ନୂଆଦିଲ୍ଲୀ: ମହାମାରୀ ପରବର୍ତୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ କର୍ମଚାରୀମାନଙ୍କୁ କଂପାନିଗୁଡ଼ିକ ଅଧିକ ଦରମା ଦେବା ବିଷୟରେ ବିଚାର କରୁଛନ୍ତି। ୨୦୨୩ରେ ଦରମାରେ ହାରାହାରି ୧୦.୪%ର ବୃଦ୍ଧି ହେବ ବୋଲି ଏଅନ୍‌ ନାମକ ସଂସ୍ଥା ଆକଳନ କରିଛି। ଦରମାରେ ଏଭଳି ବୃଦ୍ଧି ଶେଷ ଥର ପାଇଁ ୨୦୧୫ରେ ଦେଖିବାକୁ ମିଳିଥିଲା। ୨୦୨୨ରେ ମଧ୍ୟ ଦରମାରେ ୧୦.୬% ବୃଦ୍ଧି ହୋଇଥିଲା ବୋଲି ଏହି ସଂସ୍ଥା ଜଣାଇଛି।

Advertisment

ଏଅନ୍‌ର ସର୍ଭେରେ ଅଂଶଗ୍ରହଣ କରିଥିବା ୪୬% କଂପାନି ଜଣାଇଛନ୍ତି ଯେ ୨୦୨୩ରେ ସେମା‌ନେ ଦରମାରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି କରିବା ବିଷୟରେ ବିଚାର କରୁଛନ୍ତି। ବ୍ୟବସାୟ ଭଲ ରହିବ ବୋଲି ୭୬% କଂପାନି ଆଶା ରଖିଛନ୍ତି। ଏଅନ୍‌ର ଅଧିକାରୀ ରୁପଙ୍କ ଚୌଧୁରୀ କହିଛନ୍ତି ଯେ ଆନ୍ତର୍ଜାତିକ ବଜାର ସହ ଯୋଡ଼ି ହୋଇ କାରବାର କରୁଥିବା କଂପାନିଗୁଡ଼ିକ ଦରମାରେ ମାପଚୁପ ବୃଦ୍ଧି କରିବା ବିଷୟରେ ବିଚାର କରୁଛନ୍ତି। ମାତ୍ର, ଯେଉଁମାନଙ୍କ କାରବାର ଦେଶ ଭିତରେ ସୀମିତ ସେମାନେ ଦରମାରେ ଭଲ ବୃଦ୍ଧି କରିବାକୁ ଚାହୁଛନ୍ତି। ୪୦ଟି କ୍ଷେତ୍ରର ୧୩୦୦ ସଂସ୍ଥାକୁ ନେଇ ଏଅନ୍ ଏହି ସର୍ଭେ କରିଛି। ଆମେରିକା, ବ୍ରିଟେନ୍‌, ଚୀନ୍, ଜର୍ମାନି, ବ୍ରାଜିଲ, ଜାପାନ ଓ ସିଙ୍ଗାପୁର ତୁଳନାରେ ଭାରତରେ କର୍ମଚାରୀଙ୍କ ଦରମାରେ ଅଧିକ ବୃଦ୍ଧି ହେବ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ସାମାନ୍ୟ ଅସ୍ଥିରତା ରହିବ। ଇ-କମର୍ସ କ୍ଷେତ୍ରରେ ବେତନରେ ୧୨.୮ ପ୍ରତିଶତ, ଷ୍ଟାର୍ଟଅପ୍‌ରେ ୧୨.୭ ପ୍ରତିଶତ, ପ୍ରଯୁକ୍ତି ଭିତ୍ତିକ ସେବା କ୍ଷେତ୍ରରେ ୧୧.୩ ପ୍ରତିଶତ ଓ ଆର୍ଥିକ ଅନୁଷ୍ଠାନରେ ବେତନରେ ୧୦.୭ ପ୍ରତିଶତ ବୃଦ୍ଧି ହେବ।