ଭୁବନେଶ୍ବର: ସରକାରୀ ବିଦ୍ୟୁତ କଂପାନି ଏନ୍ଟିପିସିର ଦର୍ଲିପାଲି ପ୍ରକଳ୍ପର ଦ୍ବିତୀୟ ୟୁନିଟ୍ରୁ ବିଦ୍ୟୁତ ଉତ୍ପାଦନ ଖୁବ୍ଶୀଘ୍ର ଆରମ୍ଭ ହେବ। କଂପାନିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଞ୍ଚଳ) ସଞ୍ଜୀବ କିଶୋର ଏହି ସୂଚନା ଦେଇଛନ୍ତି। ଦର୍ଲିପାଲି ପ୍ରକଳ୍ପରେ ୮୦୦ ମେଗାୱାଟ୍ର ପ୍ରଥମ ୟୁନିଟ୍ରୁ ଚଳିତ ବର୍ଷ ମାର୍ଚ୍ଚ ୧ରୁ ଉତ୍ପାଦନ ଆରମ୍ଭ ହୋଇଛି। ସେହି ସମାନ ୮୦୦ ମେଗାୱାଟ୍ର ଦ୍ବିତୀୟ ୟୁନିଟ୍ରୁ ଆସନ୍ତା ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) ଉତ୍ପାଦନ ଆରମ୍ଭ ହେବ ବୋଲି ଶ୍ରୀ କିଶୋର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଲେ, ଏହି ପ୍ରକଳ୍ପରୁ ଓଡ଼ିଶା ୪୭୦ ମେଗାୱାଟ ବିଦ୍ୟୁତ ଶକ୍ତି ପାଇବ। ବଳକା ବିଦ୍ୟୁତକୁ ମେଘାଳୟ, ଆସାମ, ତ୍ରିପୁରା, ବିହାର ଓ ଛତିଶଗଡ଼କୁ ବିକ୍ରି କରାଯିବ।
ତାଳଚେରରେ ୧୩୨୦ ମେଗାୱାଟ୍ର ଟିଟିପିଏସ୍-୩ ପ୍ରକଳ୍ପ ସମ୍ପର୍କରେ ସେ କହିଛନ୍ତି ଯେ, ଖୁବ୍ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ। ଆମେ ଓଡ଼ିଶା ସରକାରଙ୍କ ଠାରୁ କେତେକ ବିଷୟକୁ ନେଇ ସ୍ପଷ୍ଟୀକରଣ ଅପେକ୍ଷାରେ ରହିଛୁ। ତାହା ମିଳିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯିବ। ଚଳିତ ବର୍ଷ ଜାନୁଆରିରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟ ସରକାର ଏନ୍ଟିପିସିର ଏହି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଥିଲେ। ଓଡ଼ିଶାରେ ଏନ୍ଟିପିସିର ୫୦୨୦ ମେଗାୱାଟ୍ କ୍ଷମତାର ଚାରିଟି ପ୍ରକଳ୍ପ ରହିଛି। ସାରା ଦେଶରେ କଂପାନିର ୫୮,୧୩୬ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାର କ୍ଷମତା ରହିଛି। ଆସନ୍ତା କିଛି ବର୍ଷ ଭିତରେ ସେହି କ୍ଷମତାକୁ ୭୫ ହଜାର ମେଗାୱାଟ୍ରେ ପହଞ୍ଚାଇ ବିଶ୍ବର ଏକ ନମ୍ବର ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ହେବାକୁ ଏନ୍ଟିପିସି ଲକ୍ଷ୍ୟ ରଖିଛି। ଏହି ଅବସରରେ କଂପାନିର ଅନ୍ୟ ନିର୍ଦେଶକମାନେ ଉପସ୍ଥିତ ଥିଲେ।