ନୂଆଦିଲ୍ଲୀ: ଡିଏପି ସାର ବସ୍ତା ପିଛା ଦିଆଯାଉଥିବା ସବ୍ସିଡିରେ କେନ୍ଦ୍ର ସରକାର ୭୦୦ ଟଙ୍କା ବୃଦ୍ଧି କରିଛନ୍ତ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ସରକାରଙ୍କୁ ୧୪,୭୫୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଦେଶରେ ୟୁରିଆ ପରେ ଦ୍ବିତୀୟ ସର୍ବାଧିକ ବ୍ୟବହାର ହେଉଥିବା ସାର ହେଉଛି ଡିଏପି। ଆନ୍ତର୍ଜାତିକ ବଜାରରେ ଏହାର ଦାମ୍ ବଢ଼ିବା ସତ୍ତ୍ବେ ପୁରୁଣା ଦାମ୍ରେ ଯେଭଳି ଚାଷୀମାନେ ଏହି ସାର ପାଇପାରିବେ ତାହା ନିଶ୍ଚିତ କରିବା ଲାଗି ସବ୍ସିଡିରେ ବୃଦ୍ଧି କରାଯାଇଛି।
ଗତ ମାସରେ କେନ୍ଦ୍ର ସରକାର ଡିଏପି ସବ୍ସିଡିରେ ୧୪୦% ବୃଦ୍ଧି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଆଜିର ନିଷ୍ପତ୍ତି ସମ୍ପର୍କରେ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ଡିଏପି ସବ୍ସିଡିରେ ବୃଦ୍ଧି କରାଯାଇଥିବାରୁ ଚାଷୀମାନେ ଉପକୃତ ହେବେ। ଚାଷୀମାନେ ୫୦ କେଜି ବିଶିଷ୍ଟ ଡିଏପି ସାର ବସ୍ତାକୁ ପୁରୁଣା ଦାମ୍ ୧୨୦୦ ଟଙ୍କା ପାଇପାରିବେ। ପୂର୍ବରୁ ଡିଏପି ବସ୍ତା ଉପରେ ସରକାର ୫୦୦ ଟଙ୍କାର ସବ୍ସିଡି ଦେଉଥିଲେ। ଏବେ ତାହାକୁ ୧୨୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଗତବର୍ଷ ଏକ ବସ୍ତା ଡିଏପିର ଦାମ୍ ୧୭୦୦ ଟଙ୍କା ଥିଲା। ତାହା ଉପରେ ସରକାର ୫୦୦ ଟଙ୍କା ସବ୍ସିଡି ଦେଉଥିବାରୁ ଚାଷୀମାନେ ୧୨୦୦ ଟଙ୍କାରେ ଏକ ବସ୍ତା ଡିଏପି କିଣିପାରୁଥିଲେ। ଏବର୍ଷ ଆନ୍ତର୍ଜାତିକ ବଜାରରେ ଡିଏପି ମହଙ୍ଗା ହୋଇଥିବାରୁ ସବ୍ସିଡି ପରିମାଣ ବଢ଼ାଇ ପୁରୁଣା ଦାମ୍ରେ ଏହାକୁ ଚାଷୀଙ୍କୁ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୟୁରିଆ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ଏହାର ଏମ୍ଆର୍ପିରେ ପରିବର୍ତ୍ତନ କରାଯାଉନାହିଁ। ସବ୍ସିଡି ପରିମାଣ ବୃଦ୍ଧି କରାଯାଉଛି। ହାରାହାରି ଭାବେ ୟୁରିଆ ଉପରେ ସରକାର ବସ୍ତା ପିଛା ୯୦୦ ଟଙ୍କାର ସବ୍ସିଡି ଦେଉଛନ୍ତି। ଅଣ ୟୁରିଆ ସାର ଯଥା ଡିଏପି ଆଦି ଉପରେ ସରକାର ନିର୍ଦିଷ୍ଟ ପରିମାଣର ସବ୍ସିଡି ଦେଉଥିବା ସେ କହିଛନ୍ତି।
ସରକାରୀ ତଥ୍ୟ ଅନୁସାରେ ୨୦୨୧-୨୨ ବର୍ଷ ପାଇଁ ପ୍ରତି କେଜି ନାଇଟ୍ରୋଜେନ୍ ଉପରେ ସବ୍ସିଡି ପରିମାଣ ୧୮.୭୮ ଟଙ୍କା, ଫସଫରସ ଉପରେ ୪୫.୩୨ ଟଙ୍କା, ପଟାସ ଉପରେ ୧୦.୧୧ ଟଙ୍କା ଓ ସଲ୍ଫର୍ ଉପରେ ୨.୩୭ ଟଙ୍କାର ସବ୍ସିଡି ଦିଆଯିବ। କେନ୍ଦ୍ର ସରକାର ଚାଷୀମାନଙ୍କୁ ୟୁରିଆ ଓ ୨୨ ପ୍ରକାରର ଫସଫରିକ୍ ଓ ପଟାସିକ୍ ସାର ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି। ୨୦୧୦ ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ପୁଷ୍ଟି ଭିତ୍ତିକ ସବ୍ସିଡି ସ୍କିମ୍ ଅଧୀନରେ ସବ୍ସିଡି ଯୋଗାଇ ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/g456j4d564j56dg456dgjjjjjjjjjjjjjjjjjjjjjjjjjjjjjjj.jpg)