ଗ୍ରାହକଙ୍କୁ ଠକିବା ମହଙ୍ଗା ପଡ଼ିଲା: ୟୁନିଟେକ୍‌କୁ କବ୍‌ଜା କରିବେ ସରକାର

ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍‌ କଂପାନି ୟୁନିଟେକ୍‌ ଉପରେ ସରକାର କବ୍‌ଜା କରିବେ। ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ଏହି ନିର୍ଦେଶ ଦେଇଛନ୍ତି। ୟୁନିଟେକ୍‌ରେ ଏବେ ନିର୍ଦେଶକ ଭାବେ କାମ କରୁଥିବା ସମସ୍ତ ନିର୍ଦେଶକଙ୍କୁ ପଦରୁ ବରଖାସ୍ତ କରାଯାଇଛି। ଚାରି ସପ୍ତାହ ଭିତରେ ୟୁନିଟେକ୍‌ ପାଇଁ ୧୦ ନିର୍ଦେଶକଙ୍କୁ ମନୋନୀତ କରିବାକୁ କେନ୍ଦ୍ର ସରକାରଙ୍କୁ ଟ୍ରିବ୍ୟୁନାଲ୍‌ କହିଛି। ୟୁନିଟେକ୍‌ର କୌଣସି ନିର୍ଦେଶକ ସଂସ୍ଥାର କିମ୍ବା ନିଜ ବ୍ୟକ୍ତିଗତ ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ। ଟ୍ରିବ୍ୟୁନାଲ୍‌ ଏହି କଠୋର କଟକଣା ଲଗାଇଛନ୍ତି। ଟ୍ରିବ୍ୟୁନାଲ୍‌ଙ୍କ ରାୟ ଉପରେ ଆପତ୍ତି ଅଭିଯୋଗ କରିବା ପାଇଁ ୟୁନିଟେକ୍‌କୁ ମଧ୍ୟ ସମାନ ଚାରି ସପ୍ତାହର ମହଲତ ପ୍ରଦାନ କରାଯାଇଛି। ଅତୀତରେ ୟୁନିଟେକ୍‌ ଦେଶର ଦ୍ୱିତୀୟ ବଡ଼ ରିଅଲ ଇଷ୍ଟେଟ୍‌ କଂପାନି ଥିଲା।

ୟୁନିଟେକ୍‌ ଏବଂ ଏହାର ସହଯୋଗୀ କଂପାନି ୧୯,୦୦୦ଟି ଘର ଗ୍ରାହକମାନଙ୍କୁ ପ୍ରଦାନ କରିବାରେ ବିଫଳ ହୋଇଥିଲେ। କଂପାନି ବିରୋଧରେ ଗ୍ରାହକମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ନୋଏଡା ଏବଂ ଗୁରୁଗ୍ରାମ ପ୍ରକଳ୍ପରେ ଗ୍ରାହକଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରିବାରେ ବିଫଳ ହେବା ପରେ କଂପାନିର ମୁଖ୍ୟ ରମେଶ ଚନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଜାମିନ ମିଳିନାହିଁ। ୟୁନିଟେକ୍‌ର ମାଲିକାନା ନିଜ ହାତକୁ ଆଣିବା ପାଇଁ କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କଂପାନି ଲ’ ଟ୍ରିବ୍ୟୁନାଲ୍‌ ନିକଟରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ବିଚାରପତି ଏମ୍‌ ଏମ୍‌ କୁମାରଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।

ସତ୍ୟମ୍‌ ଭଳି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କଂପାନି ନିୟମର ଯେଉଁ ଧାରା ଆଧାରରେ ସତ୍ୟମର ପରିଚାଳନା ବୋର୍ଡ ଉପରେ ସରକାର କବ୍‌ଜା କରିଥିଲେ, ୟୁନିଟେକ୍‌ ମାମଲାରେ ମଧ୍ୟ ସେଭଳି ପଦକ୍ଷେପ ନେଇଛନ୍ତି। ଲୋକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ସରକାର ଆଇନରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ୟୁନିଟେକ୍‌ ଉପରେ ଠକେଇ ଭଳି ଅଭିଯୋଗ ଲଗାଯାଇଛି। ଯଦି ତାହା ପ୍ରମାଣିତ ହେବ ତେବେ ଏହାର ପରିଚାଳନା ସହ ସମ୍ପୃକ୍ତ ଥିବା ଲୋକମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଯେଉଁ କଂପାନିର ପରିଚାଳନା ସାଧାରଣ ଲୋକଙ୍କ ସ୍ୱାର୍ଥ ବିରୋଧୀ ବୋଲି ସରକାରଙ୍କ ସନ୍ଦେହ ହୋଇଥାଏ ସେଭଳି ମାମଲାରେ କଂପାନି ନିୟମର ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଏ। ୨୦୦୯ରେ ସତ୍ୟମ ଦୁର୍ନୀତିର ପର୍ଦାଫାଶ ହେବା ପରେ ସରକାର ଠକେଇ ଉପରେ ଲଗାମ କଷିବା ପାଇଁ କଂପାନି ନିୟମର କେତେକ ଧାରାରେ ପରିବର୍ତନ କରିଥିଲେ। ସେହି ନୂତନ ଧାରା ଆଧାରରେ ୟୁନିଟେକ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ସେହି ଧାରା ଆଧାରରେ ଏନ୍‌ଏସ୍‌ଇଏଲ୍‌କୁ ଏହାର ମୂଳ କଂପାନି ଏଫ୍‌ଟିଆଇଏଲ୍‌ ସହ ମିଶ୍ରଣ କରାଯାଇଥିଲା।

ସମ୍ବନ୍ଧିତ ଖବର