ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ ମିଳିବ ଅଧିକ ଡାଲି

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ଗଚ୍ଛିତ ଭଣ୍ଡାରରୁ ଡାଲି ଯୋଗାଣ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଡାଲିର ଯେଉଁ ବଫର ଷ୍ଟକ୍‌ (ଗଚ୍ଛିତ ଭଣ୍ଡାର) ରହିଛି ସେଥିରୁ ଡାଲି ବାହାର କରି ବିଭିନ୍ନ କେନ୍ଦ୍ରୀୟ ଯୋଜନା ପାଇଁ ପ୍ରଦାନ କରାଯିବ। ଯେଉଁ ବିଭାଗଗୁଡ଼ିକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେମାନେ ଡାଲି ଯୋଗାଇବା କାମ ହାତକୁ ନେବେ। ଏଥିପାଇଁ ପ୍ରଚଳିତ ନିୟମ ଏବଂ ମାର୍ଗଦର୍ଶିକାରେ ଯାହା ସଂଶୋଧନ ଦରକାର ତାହା କରାଯିବ।

ବର୍ତ୍ତମାନ ଖୋଲା ବଜାରକୁ ଛଡ଼ାଯାଉଥିବା ଏବଂ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଥିବା ଡାଲି ଅଧିକ ମାତ୍ରାରେ ପ୍ରଦାନ କରାଯିବ। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସ୍କିମ୍‌ ପାଇଁ କେତେ ପରିମାଣର ଡାଲି ଦରକାର ତାହା ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ପକ୍ଷରୁ ତିନି ମାସ ଭିତରେ ଜଣାଇବାକୁ ପଡ଼ିବ। ସେହି ତଥ୍ୟ ଆଧାରରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ବଫର୍‌ ଷ୍ଟକ୍‌ରୁ ଡାଲି ଯୋଗାଇ ଦିଆଯିବ। ଏହି ନିଷ୍ପତ୍ତି ଦ୍ୱାରା ମଧ୍ୟାହ୍ନ ଭୋଜନ ଖାଉଥିବା ଗରିବ ପିଲାମାନେ ଲାଭବାନ ହେବେ। ଏହା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହସ୍‌ପିଟାଲ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ସାମଗ୍ରୀରେ ଡାଲିକୁ ସାମିଲ କରାଯିବ।

ସମ୍ବନ୍ଧିତ ଖବର