ନୂଆଦିଲ୍ଲୀ, ୧୩/୧୧: ଦୀର୍ଘ ଦୁଇ ବର୍ଷ ଧରି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବ୍ରିଟେନର ଭାଗ୍ୟ ବଦଳାଇବାରେ ଭାରତ ସହ ବାଣିଜ୍ୟ ଚୁକ୍ତି ବିଶେଷ ସହାୟକ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ଚୁକ୍ତି ଲାଗି ପ୍ରତିବଦ୍ଧ ଅଛନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ସେ ଦେଶ ଭିତରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ସୁଧାରିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
ବ୍ରିଟେନ୍‌ ଅର୍ଥନୀତି ଆଗକୁ ବଢ଼ୁନଥିବା ବେଳେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ବରେ ଦେଖାଦେଇଥିବା ଦରଦାମ୍ ସ୍ଥିତି ଏହି ଦେଶର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ‌ଦେଇଛି। ସେଠାରେ ଲୋକମାନଙ୍କୁ ସଠିକ ଦରମାର କାମ ମିଳୁନି। ଆୟରେ ବଡ଼ ଧରଣର ଅନ୍ତର ଏବଂ ଅର୍ଥନୀତି କାର୍ଯ୍ୟକଳାପ ମନ୍ଥର ରହିବା ଯୋଗୁ ଲୋକମାନେ ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ବ୍ରିଟେନର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅବନତି ହୋଇଛି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ବ୍ରିଟେନ୍‌ ଅର୍ଥନୀତିର ଅଭିବୃଦ୍ଧି ହାର ଆହୁରି ହ୍ରାସ ପାଇବା ପରେ ସେଠାକାର ନୀତି ନିର୍ଧାରକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅତୀତରେ ବ୍ରି‌ଟେନ୍ କିଛି ଭୁଲ ନିଷ୍ପତ୍ତି ଗ୍ରହଣ କରିବା ଯୋଗୁ ଏଭଳି ଖରାପ ସ୍ଥିତିରେ ପହଞ୍ଚିଛି। ବାରମ୍ବାର ପ୍ରଧାନମନ୍ତ୍ରୀ ବଦଳିବା ଏବଂ ସେମାନେ ଭିନ୍ନ ଭିନ୍ନ ନୀତି ପ୍ରଣୟନ କରିବା ଯୋଗୁ ବ୍ୟବସାୟ ନିଷ୍ପତ୍ତି ନେବାକୁ ନିବେଶକମାନେ ଭୟ କରିଥିଲେ। ୟୁରୋପୀୟ ସଂଘରୁ ବାହାରିବା ପରେ ବ୍ରି‌ଟେନ ଯେଉଁଭଳି ଶକ୍ତିଶାଳୀ ରହିବ ବୋଲି ଆଶା କରାଯାଉଥିଲା ତାହା ହେଲା ନାହିଁ। ପୁଞ୍ଜିନିବେଶ ନହେବା, ଦେଶ ଭିତରେ ଅର୍ଥନୈତିକ ବୈଷମ୍ୟ ଓ ନିମ୍ନ ଅଭିବୃଦ୍ଧି ହାର ଯୋଗୁ ବ୍ରିଟେନ୍ ଅର୍ଥନୀତି ଗଭୀର ସଙ୍କଟରେ ଫସିଛି। ତେବେ ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି ଭାରତ ସହ ବ୍ରିଟେନ୍‌ ଶୀଘ୍ର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ତେବେ ଅର୍ଥନୀତି ଆଗକୁ ବଢ଼ିବା ଲାଗି ଯେଉଁ ବଳ ଦରକାର ପଡ଼ୁଛି ତାହା ମିଳିପାରିବ।
ବ୍ରିଟେନ୍‌ର ସଂସ୍ଥା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍ ଆଣ୍ଡ୍‌ ସୋସିଆଲ ରିସର୍ଚ୍ଚର ସହକାରୀ ଅର୍ଥନୀତିଜ୍ଞ ହେଲି ଲୋ’ କହିଛନ୍ତି ଯେ ଭାରତ ସହ ବାଣିଜ୍ୟ ବୁଝାମଣା ହେଲେ ରପ୍ତାନି ବଢ଼ିବ। ବାଣିଜ୍ୟ ପଥ ବ୍ୟାପକ ହେବ, ଫଳରେ ରାଜନୈତିକ ଅସ୍ଥିରତା ପ୍ରଭାବରେ ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହେବନି। ବାହାରୁ ସୁଲଭ ମୂଲ୍ୟରେ କଞ୍ଚାମାଲ ମଗାଇପାରିବେ ବ୍ରିଟେନ୍‌ର ମାନୁଫାକ୍‌ଚରିଂ କ୍ଷେତ୍ର ସୁଧାର ପଥକୁ ଫେରିପାରିବ ବୋଲି ସେ କହିଛନ୍ତି।