ଭୁବନେଶ୍ବର/ କୋଲକାତା: ଓଡ଼ିଶାର ବାଲେଶ୍ବରରେ ଥିବା ବିର୍ଲା ଟାୟାର୍ସକୁ କିଣିବା ଲାଗି ଡାଲମିଆ ଭାରତ ଗ୍ରୁପ୍ ଦେଇଥିବା ପ୍ରସ୍ତାବକୁ ଋଣ ପ୍ରଦାନକାରୀମାନେ ମଞ୍ଜୁର କରିଥିବା ଜଣାପଡ଼ିଛି। ଫଳରେ ଏହି ସଂସ୍ଥାକୁ କିଣିବା ଲାଗି ଡାଲମିଆ ଆଉ କିଛି ପାଦ ଆଗକୁ ବଢ଼ିଛି। ବିର୍ଲା ଟାୟାର୍ସ ଉପରେ ଥିବା ୧୧୦୦ କୋଟି ଟଙ୍କା ଋଣର କିଛି ଅଂଶ ପରିଶୋଧ କରିବାକୁ ଡାଲମିଆ ରାଜି ହୋଇଛି। ଡାଲମିଆ ପ୍ରାୟ ୩୦୦ କୋଟି ଟଙ୍କାର ଋଣ ପରିଶୋଧ କରିବ ବୋଲି କହିଛି। ଆକ୍ସିସ୍ ବ୍ୟାଙ୍କ ନେତୃତ୍ବରେ ଗଠିତ ଋଣ ପ୍ରଦାନକାରୀଙ୍କ ଦଳ ଡାଲମିଆର ସେହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଆଗକୁ ସେହି ପ୍ରସ୍ତାବକୁ ନ୍ୟାସନାଲ୍ କଂପାନି ଲ’ ଟିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ଚୂଡ଼ାନ୍ତ ମଞ୍ଜୁରି ପାଇଁ ଉପସ୍ଥାପନ କରାଯିବ।

Advertisment

ବିର୍ଲା ଟାୟାର୍ସ ପାଇଁ ଡାଲମିଆ ପୂର୍ବରୁ ଦେଇଥିବା ପ୍ରସ୍ତାବକୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଅଗ୍ରାହ୍ୟ କରିଦେଇଥିଲେ। ସେହି ସମୟରେ ବିର୍ଲା ଟାୟାରର ଏକ ଦଶମାଂଶ ଋଣ ପରିଶୋଧ କରିବାକୁ ଡାଲମିଆ ପ୍ରସ୍ତାବ ଦେଇଥିଲେ। ନୂଆ ପ୍ରସ୍ତାବକୁ କଂପାନି ଅଧିକ ଆକର୍ଷଣୀୟ କରି ଉପସ୍ଥାପନ କରିଛି। ବିର୍ଲା ଟାୟାର୍ସ ଉପରେ ଆକ୍ସିସ୍ ବ୍ୟାଙ୍କର ୫୫୯ କୋଟି, ଅର୍‌ସିଲ ବ୍ୟାଙ୍କର ୧୯୬ କୋଟି ଓ ରାଷ୍ଟ୍ରାୟତ୍ତ ଷ୍ଟେଟ୍‌ ବ୍ୟାଙ୍କର ୧୨୦ କୋଟି ଟଙ୍କା ବକେୟା ଋଣ ରହିଛି। ଏହାଛଡ଼ା ଡିବିଏସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଡବ୍ଲୁବିଆଇଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଜେସି ପ୍ଲାୱାର୍ସ ଓ ଇଣ୍ଡସ୍‌ ଇଣ୍ଡ୍‌ ବ୍ୟାଙ୍କରୁ ଋଣ ନେଇଛି ଏହି କଂପାନି। ୧୧ଟି ବ୍ୟାଙ୍କକୁ ନେଇ ଗଠିତ ଏକ କନ୍‌ସୋର୍ଟିୟମ୍‌ ଋଣ ପ୍ରଦାନ କରିଥିବା ବେଳେ କନ୍‌ସୋର୍ଟିୟମ୍‌ର ମୁଖ୍ୟ ଆକ୍ସିସ ବ୍ୟାଙ୍କ ବିର୍ଲା ଟାୟାର୍ସକୁ ସର୍ବାଧିକ ଋଣ ପ୍ରଦାନ କରିଛି।