ନୂଆଦିଲ୍ଲୀ: ଋଣର ପାହାଡ଼ ତଳେ ଚାପି ହୋଇ ଅନେକ ଇସ୍ପାତ କଂପାନି ଗୋଟିଏ ପରେ ଗୋଟିଏ ବିକ୍ରି ହେଉଥିବା ବେଳେ ସମାନ ସ୍ଥିତି ବିଦ୍ୟୁତ କ୍ଷେତ୍ରରେ ସୃଷ୍ଟି ହେବାର ଆଶଂକା ରହିଛି। ବିଦ୍ୟୁତ କ୍ଷେତ୍ରରେ ନିବେଶ କରାଯାଇଥିବା ୩ ଲକ୍ଷ କୋଟି ଟଙ୍କା ଏନ୍ପିଏରେ ପରିଣତ ହେବ ବୋଲି ଆକଳନ କରାଯାଇଛି। ଏଭଳି ସ୍ଥିତିର ପ୍ରମୁଖ କାରଣ ହେଉଛି ବିଦ୍ୟୁତ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଠିକ୍ ସମୟରେ ପେମେଣ୍ଟ୍ ମିଳୁନାହିଁ। ଡିସ୍କମ୍ଗୁଡ଼ିକ ପେମେଣ୍ଟ୍ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି। ସେଥିପାଇଁ ବିଦ୍ୟୁତ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। ଯଦି ବିଦ୍ୟୁତ କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କା ଏନ୍ପିଏରେ ପରିଣତ ହୋଇଯିବ ତେବେ ବ୍ୟାଙ୍କ ଶିଳ୍ପ ବହୁତ ବଡ଼ ଝଟ୍କା ଲାଗିବ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାପ୍ତି ପୋର୍ଟାଲ୍ରୁ ଜଣାପଡ଼ିଛି ଯେ, ବିଭିନ୍ନ ରାଜ୍ୟର ଡିସ୍କମ୍ଗୁଡ଼ିକ ଉପରେ ଉଭୟ ଘରୋଇ ଓ ସରକାରୀ ବିଦ୍ୟୁତ କଂପାନିଗୁଡ଼ିକର ୪୧,୭୩୦ କୋଟି ଟଙ୍କାର ବକେୟା ରହିଛି। ଡଜନେରୁ ଅଧିକ ରାଜ୍ୟରେ ଥିବା ଡିସ୍କମ୍ଗୁଡ଼ିକ ବିଦ୍ୟୁତ କଂପାନିଗୁଡ଼ିକ ଠିକ୍ ସମୟରେ ପେମେଣ୍ଟ୍ କରୁନାହାନ୍ତି। ଉତ୍ତର ପ୍ରଦେଶ ୫୪୪ ଦିନ ଓ ମହାରାଷ୍ଟ୍ର ୫୮୦ ଦିନ ବିଳମ୍ବରେ ପେମେଣ୍ଟ୍ କରୁଛନ୍ତି। ତାମିଲନାଡ଼ୁରେ ମଧ୍ୟ ସମାନ ସ୍ଥିତି ରହିଛି। ଠିକ୍ ସମୟରେ ପେମେଣ୍ଟ୍ ମିଳୁନଥିବାରୁ ବିଦ୍ୟୁତ କଂପାନିଗୁଡ଼ିକ ପାଖରେ ରହୁଥିବା କାର୍ଯ୍ୟକାରୀ ପୁଞ୍ଜିକୁ ସେମାନେ ଋଣ ପରିଶୋଧ ପାଇଁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଉତ୍ତର ପ୍ରଦେଶରେ ଥିବା ବଜାଜ ଗ୍ରୁପ୍ର ଲାଲିପୁଟ ପାୱାର ଜେନେରେସନ୍ କଂପାନି ନିଜ ୩୦୦୦ କର୍ମଚାରୀଙ୍କୁ ଦରମା ଦେଇପାରୁନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ଉପରେ କଂପାନିର ୨୧୮୫ କୋଟି ଟଙ୍କା ବାକି ପଡ଼ିଛି। ଏହି ପ୍ଲାଣ୍ଟ୍ ନିଜ ପାଇଁ ଆବଶ୍ୟକ କୋଇଲା ମଧ୍ୟ କିଣିପାରୁନାହିଁ।
ବିଶ୍ବବ୍ୟାଙ୍କ ତରଫରୁ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୩ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ୩୭,୮୨୩ ମେଗାୱାଟ୍ ବିଦ୍ୟୁତ ପ୍ରକଳ୍ପ ପ୍ରତି ବିପଦ ରହିଛି। ଯେକୌଣସି ସମୟରେ ଏହି ପ୍ରକଳ୍ପଗୁଡ଼ିକୁ ଏନ୍ପିଏ ଘୋଷଣା କରିଦିଆଯାଇପାରେ। ଥରେ ଏନପିଏ ବର୍ଗରେ ସାମିଲ ହେବା ପରେ ଯଦି ଠିକ୍ ସମୟରେ ସେଥିରୁ ବାହାରି ନହେବ ତେବେ ଅନେକ ଇସ୍ପାତ କଂପାନି ଭଳି ବିଦ୍ୟୁତ କଂପାନିଗୁଡ଼ିକ ମଧ୍ୟ ନିଲାମ ହୋଇଯିବ। ସେମାନଙ୍କ ମାଲିକାନା ବଦଳିଯିବ ଏବଂ ଏହି ପ୍ରକ୍ରିୟାରେ ବ୍ୟାଙ୍କଗୁଡ଼ିକର ବିପୁଳ କ୍ଷତି ହେବାର ଆଶଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ଏନ୍ପିଏକୁ ନେଇ ରିଜର୍ଭ ବ୍ୟାଙ୍କ ତରଫରୁ କଠୋର ନିୟମ ପ୍ରଣୟନ କରାଯାଇଛି। ଋଣ ନେଇଥିବା ସଂସ୍ଥା ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ତାହାର କିସ୍ତି ପରିଶୋଧ କରିନପାରିଲେ ଉକ୍ତ ଋଣ ଖାତାକୁ ଏନ୍ପିଏ ଭାବେ ଘୋଷଣା କରାଯାଉଛି। ଥରେ ଏନ୍ପିଏ ଘୋଷଣା ହୋଇଯିବା ପରେ ୧୮୦ ଦିନ ଭିତରେ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ ହୋଇନପାରିଲେ ବ୍ୟାଙ୍କ ତରଫରୁ ଉକ୍ତ ସଂସ୍ଥାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି)କୁ ଟଣାଯିବ। ସେଠାରେ କଂପାନିର ବିଚାର କରାଯିବ। ଦରକାର ପଡ଼ିଲେ ଉକ୍ତ କଂପାନିକୁ ଦେବାଳିଆ ଘୋଷଣା କରି ତାହାକୁ ନିଲାମ କରାଯାଉଛି।