଫ୍)ଠାରୁ ଆରମ୍ଭ କରି ପ୍ରମୁଖ ଶିଳ୍ପ ସଂସ୍ଥାର ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତକୁ ଚୀନ୍‌ର ବିକଳ୍ପ ଭାବେ ମଧ୍ୟ ବିଚାର କରାଯାଉଛି। କିନ୍ତୁ ଅର୍ଥନୀତିଜ୍ଞମାନେ ଭାରତୀୟ ଅର୍ଥନୀତିର କିଛି ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡକୁ ନେଇ କରିଥିବା ଅନୁଶୀଳନ ପରେ ଭିନ୍ନ ମତ ଦେଇଛନ୍ତି। ସେମାନଙ୍କ ମତରେ କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘଦିନ ଅସୁସ୍ଥ ରହିଥିବା ଭାରତୀୟ ଅର୍ଥନୀତିର ସ୍ଥିତି ଆଉ ସଙ୍କଟାପନ୍ନ ରୋଗୀଙ୍କ ଭଳି ନାହିଁ। ଏହା ଆଇସିୟୁ ବାହାରକୁ ଆସିଛି। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହୋଇନାହିଁ। ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ଲାଗି ଡାକ୍ତରଙ୍କୁ ଧ୍ୟାନ ଦେବାକୁ ପଡ଼ୁଛି। ଏହା ଜରିଆରେ ଅର୍ଥନୀତିଜ୍ଞମାନେ ଏହା ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ଯଦିଓ ଭାରତୀୟ ଅର୍ଥନୀତି ନିଜ ମେରୁଦଣ୍ଡ ସଳଖିବାରେ ସକ୍ଷମ ହୋଇଛି, କିନ୍ତୁ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହୋଇନାହିଁ। ଆଗକୁ ଯିବା ଲାଗି ସରକାରଙ୍କ ହସ୍ତକ୍ଷେପ ଦରକାର ପଡ଼ୁଛି।

କଳ କାରଖାନାର ଉତ୍ପାଦନ ତଥ୍ୟର ଅନୁଶୀଳନରୁ ଅର୍ଥନୀତିର ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ। ଦେଶରେ ଟିକସ ରାଜସ୍ବ ବୃଦ୍ଧି ପାଉଥିବା ବେଳେ କାରଖାନାରୁ ଉତ୍ପାଦନରେ ହେଉଥିବା ବୃଦ୍ଧି ଗତ ତିନି ବର୍ଷରେ ସାମାନ୍ୟ ରହିଛି। ଏହି ଦୁଇ ତଥ୍ୟରେ ଅସଙ୍ଗତିକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତେଣୁ ସେମାନେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନୁଶୀଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ମୋଟ ଘରୋଇ ଉତ୍ପାଦ (ଜିଡିପି), କଳ କାରଖାନାରେ ଉତ୍ପାଦନ, ଋଣ ଓ ଟିକସ ସଂଗ୍ରହ, ଆ‌ମଦାନି ଓ ରପ୍ତାନି ଏବଂ ଦୁଇଚକିଆ ଓ ଚାରିଚକିଆ ଯାନ ବିକ୍ରି ତଥ୍ୟ ବିଚାରକୁ ନେଇଥିଲେ। ସେଥିରୁ ତିନିଟି କଥା ସାମ୍ନାକୁ ଆସିଥିଲା। ପ୍ରଥମ ବିଷୟ ହେଉଛି ସବୁ ତଥ୍ୟ ଭିନ୍ନ ପ୍ରକାରର ଥିବାରୁ ତାହାକୁ ଅନୁଶୀଳନ କରିବା କଷ୍ଟକର ଥିଲା। ଦ୍ବିତୀୟ ବିଷୟଟି ହେଉଛି ଜିଡିପି, କାରଖାନା ଉତ୍ପାଦନ, ଋଣ ଓ ଗାଡ଼ି ବିକ୍ରି ତଥ୍ୟରୁ ଅର୍ଥନୀତିରେ ସୁଧାର ହୋଇଥିବା ସଙ୍କେତ ମିଳିଛି। କିନ୍ତୁ ଗତ ଅଢ଼େଇ ବର୍ଷ ଭିତରେ ସେଥିରେ ସର୍ବାଧିକ ୯ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟ ପକ୍ଷରେ ଅଣ ତୈଳ ରପ୍ତାନିରେ ୧୮%, ଆମଦାନିରେ ୨୪ ପ୍ରତିଶତ ଓ ମୋଟ ଟିକସ ରାଜସ୍ବରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ଉଭୟ ପ୍ରକାର ତଥ୍ୟ ପରସ୍ପରର ବିରୋଧାଭାସ କରୁଛି।

ଗତ କିଛି ମାସ ଭିତରେ ଆୟ ବଣ୍ଟନରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ମଜୁରି ତୁଳନାରେ ଲାଭର ଗୁରୁତ୍ବ ବଢ଼ିଛି। ଅଣସଂଗଠିତ କ୍ଷେତ୍ର ସଂଗଠିତ ହୋଇଛି। ନିଯୁକ୍ତିରେ ଦକ୍ଷ ଶ୍ରମ ଶକ୍ତିଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଆୟ ଓ ଉପଯୋଗିତା ବଢ଼ିଥିବା ବେଳେ ସେମାନେ ଅଧିକ ଟିକସ ମଧ୍ୟ ଦେଉଛନ୍ତି। କିନ୍ତୁ ସେହି ସମୟରେ ଗରିବ ଲୋକମାନଙ୍କ ଉପଯୋଗିତା ହ୍ରାସ ପାଇଛି। ଶେଷରେ ଅର୍ଥନୀତିଜ୍ଞମାନେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ ଦୀର୍ଘ ଦିନର ଅସୁସ୍ଥତା ପରେ ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟରେ ସୁଧାର ଘଟିଛି। ଅର୍ଥନୀତି ଅଣ୍ଟା ସଳଖି ଠିଆ ହୋଇଛି ଓ ଚାଲୁଛି ମଧ୍ୟ। କିନ୍ତୁ ଦୌଡ଼ି ପାରୁନାହିଁ।

 

ଅନ୍ୟ ପକ୍ଷରେ, ନୋବଲେ୍ ବିଜୟୀ ଅର୍ଥନୀତିଜ୍ଞ ତଥା ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଏ ମା‌ଇକେଲ୍ ସ୍ପେନ୍ସ କହିଛନ୍ତି ଯେ ବଡ଼ ଉଦୀୟମାନ ଦେଶଗୁଡ଼ିକ ମଧ୍ୟରେ ଭାରତର ଅଭିବୃଦ୍ଧି ସର୍ବାଧିକ ୭ ପ୍ରତିଶତରୁ ଅଧିକ ରହିଛି। ଏହା ସବୁଠୁ ପସନ୍ଦର ନିବେଶ ସ୍ଥଳରେ ପରିଣତ ହୋଇଛି। ଅଭିବୃଦ୍ଧି ପାଇଁ ଭାରତ କୌଣସି ଏକ ନିର୍ଦିଷ୍ଟ କ୍ଷେତ୍ର ଉପରେ ନିର୍ଭରଶୀଳ ରହିନାହିଁ। ଏହାର କିଛି କ୍ଷେତ୍ର ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଛନ୍ତି। ଆସନ୍ତା ଦଶନ୍ଧିରେ ଭାରତ ଏକ ବଡ଼ ଶକ୍ତି ଭାବେ ଉଭା ହେବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର