ପୁଣି ଫେରିବ କି ୧୦୦୦ ଟଙ୍କିଆ ନୋଟ୍ ? କ’ଣ କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ?

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନିକଟରେ ୨ ହଜାର ଟଙ୍କା ନୋଟ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲା । ଏହାପରେ ଦେଶରେ ୧ ହଜାର ଟଙ୍କିଆ ନୋଟ ଫେରିବା ନେଇ ଚର୍ଚ୍ଚା ଜାରି ରହିଛି । ଗୁରବାର ଏ ସଂପର୍କରେ ଏକ ପ୍ରଶ୍ନ ପଚରା ଯିବା ପରେ ସ୍ଥିତି ସ୍ପଷ୍ଟ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ସେ ଦେଶରେ ୧୦୦୦ ଟଙ୍କିଆ ନୋଟର ପୁନଃପ୍ରଚଳନ ଖବରକୁ ଖଣ୍ଡନ କରିଛନ୍ତି । ୧୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ଏହି ନୋଟ୍ ଦେଶରେ ଆଉ ପ୍ରଚଳନରେ ରହିବ ନାହିଁ। ଏ ସଂକ୍ରାନ୍ତରେ ଯାହା ବି ଖବର ଆସୁଛି, ତାହା କେବଳ ଗୁଜବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୫୦୦ ଟଙ୍କିଆ ନୋଟ୍ କୁ ପ୍ରଚଳନରୁ ଉଠାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଏ ନେଇ ଚାଲିଥିବା ଆଲୋଚନା ବିଭ୍ରାନ୍ତିକର। ଏଭଳି ଗୁଜବଉପରେ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଅଚଳ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ଅଧା ବ୍ୟାଙ୍କକୁ ଫେରିଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କିମ୍ବା ବଦଳାଯାଇପାରିବ।

ସମ୍ବନ୍ଧିତ ଖବର