ଓଡ଼ିଶାରେ ‘ସିକ୍ୟୋର୍‌ଆଇଜ୍‌’ର ସାଇବର୍‌ ନିରାପତ୍ତା ପାଠ୍ୟକ୍ରମ

ଭୁବନେଶ୍ୱର: ବେଙ୍ଗାଲୁରୁର ସାଇବର୍‌ ନିରାପତ୍ତା ସଂସ୍ଥା ସିକ୍ୟୋର୍‌ଆଇଜ୍‌ ପକ୍ଷରୁ ଓଡ଼ିଶାରେ ସାଇବର୍‌ ନିରାପତ୍ତା ପାଠ୍ୟକ୍ରମ ପ୍ରଦାନ କରାଯିବ। ଏନେଇ ସିକ୍ୟୋର୍‌ଆଇଜ୍‌୍‌ ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର୍‌ (ଓକାକ୍‌) ମଧ୍ୟରେ ବୁଝାମଣା ହୋଇଛି। ଓକାକ୍‌ ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱତନ୍ତ୍ର ତାଲିମ କେନ୍ଦ୍ରରେ ସିକ୍ୟୁର୍‌ ଆଇଜ୍‌ ପକ୍ଷରୁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ‘ହ୍ୟାକର୍ସ ବୁଟ୍‌ କ୍ୟାମ୍ପ୍‌ (ବିଗିନର୍ସ ଲେବଲ୍‌) ପ୍ରଦାନ କରାଯିବ। ଏ ସମ୍ପର୍କରେ କଂପାନିର ସିଇଓ କର୍ମେନ୍ଦ୍ର କୋହଲି କହିଛନ୍ତି ଯେ ଇଣ୍ଟରନେଟ୍‌ର ବ୍ୟବହାର ବଢ଼ିବା ସହିତ ନେଟ୍‌ଓ୍ଵର୍କ ସମସ୍ୟା, ଭାଇରସ୍‌ ଆକ୍ରମଣ, ମାଲ୍‌ଓୟାର୍‌ ସମସ୍ୟା, ପରିଚୟ ଚୋରି ଓ ହ୍ୟାକିଙ୍ଗ ଆଦିର ମାତ୍ରା ବହୁତ ବଢ଼ିଯାଇଛି। ଅନଲାଇନ୍‌ ଜଗତରେ ନିରାପତ୍ତା ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କଂପାନିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ସିମନ୍ତ ପଟ୍ଟନାୟକ କହିଛନ୍ତି ଯେ, ସିକ୍ୟୋର୍‌ଆଇଜ୍‌ ବିଗତ ୧୧ ବର୍ଷ ହେଲାରି ସାଇବର୍‌ ନିରାପତ୍ତା ଦିଗରେ କାମ କରୁଛି। ଭାରତ ସମେତ ୟୁଏଇ, ଆମେରିକା, ଓମାନ ଓ ସାଉଦି ଆରବରେ ମଧ୍ୟ ଏହାର କାର୍ଯ୍ୟାଳୟ ରହିଛି। ଆମେ ଓଡ଼ିଶାରେ ଯେଉଁ ପାଠ୍ୟକ୍ରମ ପ୍ରଦାନ କରିବାକୁ ଯାଉଛୁ ତାହା ଗ୍ରାଜୁଏଟ୍‌ (ସ୍ନାତକ)ମାନଙ୍କ ପାଇଁ ବିଶେଷ ସହାୟକ ହେବ। ସେମାନେ ସାଇବର୍‌ ନିରାପତ୍ତା କ୍ଷେତ୍ରରେ ବହୁତ ଭଲ ପଦପଦବୀରେ ନିଯୁକ୍ତି ପାଇପାରିବେ। ପାଠ୍ୟକ୍ରମର ଅବଧି ହେଉଛି ଦୁଇ ମାସ। ଏପ୍ରିଲ୍‌ ୭ରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ସ୍ନାତକରେ ୬୦%ରୁ ଅଧିକ ମାର୍କ ରଖି ପାସ୍‌ କରିଥିବା ବିଦ୍ୟାର୍ଥୀମାନେ ଏଥିରେ ସାମିଲ ହୋଇପାରିବେ।

ସମ୍ବନ୍ଧିତ ଖବର