ନୂଆଦିଲ୍ଲୀ: ରିଅଲ ଇଷ୍ଟେଟ୍ର ଜଣାଶୁଣା ବ୍ୟବସାୟୀ ପାଲୋଞ୍ଜି ମିସ୍ତ୍ରୀଙ୍କ ସାନ ପୁଅ ଭାବେ ସାଇରସ୍ ମିସ୍ତ୍ରୀ ୧୯୬୮ ଜୁଲାଇ ୪ରେ ଜନ୍ମ ହୋଇଥିଲେ। ପାଲୋଞ୍ଜିଙ୍କ ଚାରି ସନ୍ତାନ ଥିଲେ। ଦୁଇ ପୁଅ ଓ ଦୁଇ ଝିଅ। ବଡ଼ ପୁଅ ନାମ ସାପୋର ମିସ୍ତ୍ରୀ ଓ ଦୁଇ ଝିଅଙ୍କ ନାମ ହେଉଛି ଲୈଲା ଓ ଆଲୋ। ଟାଟା ଗ୍ରୁପ୍ର ମୁଖ୍ୟ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଆଲୋ ବିବାହ କରିଛନ୍ତି। ସାଇରସ୍ ଲଣ୍ଡନର ଇମ୍ପରିଆଲ କଲେଜରୁ ସିଭିଲ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ସେ ଲଣ୍ଡନ ବିଜନେସ୍ ସ୍କୁଲ୍ରେ ମ୍ୟାନେଜମେଣ୍ଟ୍ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୨୬ ବର୍ଷ ବୟସରେ ୧୯୯୪ରେ ସେ ତାଙ୍କ ବାପାଙ୍କ ସଂସ୍ଥା ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ର ପରିଚାଳନା ନିର୍ଦେଶକ ଭାବେ ଯୋଗ ଦେଇ କଂପାନିକୁ ଆଗକୁ ବଢ଼ାଇବା ଲାଗି କାମ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ରେ ବହୁଗୁଣା ବୃଦ୍ଧି ଘଟିଥିଲା। ପାଲୋଞ୍ଜି ମିସ୍ତ୍ରୀ ଅବସର ଗ୍ରହଣ କରିବା ପରେ ୨୦୦୬ରେ ଜଣେ ନିଜ ପୁଅ ସାଇରସ୍ଙ୍କୁ ଟାଟା ସନ୍ସ ବୋର୍ଡରେ ସାମିଲ କରିଥିଲେ। ୨୦୧୧ ନଭେମ୍ବରରେ ତାଙ୍କୁ ଟାଟା ଗ୍ରୁପ୍ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। କିଛି ମାସ ପରେ ଟାଟା ଗ୍ରୁପ୍ରୁ ରତନ ଟାଟା ବିଦାୟ ନେବା ପରେ ତାଙ୍କ ଉତ୍ତରାଧିକାରୀ ଖୋଜିବା ଲାଗି ଏକ କମିଟି ଗଠନ କରାଯାଇଥିଲା। ତାହାର ଏକ ସଦସ୍ୟ ଥିଲେ ସାଇରସ୍। କିଛି ଦିନ ପରେ ସେ ନିଜକୁ ଜଣେ ପ୍ରାଥୀ ଭାବେ ଉପସ୍ଥାପନ କରିଥିଲେ। ୨୦୧୨ ଡିସେମ୍ବରରେ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ସାଇରସ୍ ଦାୟିତ୍ବ ଗ୍ରହଣ କରିଥିଲେ। ଯେହେତୁ ତାଙ୍କ ବାପାଙ୍କ କଂପାନି ସାର୍ପୋଜି ପାଲୋଞ୍ଜି ଗ୍ରୁପ୍ର ଟାଟା ଗ୍ରୁପ୍ରେ ୧୯ ପ୍ରତିଶତ ଅଂଶଧନ ଥିଲା, ତେଣୁ ସେ ଟାଟା ସନ୍ସର ନିର୍ଦେଶକ ବୋର୍ଡରେ ମଧ୍ୟ ସାମିଲ ହୋଇଥିଲେ। ସାଇରସ୍ ଥିଲେ ଟାଟାର ଷଷ୍ଠ ଅଧ୍ୟକ୍ଷ। ଟାଟା ପରିବାର ବାହାର ବ୍ୟକ୍ତି ଭାବେ ସେହି ପଦରେ ସେ ଥିଲେ ପ୍ରଥମ ବ୍ୟକ୍ତି। ରତନ ଟାଟାଙ୍କ ଉତ୍ତରାଧିକାରୀ ଚୟନ କରିବା ଲାଗି ଯେଉଁ କମିଟି ଗଠନ କରାଯାଇଥିଲା ତାହାର ଜଣେ ସଦସ୍ୟ ଥିଲେ ସାଇରସ୍। ଏହା ପରେ ସେ ନିଜକୁ ଜଣେ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ।
୫୦ ଲକ୍ଷ ଟଙ୍କିଆ କାର୍ରେ ଥିଲା ଉଚ୍ଚ ସୁରକ୍ଷା ବ୍ୟବସ୍ଥା
ଯାହାର ମୃତ୍ୟୁ ସମୟ ଆସିଯାଇଛି ତାହାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ। ସାଇରସ ମିସ୍ତ୍ରୀଙ୍କ କ୍ଷେତ୍ରରେ ଏହି ବାକ୍ୟ ପ୍ରଯୁଜ୍ୟ। କାରଣ ବିଶ୍ବର ନାମୀ କମ୍ପାନି ମର୍ସିଡିସ୍ ବେଞ୍ଜ୍ର ୫୦ ଲକ୍ଷ ଟଙ୍କିଆ ଜିଏଲ୍ସି ଏସୟୁଭିରେ ସୁରକ୍ଷାର ଏକାଧିକ ବ୍ୟବସ୍ଥା ଥିଲେ ବି ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି। ଏହି ଏସୟୁଭି ସୁରକ୍ଷିତ ଯାନ ଭାବେ ୟୁରୋ ଏନ୍ସିଏପିର ୫-ଷ୍ଟାର ରେଟିଂ ପାଇଛି। ଏଥିରେ ୭ଟି ଏୟାରବ୍ୟାଗ୍, କ୍ରସ୍ୱିଣ୍ଡ୍ ଆସିଷ୍ଟ୍, ଗାଡ଼ି ଚଳାଇବା ବେଳେ ଧ୍ୟାନ ରଖିବା ପାଇଁ ସହାୟକ ବ୍ୟବସ୍ଥା, ଆଡାପ୍ଟିଭ୍ ବ୍ରେକ୍ ଓ ପ୍ରି-ସେଫ୍ ଅକୁପାଣ୍ଟ୍ ସୁରକ୍ଷା ଆଦି ରହିଥିଲା।
୨୦୧୬ ଅକ୍ଟୋବରରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସାଇରସ୍ଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ବେଳେ ଟାଟା ଷ୍ଟିଲ୍ର ବ୍ରିଟେନ୍ କାରଖାନାକୁ ବିକ୍ରି କରିବା, ଟାଟା ଡୋକୋମୋ ମାମଲାକୁ ଠିକ୍ ଭାବେ ପରିଚାଳନା କରିନପାରିବା ଆଦି କାରଣ ଯୋଗୁଁ ତାଙ୍କୁ ବିଦା କରାଯାଇଥିଲା। ଏହାକୁ ସେ ତୀବ୍ର ବିରୋଧ କରିବା ସହ ଆତ୍ମସମ୍ମାନ ଫେରିପାଇବା ଲାଗି ସେହି ବର୍ଷ ଡିସେମ୍ବରରେ ତାଙ୍କ ଦୁଇଟି କଂପାନି ଜରିଆରେ ଟାଟା ସନ୍ସରେ ବ୍ୟାପକ ପରିଚାଳନା ତ୍ରୁଟି ଥିବା ଦର୍ଶାଇ ନ୍ୟାସନାଲ କଂପାନି ଲ’ ଆପିଲିଟ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭାରତୀୟ କର୍ପୋରେଟ ଜଗତର ସବୁଠୁ ବଡ଼ ଝଗଡ଼ା ଭାବେ ଉଭା ହୋଇଥିଲା। ଉଭୟ ପକ୍ଷ ପରସ୍ପର ଉପରେ ଆପେରା ଓ ପ୍ରତ୍ୟାରୋପ ଜାରି ରଖିଥିଲେ। ୨୦୧୭ ଫେବ୍ରୁଆରିରେ ତାଙ୍କୁ ଟାଟା ଗ୍ରୁପ୍ର ସବୁ କଂପାନିର ନିର୍ଦେଶକ ପଦରୁ ବିଦା କରାଯାଇଥିଲା। ତାଙ୍କ ଆବେଦନକୁ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ ଖାରଜ କରିଦେଇଥିଲେ। ସେହି ନିଷ୍ପତ୍ତିକୁ ନ୍ୟାସନାଲ୍ କଂପାନି ଲ’ ଆପିଲିଟ ଟ୍ରିବ୍ୟୁନାଲ୍ ୨୦୧୯ରେ ବଦଳାଇବା ସହ ସାଇରସଙ୍କ ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ସୁପ୍ରିମ୍କୋର୍ଟରେ ତାଙ୍କୁ ପରାଜୟ ମିଳିଥିଲା। ୨୦୧୩ରେ ଦି ଇକୋନମିଷ୍ଟ୍ ପକ୍ଷରୁ ତାଙ୍କୁ ଉଭୟ ବ୍ରିଟେନ୍ ଓ ଭାରତର ଗୁରୁତ୍ବପୂର୍ଣ୍ଣ ଶିଳ୍ପପତି ଭାବେ ବର୍ଣ୍ଣନା କରାଯାଇଥିଲା।