ନୂଆଦିଲ୍ଲୀ: ମିଳିତ ଭାବେ ସାଇବର୍ ଠକେଇର ମୁକାବିଲା କରିବାକୁ ଟେଲିକମ୍ କମ୍ପାନିଗୁଡ଼ିକ ହାତ ମିଳାଇବା ଉପରେ ବିଚାର କରୁଛନ୍ତି। ଭାରତୀ ଏୟାରଟେଲ୍ ଏହି ଅଭିଯାନର ନେତୃତ୍ବ ନେଇଥିବା ବେଳେ ଅନ୍ୟ କମ୍ପନି ଯଥା ଜିଓ, ଭୋଡାଫୋନ୍ ଆଇଡିଆ ଆଦିକୁ ସେଥିରେ ସାମିଲ ହେବାକୁ ଏହା ପତ୍ର ଲେଖିଛି। ଡିଜିଟାଲ୍ ଦୁନିଆରେ ଲୋକମାନଙ୍କୁ ଠକିବା ଲାଗି ହେଉଥିବା ଉଦ୍ୟମର ମିଳିତ ମୁକାବିଲା କରିବାକୁ ଏହା ସମସ୍ତ ଟେଲିକମ୍ କମ୍ପାନିକୁ ଆହ୍ବାନ ଦେଇଛି। ଏୟାରଟେଲ୍ ଜଣାଇଛି ଯେ ୨୦୨୪ର ପ୍ରଥମ ୯ ମାସରେ ୧.୭ ନିୟୁତରୁ ଅଧିକ ସାଇବର୍ ଆକ୍ରମଣ ମାମଲା ସାମ୍ନାକୁ ଆସିଥିଲା ଯାହାର ପ୍ରଭାବରେ ୧୧ ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା।
ସାଇବର୍ ଅପରାଧୀମାନେ ଦିନକୁ ଦିନ ଫିସିଂ ଲିଙ୍କ୍, ନକଲି ଋଣ ପ୍ରସ୍ତାବ, ଜାଲ୍ ପେମେଣ୍ଟ ପେଜ୍ ଆଦି ଅତ୍ୟାଧୁନିକ ଉପାୟରେ ଠକେଇ କରିବା ଲାଗି ଉଦ୍ୟମ କରୁଥିବା ଭଳି ଏକ ଗମ୍ଭୀର ସମୟରେ ଟେଲିକମ୍ କମ୍ପାନିଗୁଡ଼ିକୁ ମିଳିତ ଭାବେ ଏହି ସମସ୍ୟାର ମୁକାବିଲା କରିବାକୁ ଆହ୍ବାନ ଦିଆଯାଇଛି। ଟେଲିକମ୍ ସଚିବ ନୀରଜ ମିତ୍ତଲ ଓ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅଧ୍ୟକ୍ଷ ଅନୀଲ କୁମାର ଲୋହୋଟିଙ୍କୁ ଏକ ପତ୍ର ଲେଖି ଏୟାରଟେଲ୍ ଜଣାଇଛି ଯେ ସାଇବର୍ ଅପରାଧୀମାନେ ଦିନକୁ ଦିନ ଅତ୍ୟାଧୁନିକ ଉପାୟରେ ଠକେଇ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସମନ୍ବୟର ଯେଉଁ ଅଭାବ ରହିଛି ତାହାର ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି। ଏହାର ମୁକାବିଲା କରିବା ଲାଗି ଯୁଗ୍ମ ଟେଲିକମ୍ ଠକେଇ ଅଭିଯାନ ଆରମ୍ଭ କରିବାକୁ କମ୍ପାନି ଆହ୍ବାନ ଦେଇଛି।