ବ୍ୟାଙ୍କରେ ଗ୍ରାହକ ସେବା ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ମିଳିବ, ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ରଖିବେ

୫୦% କର୍ମଚାରୀରେ କାମ ହେବ, ସବୁ ବାଧ୍ୟତାମୂଳକ ସେବା ଜାରି ରହିବ

ଭୁବନେଶ୍ବର: କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଶାଖାଗୁଡ଼ିକରେ ଗ୍ରାହକ ସେବା ସମୟକୁ ହ୍ରାସ କରାଯାଇଛି। ଚଳିତ ମାସ ୨୬ ତାରିଖରୁ ‌ମେ’ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ଗ୍ରାହକମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାରବାର କରିପାରିବେ। ଯଦିଓ ଶାଖାଗୁଡ଼ିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ କିନ୍ତୁ ଗ୍ରାହକମାନଙ୍କୁ କାରବାର କରିବାର ସୁବିଧା କେବଳ ଦିନ ୨ଟା ପର୍ଯ୍ୟନ୍ତ ମିଳିବ। ଏହି ନିଷ୍ପତ୍ତି ବିଷୟରେ ଆଜି ଅର୍ଥ ବିଭାଗର ଉପ ସଚିବ ତାରାକାନ୍ତ ଭକ୍ତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ସଂଯୋଜକ ତଥା ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକଙ୍କୁ ଜଣାଇଛନ୍ତି। ମେ’ ୧୫ ପରେ ସ୍ଥିତିକୁ ଅନୁଧ୍ୟାନ କରି ପରବର୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ ବୋଲି ସେ ଜଣାଇଛନ୍ତି। ଏହି ସମୟ ଭିତରେ ଯେତେ ସବୁ ଶନିବାର ପଡ଼ିବ ସହରାଞ୍ଚଳରେ ଥିବା ବ୍ୟାଙ୍କ ଶାଖା ଓ କାର୍ଯ୍ୟାଳୟଗୁଡ଼ିକ ସପ୍ତାହନ୍ତ ସଟ୍‌ଡାଉନ୍ ନିୟମ ପାଳନ କରିବେ।

ବ୍ୟାଙ୍କର ଶାଖା ଓ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ୫୦% କର୍ମଚାରୀରେ ରୋଟେସନ୍ ଭିତ୍ତିରେ ପରିଚାଳିତ ହେବ। ମାତ୍ର ଯେଉଁ ଶାଖାରେ ୫ କିମ୍ବା ତା’ଠାରୁ କମ୍ କର୍ମଚାରୀ ଅଛନ୍ତି ସେଠାରେ କଣ୍ଟ୍ରୋଲିଂ ଅଫିସର ଶାଖାର ସଠିକ୍ ପରିଚାଳନା ଲାଗି ଉଚିତ ନିଷ୍ପତ୍ତି ନେବେ। ସାଧାରଣ ଜନତାଙ୍କୁ ଯେଭଳି ନିରବଚ୍ଛିନ୍ନ ବ୍ୟାଙ୍କ ସେବା ମିଳିବ ତାହାକୁ ସେ ନିଶ୍ଚିତ କରିବେ। ଆଲୋଚ୍ୟ ସମୟରେ ଜମା ଗ୍ରହଣ କରିବା, ନଗଦ ଟଙ୍କା ଉଠାଣ, ରେମିଟାନ୍ସ ଏବଂ ସରକାରୀ କାରବାର ଭଳି ବାଧ୍ୟତାମୂଳକ ସେବାକୁ ବ୍ୟାଙ୍କଗୁଡ଼ିକ ଜାରି ରଖିବେ। ସମସ୍ତ ଜିଲ୍ଲାରେ ଏଟିଏମ୍‌ଗୁଡ଼ିକରେ ଯଥେଷ୍ଟ ପରିମାଣର ଟଙ୍କା ରଖିବା ଲାଗି ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ଏହି ଉପଦେଶାବଳୀ ବ୍ୟତୀତ ଜିଲ୍ଲାପାଳ, ମୁନିସପାଲିଟି କମିସନର, ସ୍ଥାନୀୟ ପୁଲିସ କର୍ତ୍ତୃପକ୍ଷ, ଓ କଣ୍ଟେନ୍‌ମେଣ୍ଟ୍‌ ‌ଜୋନ୍ ପାଇଁ ଘୋଷଣା କରାଯାଇଥିବା ନିୟମଗୁଡ଼ିକୁ ମଧ୍ୟ ବ୍ୟାଙ୍କଗୁଡ଼ିକ ପାଳନ କରିବେ।

ସମ୍ବନ୍ଧିତ ଖବର