ନୂଆଦିଲ୍ଲୀ: କର୍ପୋରେଟ୍ ଜଗତର ବହୁ ଚର୍ଚ୍ଚିତ ଟାଟା-ସାଇରସ୍ ବିବାଦରେ ସୁପ୍ରିମ୍କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇ ସାରିଥିଲେ ମଧ୍ୟ ସାଇରସ୍ ମିସ୍ତ୍ରୀ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏହି ମାମଲାରେ ସୁପ୍ରିମ୍କୋର୍ଟ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହାକୁ ଚ୍ୟାଲେଞ୍ଜ୍ କରି ସାଇରସ୍ଙ୍କ ପକ୍ଷ କୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ତାଙ୍କ ବିରୋଧରେ ‘ଘୋର ଅନ୍ୟାୟ’ ହୋଇଥିବା ପିଟିସନ୍ରେ ଅଭିଯୋଗ କରାଯାଇଛି। ରିଭ୍ୟୁ ପିଟିସନ୍ରେ ସାଇରସ୍ଙ୍କ ପକ୍ଷ ଜଣାଇଛନ୍ତି ଯେ ସୁପ୍ରିମ୍କୋର୍ଟ ଅନେକ ବିଷୟକୁ ଅଣଦେଖା କରିଛନ୍ତି। ସାଇରସ୍ଙ୍କ ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ ମଧ୍ୟ କରିଛନ୍ତି। କୋର୍ଟ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯେଉଁଥିରେ ନିଜ କଥାକୁ ନିଜେ ବିରୋଧ କରିଥିବା ଭଳି ମନେ ହେଉଛି। ରାୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ନିର୍ଦେଶକଙ୍କୁ ହଟାଇବା କେବେ ବି ଉତ୍ପୀଡ଼ନ କିମ୍ବା ପକ୍ଷପାତ ହୋଇନପାରେ। ଅନ୍ୟ ପକ୍ଷରେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ମାମଲାରେ ଉତ୍ପୀଡ଼ନ ହୋଇଥିବ କୋର୍ଟ ତାହାର ସମାଧାନ କରିବେ। କୋର୍ଟଙ୍କ ଉଭୟ ମନ୍ତବ୍ୟ ପରସ୍ପରର ବିରୋଧାଭାସ କରୁଥିବା ସାଇରସ୍ଙ୍କ ପକ୍ଷ ଅଭିଯୋଗ କରିଛନ୍ତି। ତାଙ୍କ ପକ୍ଷର ଦ୍ବିତୀୟ ଯୁକ୍ତି ହେଉଛି ଏହି ମାମଲାର ବିଚାର ବେଳେ କୋର୍ଟ କଂପାନି ନିୟମରେ ରହିଥିବା ବ୍ୟବସ୍ଥାକୁ ବିଚାରକୁ ନେଇ ନାହାନ୍ତି।
କଂପାନି ନିୟମର ଧାରା ୨୪୧(୧)(ବି)ରେ ଉତ୍ପୀଡ଼ନ ବିରୋଧରେ ସୁରକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଟାଟା ସନ୍ସ ଭଳି ନିବେଶ-ହୋଲ୍ଡିଂ ସଂସ୍ଥା ଯାହାର ସଂଖ୍ୟା ଗରିଷ୍ଠ ଅଂଶଧନକାରୀ ହେଉଛନ୍ତି ଦାତବ୍ୟ ଟ୍ରଷ୍ଟ୍ ସେମାନଙ୍କୁ କୋର୍ଟ ସ୍ବତନ୍ତ୍ର ଅଧିକାର ଦେଇ ମନୋନୀତ ନିର୍ଦେଶକମାନଙ୍କୁ ପରୋକ୍ଷରେ ଅଧିକ କ୍ଷମତା ଦେଇଛନ୍ତି ଓ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ଏକ ପ୍ରକାର ବାଦ ଦେଇଛନ୍ତି ବୋଲି ସାଇରସଙ୍କ ପକ୍ଷ ଅଭିଯୋଗ ଆଣିଛି। କଂପାନି ଭିତର ମେଲ୍ଗୁଡ଼ିକୁ ସାର୍ବଜନୀନ କରିଥିବା ପରିପ୍ରେକ୍ଷୀରେ ସାଇରସ୍ ‘ନିଜ ଘରେ ନିଜେ ନିଆଁ ଲଗାଇଥିବା’ ଭଳି କାମ କରିଛନ୍ତି ବୋଲି କୋର୍ଟ ମନ୍ତବ୍ୟ ଦେଇଥିଲେ। ତାହାକୁ ରିଭ୍ୟୁ ପିଟିସନ୍ରେ ବିରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୬ରେ ଏହି ମାମଲାରେ ସୁପ୍ରିମକୋର୍ଟ ସାଇରସଙ୍କ ସମସ୍ତ ଆବେଦନକୁ ଖାରଜ କରିବା ସହ ଟାଟା ସପକ୍ଷରେ ରାୟ ଦେଇଥିଲେ।
କ’ଣ ଏହି ବିବାଦ?
୨୦୧୬ରେ ଟାଟାର ବୋର୍ଡ ବୈଠକରେ ହଠାତ୍ ସାଇରସଙ୍କୁ ଅଧ୍ୟକ୍ଷ ପଦରୁ ବିଦା କରାଯିବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏଭଳି ଭାବେ ଲଜ୍ଜିତ କରି ବିଦା କରିବା ବିଷୟକୁ ସାଇରସ୍ ସହଜରେ ଗ୍ରହଣ କରିପାରିନଥିଲେ। ଟାଟାର ଉକ୍ତ ନିଷ୍ପତ୍ତି ବିରୋଧରେ ସେ ଆଇନର ଦ୍ବାରସ୍ଥ ହୋଇଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ିବା ପରେ ନ୍ୟାସନାଲ୍ କଂପାନି ଲ’ ଆପିଲିଟି ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଏଟି)ରେ ତାଙ୍କୁ ଆଶ୍ବସ୍ତି ମିଳିଥିଲା। ସାଇରସ୍ଙ୍କୁ ଟାଟାର ଅଧ୍ୟକ୍ଷ ପଦରେ ପୁନଃ ଅବସ୍ଥାପିତ କରିବା ଲାଗି ଏନ୍ସିଏଲ୍ଏଟି ରାୟ ଶୁଣାଇଥିଲେ। ସେହି ରାୟକୁ ଟାଟା ପକ୍ଷରୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ସାଇରସଙ୍କୁ ୨୦୧୨ ଡିସେମ୍ବରରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୧୬ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସେହି ପଦରେ କାର୍ଯ୍ୟ କରିଥିଲେ। ତାଙ୍କୁ ବିବାଦୀୟ ପରିସ୍ଥିତିରେ ବିଦା କରାଯାଇଥିଲା। ଟାଟା ସନ୍ସର ବିଭିନ୍ନ କଂପାନିର ନିର୍ଦେଶକ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ସେହି ସମୟରେ ଟିସିଏସ୍ର ମଙ୍ଗ ସମ୍ଭାଳିଥିବା ଏନ୍ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ ଟାଟା ସନ୍ସରେ ଅଂଶଧନ ରଖିଥିବା ସାଇରସଙ୍କ ପରିବାରର ଦୁଇଟି କଂପାନି ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିଲେ। ସଂଖ୍ୟାଲଘୁ ନିବେଶକଙ୍କୁ ଟାଟାରେ ଦବାଇ ରଖିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/h5fs4h54sf56h45s6fhhhhhhhhhhhhh.jpg)