ଚାଉଳ, କଫି, ଚା’ ରପ୍ତାନି ହ୍ରାସ: ଡାଲି, ମକା, ବାଜରା ଉତ୍ପାଦନ କମିଲା

ନୂଆଦିଲ୍ଲୀ,: ଦେଶର କୃଷି ଅଭିବୃଦ୍ଧି ହାର ୨% ସ୍ତରକୁ ଖସିଯାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସଓ) ତରଫରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ୍‌-ଜୁନ୍‌) ପାଇଁ ଜାରି କରାଯାଇଥିବା ଅଭିବୃଦ୍ଧି ତଥ୍ୟରୁ ଏହା ଜଣାପଡ଼ିଛି। କୃଷି, ବାଣିଜ୍ୟ ଓ ମତ୍ସ୍ୟ ଚାଷ କ୍ଷେତ୍ରର ଅଭିବୃଦ୍ଧି ୨%କୁ ଖସିଯାଇଥିବାରୁ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ବଡ଼ ଧରଣର ଝଟ୍‌କା ଲାଗିଛି। ୨୦୧୭-୧୮ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୫% ଭଳି ଉଚ୍ଚ ସ୍ତରରେ ଥିଲା। ୨୦୧୮-୧୯ ଶେଷ ବେଳକୁ ‌ଅଭିବୃଦ୍ଧିର ସେହି ହାର ୨.୭୫% ସ୍ତରକୁ ଖସିଯାଇଥିଲା। ତାହା ଆହୁରି ତଳକୁ ହ୍ରାସ ପାଇ ୨ ପ୍ରତିଶତ ହୋଇଯାଇଛି। ଦେଶର ବାଦାମ ଓ କପା ଭଳି ଅଣ-ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇଛି। ‌ଚାଉଳ, କଫି, ଚା’ ରପ୍ତାନି ମଧ୍ୟ କମିଛି। ୨୦୧୭-୧୮ରେ ୯୨.୫୩ ଲକ୍ଷ ଟନ୍ ବାଦାମ ଉତ୍ପାଦନ ହୋଇଥିଲା। ୨୦୧୮-୧୯ରେ ତାହା ୬୬.୯୫ ନିୟୁତ ଟନ୍‌କୁ ହ୍ରାସ ପାଇଛି। ସେହିପରି କପା ଉତ୍ପାଦନ ୨୦୧୮-୧୯ରେ ୨୮୭ ବେଲସ୍‌କୁ ଖସିଆସିଛି ଯାହା ବର୍ଷକ ତଳେ ୩୨୮ ବେଲସ୍‌ ଥିଲା। ଖାଦ୍ୟଶସ୍ୟ ମଧ୍ୟରେ ଡାଲି, ମକା ଓ ବାଜରା ଆଦିର ଉତ୍ପାଦନ ହ୍ରାସ ପାଇଛି।

୨୦୦୯-୧୦ରୁ ୨୦୧୨-୧୩ ପର୍ଯ୍ୟନ୍ତ ଉପା ସରକାର ଶାସନ କରୁଥିବା ବେଳେ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବାର୍ଷିକ ହାରାହାରି ୫% ଅଭିବୃଦ୍ଧି ହୋଇଥିଲା। ୨୦୧୩-୧୪ ପରଠାରୁ ମୋଦୀ ସରକାରଙ୍କ ଅମଳରେ ବାର୍ଷିକ ଅଭିବୃଦ୍ଧି ହାର ୩%କୁ ଖସିଯାଇଥିବା ଜଣାପଡ଼ିଛି। ଚାଷୀମା‌ନେ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଉନାହାନ୍ତି। ପୂର୍ବବର୍ଷ ଅଧିକ ଉତ୍ପାଦନ ହୋଇଥିବା ସାମଗ୍ରୀଗୁଡ଼ିକର ଚାହିଦା ଭଲ ନାହିଁ। ସେଥିପାଇଁ ସେଗୁଡ଼ିକ ପାଇଁ ଉଚିତ ମୂଲ୍ୟ ମିଳୁନାହିଁ। ଆଉ କିଛି କୃଷିଜାତ ସାମଗ୍ରୀର ରପ୍ତାନି ମଧ୍ୟ କମ୍ ରହିଛି। କିନ୍ତୁ, ଗତ କିଛି ସପ୍ତାହ ମଧ୍ୟରେ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସେଥିପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର