ନୂଆଦିଲ୍ଲୀ: ସାଇବର୍ କ୍ରାଇମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ଲାଇନ୍ ଠକମାନେ ଏବେ ବିଭିନ୍ନ ପ୍ରକାର ଉପାୟ ଆପଣେଇ ଠକାମୀ କରୁଥିବାର ଖବର ସାମ୍ନାକୁ ଆସୁଛି। ଏବେ ସାଇବର ଠକେଇର ଏକ ନୂଆ ତରିଆ ଟ୍ରେଣ୍ଡ୍ରେ ଅଛି। ଅନ୍ଲାଇନ୍ ଠକମାନେ ସେହି ତରିକା ଆପଣେଇ ଖୁବ୍ ସହଜରେ ଲୋକଙ୍କୁ ଠକି ପାରୁଛନ୍ତି। ଯେଉଁ ପରିବାରରୁ କେହି ବିଦେଶରେ ରହୁଛନ୍ତି, ସେହି ପରିବାର ଏବେ ଏହି ଠକାମୀର ବେଶି ଶିକାର ହେଉଛନ୍ତି। ଠକମାନେ ବିଦେଶରେ ରହୁଥିବା ଲୋକଙ୍କ ସହ ତାଙ୍କ ପରିବାରର ସମସ୍ତ ଲୋକଙ୍କ ବିଷୟରେ ତଥ୍ୟ ହାସଲ କରି ଠକିବା ଆରମ୍ଭ କରୁଛନ୍ତି।
ଚଣ୍ଡିଗଡ଼ ପୁଲିସ୍ ଏବେ ଏପରି ଏକ ଠକେଇ ମାମଲାର ସୂଚନା ଦେଇଛି। ପୁଲିସ୍ କହିବା ମୁତାବକ, ଜଣେ ଅଭିଯୋଗକାରୀ ଅନ୍ଲାଇନ୍ ଠକାମୀର ଶିକାର ହୋଇଥିବା କହି ଏକ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କର ଜଣେ ପୁତୁରା କାନାଡାରେ ପାଠ ପଢ଼େ।
ଦିନେ ତାଙ୍କ ଫୋନ୍କୁ ଏକ କଲ୍ ଆସିଲା। କଲ୍ କରିଥିଲା ଜଣେ ଅନ୍ଲାଇନ୍ ଠକ। ମାତ୍ର ସେ ନିଜକୁ ତାଙ୍କ ପୁତୁରାର ପରିଚୟ ଦେଇ ସେ ଏକ ଅସୁବିଧାରେ ଫସି ଯାଇଥିବା କଥା କହିଲା। ‘ମୋର ଜଣେ ଲୋକ ସହ ଗାଡ଼ି ଧକ୍କା ହୋଇଯାଇଛି। ତାକୁ ହସ୍ପିଟାଲ୍ ନେବାକୁ ଟଙ୍କା ଦରକାର। ସେ ମରିଗଲେ ମୋ ଉପରେ ପୁଲିସ୍ କେସ୍ ହେବ’ ଆଦି କହି ଅଭିଯୋଗକାରୀଙ୍କୁ ଭୁଆଁ ବୁଲାଇଥିଲା। ବ୍ୟକ୍ତି ଜଣକ ବି ଠକକୁ ନିଜ ପୁତୁରା ବୋଲି ଭାବି ଟଙ୍କା ପରେ ଟଙ୍କା ପଠାଇ ଚାଲିଥିଲେ। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଠକ ଜଣ ଏବେ ସୁଦ୍ଧା ତାଙ୍କଠାରୁ ପ୍ରାୟ ୮ ଲକ୍ଷ ଟଙ୍କା ଠକି ନେଇଛି।