ଏକ ନମ୍ବର ସ୍ଥାନ ଉପରେ ‘ଡାଇକିନ’ର ନଜର

ଭୁବନେଶ୍ବରରେ ଖୋଲିଲା ଶାଖା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସହ ମିଶି ଉତ୍କର୍ଷ କେନ୍ଦ୍ର ଖୋଲିବ

ଭୁବନେଶ୍ବର: ଓଡ଼ିଶାରେ ବର୍ଷକୁ ଏକ ଲକ୍ଷ ୨୫ ହଜାରରୁ ଅଧିକ ଏସି ବିକ୍ରି ହେଉଛି। ପ୍ରତିବର୍ଷ ଏହାର ୧୦-୧୫% ହାରରେ ଆଗକୁ ବଢ଼ୁଛି। ଏହି ବଜାରର ଏକ ନମ୍ବର ସ୍ଥାନ ଉପରେ କବ୍‌ଜା କରିବାକୁ ଜାପାନର ଅଗ୍ରଣୀ ଏସି କଂପାନି ଡାଇକିନ୍ ନଜର ରଖିଛି। ବର୍ତ୍ତମାନ ଏହା ଦୁଇ ନମ୍ବର ସ୍ଥାନରେ ରହି ୪୦-୪୫ କୋଟି ଟଙ୍କାର କାରବାର କରୁଛି। ୨୦୧୯-୨୦ରେ ଡାଇକିନ୍ ଓଡ଼ିଶାରେ ୬୫ କୋଟି ଟଙ୍କା ଓ ବର୍ଷକ ପରେ ୧୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ବର୍ଷ ସୁଦ୍ଧା ଓଡ଼ିଶା ଏସି ବଜାରର ଏକ ନମ୍ବର ସ୍ଥାନ ଉପରେ ଏହା କବ୍‌ଜା କରିବାକୁ ଚାହୁଛି ବୋଲି କଂପାନିର ବରିଷ୍ଠ ଉପସଭାପତି ଓ ନିର୍ଦେଶକ କୁଲଦୀପ ଭିରମାନି କହିଛନ୍ତି। ଓଡ଼ିଶାରେ ଡାଇକିନ୍ ପାଇଁ ବିପୁଳ ବ୍ୟବସାୟ ସୁଯୋଗ ରହିଥିବାରୁ ନୟାପଲ୍ଲୀ ଠାରେ କଂପାନି ଏକ ବିଶାଳ ଶାଖା କାର୍ଯ୍ୟାଳୟ ଖୋଲିଛି। ରାଜ୍ୟ ପାଇଁ କଂପାନି ଅନେକ ଯୋଜନା ପ୍ରସ୍ତୁତ କରିଛି। ଏକ ଶିକ୍ଷାନୁଷ୍ଠାନ ସହିତ ସହଭାଗିତା ସ୍ଥାପନ କରି ଆସନ୍ତା ବର୍ଷ ସୁଦ୍ଧା କଂପାନି ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ଖୋଲିବ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଡାଇକିନ୍‌ର ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଶିକ୍ଷାଦାନ କରାଯିବ। ଏସି ଶିଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ନିମନ୍ତେ କଂପାନି ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

୨୦୦୯ରେ ଭାରତରେ ଡାଇକିନର କାରବାର ପରିମାଣ ୩୦୦ କୋଟି ଟଙ୍କା ଥିଲା। ଏହା ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ଏହି କଂପାନି ୨୦୧୮-୧୯ରେ ୪୦୦୦ କୋଟି ଟଙ୍କାର କାରବାର କରିଛି। ୨୦୨୦-୨୧ ସୁଦ୍ଧା ନିଜ କାରବାରକୁ ୫୫୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ କଂପାନି ଲକ୍ଷ୍ୟ ରଖିଛି। ରାଜସ୍ଥାନରେ ଥିବା ଦୁଇଟି କାରଖାନା ଜରିଆରେ ଡାଇକିନ୍ ଏସି ନିର୍ମାଣ କରୁଛି। ଦକ୍ଷିଣ ଭାରତରେ ଆଉ ଏକ କାରଖାନା ସ୍ଥାପନ କରିବା ନିମନ୍ତେ କଂପାନି ଜମି ସନ୍ଧାନରେ ରହିଛି। ଏହି ଅବସରରେ କଂପାନିର ବରିଷ୍ଠ ଉପସଭାପତି ଏଲ୍ ପଟ୍ଟନାୟକ, ଆଞ୍ଚଳିକ ବ୍ୟବସାୟ ମୁଖ୍ୟ କେ ବାସୁ ଓ ଓଡ଼ିଶା ମୁଖ୍ୟ ଅନିର୍ବାଣ ହାତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର