ନୂଆଦିଲ୍ଲୀ: ସାଇବର୍ ଅପରାଧ ବା ଠକେଇରେ ଦେଶର ନାଗରିକମାନେ ୨୦୨୪ରେ ୨୨,୮୪୫.୭୩ କୋଟି ଟଙ୍କା ହରାଇଛନ୍ତି। ୨୦୨୩ରେ ସେମାନେ ସହିଥିବା କ୍ଷତି ତୁଳନାରେ ଏହା ୨୦୬ ପ୍ରତିଶତ ଅଧିକ। ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦି ସଞ୍ଜୟ କୁମାର ଦେଇଥିବା ସୂଚନା ଅନୁସାରେ ୨୦୨୩ରେ ସାଇବର୍ ଠକେଇରେ ଲୋକମାନେ ୭,୪୬୫.୧୮ କୋଟି ଟଙ୍କାର କ୍ଷତି ସହିଥିଲେ।
ଦେଶରେ ୨୦୨୨ରେ ୧୦,୨୯,୦୨୬ଟି, ୨୦୨୩ରେ ୨୪,୪୨,୯୭୮ଟି ଓ ୨୦୨୪ରେ ୩୬,୩୭,୨୮୮ଟି ସାଇବର୍ ଅପରାଧ ଘଟିଥିଲା। ମନ୍ତ୍ରୀଙ୍କ ସୂଚନା ଅନୁସାରେ ତ୍ବରିତ ପଦକ୍ଷେପ ଦ୍ବାରା ୧୮.୮୨ ଲକ୍ଷ ଅଭିଯୋଗ ମାମଲାରେ ୫୪୮୯ କୋଟି ଟଙ୍କା ବୁଡ଼ିବାରୁ ଉଦ୍ଧାର କରାଯାଇଥିଲା। ସାଇବର୍ ଅପରାଧ ଉପରେ ରୋକ ଲଗାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ୯.୪୨ ଲକ୍ଷ ସିମ୍ କାର୍ଡ ଓ ୨,୬୩,୩୪୮ ଆଇଏମ୍ଇଆଇ ନମ୍ବରକୁ ବ୍ଲକ୍ କରାଯାଇଛି। ବ୍ୟାଙ୍କଗୁଡ଼ିକଠାରୁ ୧୧ ଲକ୍ଷ ସନ୍ଦେହଜନକ ତଥ୍ୟ ଓ ୨୪ ଲକ୍ଷ ମ୍ୟୁଲ୍ ଖାତା ସମ୍ପର୍କିତ ସୂଚନା ମିଳିଥିଲା। ସେହି ଆଧାରରେ ୪୬୩୧ କୋଟି ଟଙ୍କା ଉଦ୍ଧାର କରାଯାଇପାରିଛି।