ଭୁବନେଶ୍ବରରେ ଉତ୍କର୍ଷ କେନ୍ଦ୍ର ଖୋଲିବ ଡାଇକିନ୍, ନୂଆ ସ୍ପ୍ଲିଟ୍ ରୁମ୍ ଏସିର ବଜାର ପ୍ରବେଶ

ଭୁବନେଶ୍ବର: ଜାପାନରୁ ସୃଷ୍ଟି ହୋଇ ଭାରତରେ ବିଶେଷ ଖ୍ୟାତି ଲାଭ କରିଥିବା ଏୟାର କଣ୍ଡିସନର (ଏସି) କଂପାନି ଡାଇକିନ୍ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଭୁବନେଶ୍ବରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବ। ସାରା ଦେଶରେ କଂପାନି ୫୦ଟି ଉତ୍କର୍ଷ କେନ୍ଦ୍ର ଖୋଲିବାର ଯେଉଁ ଯୋଜନା ରଖିଛି ତାହାର ଏହା ହେଉଛି ଏକ ଅଂଶ। ଏଥିପାଇଁ କଂପାନି ପକ୍ଷରୁ କିଟ୍‌, ସିଟିଟିସି ଓ ସିପେଟ୍ ଭଳି ସଂସ୍ଥା ସହ ଆଲୋଚନା କରାଯାଇଛି। ସେହି କେନ୍ଦ୍ରର ନାମ ରହିବ ଜାପାନିଜ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାନୁଫାକ୍‌ଚରିଂ ଏକ୍ସଲେନ୍ସ। ସେଥିରେ ଯୁବବର୍ଗଙ୍କୁ ବିନା ମୂଲ୍ୟରେ ଏସି ନିର୍ମାଣର ବିଭିନ୍ନ ବିଷୟରେ ତିନି ମାସିଆ ସାର୍ଟିଫିକେଟ୍‌ କୋର୍ସ ପ୍ରଦାନ କରାଯିବ ବୋଲି ଡାଇକିନ୍‌ର ନିର୍ଦେଶକ ଓ ବରିଷ୍ଠ ଉପସଭାପତି କୁଲଦୀପ ଭିରମାନି କହିଛନ୍ତି।

ଆଜି ଓଡ଼ିଶା ବଜାରରେ କଂପାନିର ନୂଆ ସ୍ପ୍ଲିଟ୍‌ ରୁମ୍ ଏସି ବର୍ଗମାଳା ‘ୟୁ ସିରିଜ୍‌’କୁ ଉନ୍ମୋଚନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ କଂପାନି ୫୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା ରଖିଛି। କଂପାନିର ନୂଆ ୟୁ ସିରିଜ୍ ଏସି ୧୫% ଅଧିକ ଶକ୍ତି ସଞ୍ଚୟ କରିବ। ଏଥିରେ ଡିୟୁ କ୍ଲିନ୍ ପ୍ରଯୁକ୍ତି, ଷ୍ଟ୍ରିମର ଡିସ୍‌ଚାର୍ଜ ପ୍ରଯୁକ୍ତି, ତିନିଟି ଆଇଡିୟୁ ଡିସ୍‌ପ୍ଲେ, ହିଟ୍ ପମ୍ପ୍ ହଟ୍, କୋଲ୍ଡ ମୋଡ୍ ଓ ୱାଇ-ଫାଇ ଦ୍ବାରା ପରିଚାଳନା ଭଳି ସୁବିଧା ରହିଛି।

ଓଡ଼ିଶାରେ ଡାଇକିନ୍‌ ବ୍ରାଣ୍ଡ୍‌କୁ ନେଇ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ସ୍ବଳ୍ପ ସଚେତନତା ଥିବା ବିଷୟକୁ କଂପାନି ସ୍ବୀକାର କରିବା ସହ ଏଠାରେ ବ୍ରାଣ୍ଡ୍‌ ସଚେତନତାକୁ ଆହୁରି ବ୍ୟାପକ କରିବାକୁ ଡାଇକିନ୍ ଯୋଜନା ପ୍ରସ୍ତୁତ କରିଛି। ଭୁବନେଶ୍ବରରେ କଂପାନିର ବଜାର ଅଂଶ ୧୫% ଥିବା ବେଳେ ତାହାକୁ ୨୦% ପର୍ଯ୍ୟନ୍ତ ବଢ଼ାଇବାକୁ ଏହା ଲକ୍ଷ୍ୟ ରଖିଛି। ସରକାରଙ୍କ ଉତ୍ପାଦନ ଭିତ୍ତିକ‌ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ଅଧୀନରେ ଡାଇକିନ୍ ଆନ୍ଧ୍ରପ୍ରଦେଶରେ ୨୭.୫ ଏକର ଜମିରେ ୧୦୦୦ କୋଟି ଟଙ୍କା ବିନିଯୋଗ‌ରେ ଏକ କାରଖାନା ସ୍ଥାପନ କରିବ। ଏହାର କାର୍ଯ୍ୟ ୨୦୨୩ ସୁଦ୍ଧା ଆରମ୍ଭ ହେବ। ଏହି ଅବସରରେ କଂପାନିର ବିଏମ୍‌ (ଭୁବନେଶ୍ବର) ସତ୍ୟକେତନ ମିଶ୍ର, ଉତ୍ପାଦ ମୁଖ୍ୟ-ରୁମ୍ ଏସି-ପୂର୍ବ କୌଶିକ ଦେ ଓ ଏସାର ଇଲେକ୍ଟ୍ରୋନିକ୍ସର ମୁଖ୍ୟ ଧୀରେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର