ନୂଆଦିଲ୍ଲୀ: ଗତବର୍ଷ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଭାରତ ସମେତ ସାରା ବିଶ୍ବରେ ବିଭିନ୍ନ ସାମଗ୍ରୀ ଅତ୍ୟଧିକ ମହଙ୍ଗା ହୋଇଥିଲା। ସେହି ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିରନ୍ତର ଭାବେ ଲଢ଼େଇ କରୁଛି। ସେହି ଲଢ଼େଇ ଶେଷ ହୋଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଚଳିତ ମାସ ୩ରୁ ୬ ପର୍ଯ୍ୟନ୍ତ ଚାଲିଥିବା ମୁଦ୍ରା ନୀତି କମିଟି ବୈଠକରେ ସେ ଏହା କହିଥିଲେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ କମିଟିର ବୈଠକରେ ହୋଇଥିବା ଆଲୋଚନାର ଯେଉଁ ବିବରଣୀ ଜାରି କରାଯାଇଛି ସେଥିରେ ଏହା ଉଲ୍ଲେଖ ରହିଛି। ଶକ୍ତିକାନ୍ତ କହିଥିଲେ ଯେ ଦରଦାମ୍ ମୁକାବିଲା ଲାଗି ମୁଦ୍ରାନୀତି ସମ୍ପର୍କିତ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ସାମନାକୁ ଆସିନାହିଁ। ସ୍ଥିତି ଉପରେ ନିୟନ୍ତ୍ରଣ ଜାରି ରହିଛି। ୨୦୨୩-୨୪ରେ ମୁଦ୍ରାସ୍ଫୀତି ହାର ୫‌.୨ ପ୍ରତିଶତ ସ୍ତରରେ ରହିବ ‌ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।